ପଇଡ଼ ବିକାଳିଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆବର୍ଷ ଉପଲକ୍ଷେ ସକାଳୁ ପୁରୀ ଯାଇ ଶ୍ରୀ ଜୀଉଙ୍କ ଦର୍ଶନ କରିଥିଲେ। ସେଠାରୁ ସେ ସ୍ବର୍ଗଦ୍ବାରା ଯାଇ ପିତା ବିଜୁ ପଟ୍ଟନାୟକଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୁରୀରୁ ଭୁବନେଶ୍ବର ଫେରିବା ବାଟରେ ସେ ସୁବଳପୁର ଗାଁ ଛକ ନିକଟରେ ଗାଡ଼ି ଅଟକାଇଥିଲେ। ସମୟ ଥିଲା ଦିନ ୧.୧୦ ମିନିଟ। ସେଠାରେ ରାସ୍ତା କଡ଼ରେ ପଇଡ଼ ବିକୁଥିବା ବାପା ଗଙ୍ଗାଧର ବିଶ୍ବାଳ ଓ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ପୁଅ ଜୀବନ ବିଶ୍ବାଳଙ୍କ ସହ କିଛି ସମୟ ଆଳାପ କରିଥିଲେ। ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ସେମାନଙ୍କ ଠାରୁ ଦୁଇଟି ପଇଡ଼ ପିଇ ୫୦୦ଟଙ୍କା ପଇଡ଼ ବାବଦକୁ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ପଇଡ଼ ପିଆଇ ଥିବାରୁ ବାପ ପୁଅ ଖୁବ ଆନନ୍ଦିତ ବୋଲି ଗଙ୍ଗାଧର କହିଛନ୍ତି। ପିତା ବିଜୁ ପଟ୍ଟନାୟକଙ୍କ ପରି ନବୀନ ପଇଡ଼ ବିକାଳିକୁ ପ୍ରାପ୍ୟ ଠାରୁ ଅଧିକ ଅର୍ଥ ଦେଇଥିଲେ। ଗଙ୍ଗାଧର କହିଛନ୍ତି, ଜୀବନ ନିୟମିତ ସ୍କୁଲକୁ ପାଠ ପଢ଼ୁିବାକୁ ଯାଏ। ଛୁଟି ଦିନରେ ତାଙ୍କୁ ସାହାଯ୍ୟ କରିଥାଏ।