ପ୍ରଥମ ଟେଷ୍ଟ: ଅଲିଭିଅରଙ୍କୁ ୬ ୱିକେଟ; ଆଜମ୍‌ଙ୍କ ୭୧ ରନ୍

0

ସେଞ୍ଚୁରିଅନ୍ : ବୁଧବାରଠାରୁ ଏଠାରେ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ଏହି ସିରିଜ୍‌​‌େ​‌ର ପେସ୍ ବୋଲରଙ୍କ ଲଢ଼େଇ ଦେଖିବାକୁ ମିଳିବ ବୋଲି ଅନୁମାନ କରା ଯାଇଥିବା ବେଳେ ପ୍ରଥମଦିନରୁ ଏହା ସତ ପ୍ରମାଣିତ ହୋଇଛି। ପ୍ରଥମଦିନରେ ୧୫ଟି ୱିକେଟର ପତନ ଘଟିଛି ଏବଂ ୧୫ଟିଯାକ ୱିକେଟ ଫାଷ୍ଟବୋଲର ନେଇଛନ୍ତି। ବାବର ଆଜମ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଡୁଆନ୍ ଅଲିଭିିଅର ୬ଟି ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ପ୍ରଥମ ଇନିଂସରେ ୧୮୧ ରନ୍‌କରି ଅଲ୍ଆଉଟ ହୋଇଥିଲା। ପରେ ପ୍ରଥମଦିନର ଶେଷସୁଦ୍ଧା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୫ ୱିକେଟ ହରାଇ ୧୨୭ ରନ୍ କରିପାରିଛି। ହାତରେ ଆଉ ୫ଟି ୱିକେଟ ବାକିଥିବା ବେଳେ ଦକ୍ଷିଣ ଆଫ୍ରିକା ଏବେ ୫୪ ରନ୍ ପଛରେ ରହିଛି।
ଟସ୍ ଜିତି ପାକିସ୍ତାନ ବ୍ୟାଟିଂ ନେବା ପରେ ବିପର୍ଯ୍ୟୟ ଭୋଗିଥିଲା। ୬୨ ରନ୍‌ରେ ୪ଟି ୱିକେଟ ପଡ଼ି ଯାଇଥିଲା। ଇମାମ୍ ଉଲ୍ ହକ୍ ୦, ଫଖର ଜମାନ୍ ୧୨, ସାନ୍ ମାସୁଦ୍‌ ୧୯ ଓ ଅସଦ୍ ସଫିକ୍ ୭ ରନ୍‌କରି ବିଦାୟ ନେଇଥିଲେ। ତେବେ ପାକିସ୍ତାନର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ବାବର ଆଜମ୍ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଥିବା ବେଳେ ପୂର୍ବତନ ଅଧିନାୟକ ଆଝାର ଅଲୀ ଲଢ଼ୁଆ ବ୍ୟାଟିଂ କରିଥିଲେ। ଆଝାର ୭ଟି ଚୌକା ସହ ୩୬ ରନ୍‌କରି ବିଦାୟ ନେଇଥିଲେ। ଏହାସହ ୨୫ ରନ୍‌ରେ ପାକିସ୍ତାନ ୪ଟି ୱିକେଟ ହରାଇଥିଲା। ୧୧୧ ରନ୍‌ରେ ୮ଟି ୱିକେଟ ପଡ଼ିଯିବା ପରେ ବାବର ଆଜମ୍ ଓ ହାସନ୍ ଅଲୀ ସ୍କୋର୍‌କୁ ୧୭୮ ରନ୍‌ରେ ପହଞ୍ଚାଇଥିଲେ। ବାବର ୭୯ ବଲ୍‌ରୁ ୧୫ଟି ଚୌକାମାରି ୭୧ ରନ୍ କରିଥିଲେ। ହାସନ୍ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ଅପରାଜିତ ଥିଲେ। ଡୁଆନ୍ ଅଲିଭିଅର ୩୭ ରନ୍‌ନେଇ ୬ଟି ୱିକେଟ ନେଇ ଜୀବନର ଶ୍ରେଷ୍ଠ ବୋଲିଂ ସଫଳତା ହାସଲ କରିଥିଲେ। କାଗିସୋ ରାବାଡ଼ା ୩ଟି ଓ ଡେଲ୍ ଷ୍ଟେନ୍ ଗୋଟିଏ ୱିକେଟ ପାଇଥିଲେ।
ପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ଆରମ୍ଭକରି ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ଓପ୍‌ନର ଐଡେନ୍ ମାର୍କରାମ ୧୨ ଓ ହାସିମ୍ ଆମ୍‌ଲା ୮ ରନ୍‌କରି ବିଦାୟ ନେଇଥିଲେ। ଡିନ୍ ଏଲ୍‌ଗାର ୧୫ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୨୨ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଫାଫ୍ ଡୁ ପ୍ଲେସି ଖାତା ଖୋଲି ପାରିନଥିଲେ। ୪୩ ରନ୍‌ରେ ଦକ୍ଷିଣ ଆଫ୍ରିକା ୪ଟି ୱିକେଟ ହରାଇବା ପରେ ଥ୍ୟୁନିସ୍ ଡି ବ୍ରୁଇନ୍ ଓ ତେମ୍ବା ବାଭୁମା ୬୯ ରନ୍ ଯୋଗ କରିଥିଲେ। ଡି ବ୍ରୁଇନ୍ ଗୋଟିଏ ଛକା ଓ ୩ଟି ଚୌକା ସହ ୨୯ ରନ୍ କରିଥିଲେ। ପରେ ବାଭୁମା ଓ ଡେଲ୍ ଷ୍ଟେନ୍ ଆଉ ୱିକେଟ ପଡ଼ିବାକୁ ଦେଇନାହାନ୍ତି। ଷ୍ଟେନ୍ ୨ଟି ଚୌକା ସହ ୧୩ ଓ ବାଭୁମା ୬ଟି ଚୌକା ସହ ୩୮ ରନ୍‌କରି ଅପରାଜିତ ରହିଛନ୍ତି। ଦୁଇ ବାମହାତି ଫାଷ୍ଟବୋଲର ମହମ୍ମଦ ଆମିର ଓ ସାହିନ୍ ଆଫ୍ରିଦି ୨ଟି ଲେଖାଏଁ ଏବଂ ହାସନ୍ ଅଲୀ ଗୋଟିଏ ୱିକେଟ ନେଇଛନ୍ତି।

Leave A Reply