ପଣ୍ଡିତ ସୁରମଣି ବାଉରୀବନ୍ଧୁ ସେଠୀଙ୍କୁ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳୀ 

ଭୁବନେଶ୍ୱର: ଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସ୍ଵରାଞ୍ଜଳୀ” ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପୁରାତନ ପ୍ରେକ୍ଷାଳୟଠାରେ ପ୍ରଖ୍ୟାତ ସୀତାର ବାଦକ ପଣ୍ଡିତ ସୁରମଣି ବାଉରୀବନ୍ଧୁ ସେଠୀଙ୍କ ସ୍ମୃତିରେ ଶାସ୍ତ୍ରୀୟ ସଙ୍ଗୀତ ମାଧ୍ୟମରେ ବିଶେଷ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦୁଇ ଦିନର ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ୟ ଅତୀଥି ଭାବରେ ଉଚ୍ଚଶିକ୍ଷା ବିଭାଗର ସଚିବ ମନୋରଞ୍ଜନ ନାୟକ, ସ୍ୱତନ୍ତ୍ର ଅତିଥି ଭାବରେ ଭାରତର ଆର୍କାଇ ବିଭାଗର ଡେପୁଟି ଡାଇରେକ୍ଟର କେଶବ ଚନ୍ଦ୍ର ଜେନା ଏବଂ ସମ୍ମାନୀୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷାବିତ୍ ଶକୁନ୍ତଳା ବଳିଆରସିଂହ ଏବଂ ସମାଜସେବୀ ତଥା ସଂସ୍କୃତିପ୍ରେମୀ ଓ ସୀତାର୍ ଶିଳ୍ପୀ ସୀମା ପଟ୍ଟନାୟକ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଅତିଥିମାନେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହିତ ଗୁରୁଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମସ୍ତ ଅତିଥି ଓଡ଼ିଶାର ସଂଗୀତ ପରଂପରା ଏବଂ ଶାସ୍ତ୍ରୀୟ ସଂଗୀତର ପ୍ରଚାର ପ୍ରସାର ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ସ୍ୱରାଞ୍ଜଳୀ ଅନୁଷ୍ଠାନ ପକ୍ଷରୁପଣ୍ଡିତ ସୁରମଣୀ ବାଉରୀବନ୍ଧୁ ସେଠୀ ସମ୍ମାନରେ ଗୁରୁଜୀଙ୍କ ସହଧର୍ମିଣୀ ପଙ୍କଜିନୀ ସେଠୀଙ୍କୁ ମାନପତ୍ର ଆର୍ଥିକ ରାଶି ସହ ପ୍ରଦାନ କରାଯାଇଥିଲା । ଶାସ୍ତ୍ରୀୟ ସଂଗୀତ କ୍ରମରେ ପ୍ରଥମ ଅର୍ଘ୍ଯରେ ଯୁବ ସୀତାର ଶିଳ୍ପୀ ମାନଙ୍କ ଦ୍ୱାରା ବୃନ୍ଦ ସୀତାର ବାଦନ କରାଯାଇଥିଲା । ଏହାକୁ ସଂଯୋଜନା କରିଥିଲେ ଗୁରୁ ଜୀବନ ପ୍ରକାଶ ଦାସ ଏବଂ ପରିଚାଳନା କରିଥିଲେ ଅଧ୍ୟାପକ ଗୁରୁଶ୍ରୀ ସୌନ୍ଦର୍ଯ୍ୟ ରଞ୍ଜନ ରାୟ।

ଦ୍ଵିତୀୟ ଅର୍ଘ୍ୟରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଯନ୍ତ୍ର ସଙ୍ଗୀତ କ୍ରମରେ “ହଂସବୀଣା” ପରିବେଷଣ କରିଥିଲେ କଲିକତାର ପଣ୍ଡିତ ଶୁଭାଶିଷ ବୋଷ। ତାଙ୍କୁ ତବଲାରେ ସହଯୋଗିତା କରିଥିଲେ ବନାରସ୍ ର ପଣ୍ଡିତ୍ ଶୁଶୋମୟ ମିଶ୍ର। କଲିକତାରୁ ଆସିଥିବା ଅନ୍ୟତମ ଶିଳ୍ପୀ ବିଦୁଷୀ ରୋଜି ଦତ୍ତ ରାଗ ଯୋଗକୋଁଷ ରେ ବିଳମ୍ବିତ ଏକତାଳ ଓ ତିନ ତାଳ ତଥା ପରେ ପରେ ଠୁମୁରୀ ଏବଂ ଦାଦରା ପରିବେଷଣ କରିଥିଲେ। ତାଙ୍କୁ ତବଲା ରେ ସହଯୋଗ କରିଥିଲେ ପଣ୍ଡିତ ଅମୀତ୍ ଚାଟାର୍ଜୀ ହାରମୋନିୟମରେ ପଣ୍ଡିତ ଶାୟନ୍ ଚାଟାର୍ଜୀ ସହଯୋଗିତା କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଜ୍ଞାନଆନନ୍ଦ ସାଗର। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁବ୍ରତ ଦେ।

Comments are closed.