୪ମାସ ପରେ କାର୍ଯ୍ୟାଳୟ ଆସିଲେ ପରିକର
ପାଣାଜୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକର ୪ ମାସ ପରେ ପ୍ରଥମ କରି ନିଜ କାର୍ଯ୍ୟାଳୟକୁ ଆସିଛନ୍ତି। ମଙ୍ଗଳବାର ପରିକର ସଚିବାଳୟସ୍ଥିତ ନିଜ କାର୍ଯ୍ୟାଳୟକୁ ଆସି କ୍ୟାବିନେଟ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଆସିଥିବା ଜାଣି ସଚିବାଳୟର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିବା ସହିତ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ପରିକରଙ୍କୁ ବିଜେପି ବିଧାୟକ, ବାଚସ୍ପତି ପ୍ରମୋଦ ସାୱନ୍ତ ପ୍ରମୁଖ ଅଭିନନ୍ଦନ ଜଣାଇଥିଲେ। ସେହିପରି ସଚିବାଳୟ ବାହାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଭିଡ ଜମାଇଥିଲେ। ଅଗ୍ନାଶୟ କର୍କଟ ରୋଗରେ ପୀଡିତ କାରଣରୁ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନ ଧରି କାର୍ଯ୍ୟାଳୟ ଆସୁ ନଥିଲେ। ଅସୁସ୍ଥତା ନେଇ ସେ ମୁମ୍ବଇ, ଆମେରିକା ଓ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହୋଇଥିଲେ। ଗତମାସରେ ପରିକର ସେତୁ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଅନୁପସ୍ଥିତକୁ ନେଇ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏପରି କି ବିରୋଧୀ ଦଳ ଏ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ରିପୋର୍ଟ ମାଗିଥିଲେ।