ଅକ୍ଷୁଣ୍ଣ ରହୁ ବ୍ୟକ୍ତିଗତ ଗୋପନୀୟତା ଅଧିକାର

0

ଦେଶର ସୁରକ୍ଷା ସର୍ବୋପରି, ଏଥିରେ ଦ୍ବିରୁକ୍ତିର କୌଣସି ଅବକାଶ ନାହିଁ। ଯଦି କୌଣସି ବ୍ୟକ୍ତି ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼େ, ତା’ ଉପରେ ନଜର ରଖିବା ଶାସନ ପାଇଁ ଜରୁରୀ ହୋଇପଡ଼େ; ମାତ୍ର ଦେଶର ପ୍ରତ୍ୟେକ ନାଗରିକ ଉପରେ ନଜର ରଖିବାକୁ କୌଣସି ସରକାରର ଅଧିକାର ଅସୀମିତ ହେବା କେତେ ଠିକ୍‌, ବିଶେଷତଃ ଗଣତନ୍ତ୍ରରେ? ଏହି ପ୍ରଶ୍ନଟି ଏବେ ଉଠିଛି ଏଇଥିପାଇଁ ଯେ କେନ୍ଦ୍ର ସରକାର ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଦଶଟି ଗୁଇନ୍ଦା ସଂସ୍ଥାକୁ ଦେଶରେ ଚାଲୁଥିବା କମ୍ପ୍ୟୁଟର ସମେତ ସମସ୍ତ ଇଲେକ୍‌ଟ୍ରୋନିକ୍ ଉପକରଣ ଉପରେ ନଜର ରଖିବା ସହ ଆବଶ୍ୟକ ହେଲେ ସେଗୁଡ଼ିକର ଯାଞ୍ଚ କରିପାରିବେ ବୋଲି ଆଦେଶ ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବ୍ୟବହାରକାରୀକୁ ବିନା ସୂଚନାରେ ବା ତା’ର ବିନା ଅନୁମତିରେ ଏହି ସଂସ୍ଥାଗୁଡ଼ିକୁ ଯାଞ୍ଚ ଅଧିକାର ପ୍ରଦାନ କରାଯାଇଛି। ତେଣୁ ସାମାନ୍ୟ ସନ୍ଦେହ ବା ଆଶଙ୍କା ହେଲେ ମଧ୍ୟ ଏ​‌େ​‌ବ ଏହି ଦଶଟି ସଂସ୍ଥା ଯେକୌଣସି ବ୍ୟକ୍ତିର କମ୍ପ୍ୟୁଟର ବା ମୋବାଇଲ ଫୋନକୁ ଅଣ୍ଡାଳିପାରିବେ। ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିଶେଷ ସ୍ଥିତିରେ ଏଭଳି ଯାଞ୍ଚ କରାଯିବ ଓ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ; କିନ୍ତୁ ଆମ ଦେଶର ପୁଲିସ ଓ ବା ତଦନ୍ତକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟଶୈଳୀକୁ ଦେଖିଲେ ବୁଝିବା କଷ୍ଟକର ନୁହେଁ ଯେ ସେମାନଙ୍କୁ ମିଳିଥିବା ଏହି ଅଧିକାରର କି ପ୍ରଭାବ ପଡ଼ିବ।
ବିଭିନ୍ନ ମହଲରୁ ଏବଂ ରାଜ୍ୟସଭାରେ ଏହି ନିଷ୍ପତ୍ତିର ଘୋର ବିରୋଧ ହେବାପରେ ସରକାର ଯେଉଁ ସଫେଇ ଦେଇଛନ୍ତି, ତାହା କେବଳ ଅର୍ଥହୀନ ନୁହେଁ, ଦୁରଭିସନ୍ଧିପୂର୍ଣ୍ଣ ମନେହୁଏ। ସରକାର କହିଛନ୍ତି ଯେ ତାଙ୍କ ପୂର୍ବ ସରକାର ଅମଳରେ ୨୦୦୯ ମସିହାରେ ସୂଚନା ପ୍ରଯୁକ୍ତି ଆଇନ ୨୦୦୦କୁ କାର୍ଯ୍ୟକାରୀ କରିବାକୁ ଆଦେଶ ଦିଆଯାଇଥିଲା, ଯାହାକୁ ସରକାର ଏବେ କେବଳ ପୁନଃକାର୍ଯ୍ୟକାରୀ ପାଇଁ କହିଛନ୍ତି। ତେବେ ୨୦୦୯ ମସିହା ପରଠାରୁ ଭାରତରେ ବ୍ୟକ୍ତିଗତ ଗୋପନୀୟତାର ଅଧିକାରକୁ ନେଇ କେତେ ବାଦବିବାଦ ହୋଇଛି ଓ ଆଇନ ଇତିମଧ୍ୟରେ ତିଆରି ହୋଇସାରିଛି, ସେ ନେଇ ସରକାରଙ୍କ ଉଦାସୀନତା (ବା ଜାଣିଶୁଣି ଉପେକ୍ଷା) ଦୁର୍ଭାଗ୍ୟଜନକ। ବିଶେଷତଃ, ୨୪ ଅଗଷ୍ଟ ୨୦୧୭ରେ ସର୍ବୋଚ୍ଚ ନ୍ୟାୟାଳୟର ନଅଜଣିଆ ପୀଠ ସର୍ବସମ୍ମତିକ୍ରମେ ଦେଇଥିବା ଐତିହାସିକ ରାୟ ଏ ଦୃଷ୍ଟିରୁ ବେଶ୍ ମହତ୍ତ୍ବପୂର୍ଣ୍ଣ, ଯେଉଁଥିରେ ନ୍ୟାୟାଳୟ ସ୍ପଷ୍ଟଭାବେ କହିଥିଲେ ଯେ ବ୍ୟକ୍ତିଗତ ଗୋପନୀୟତା ଅଧିକାର ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ‘ସମ୍ବିଧାନ ଏପରି ଅଧିକାର ଦେଇନାହିଁ’ ବୋଲି ସରକାର କରିଥିବା ଯୁକ୍ତିକୁ ନ୍ୟାୟାଳୟ ସମ୍ପୂର୍ଣ୍ଣ ଖାରଜ କରିଦେଇଥିଲେ। ମନେହୁଏ, ସରକାର ସେଥିରୁ କିଛି ଶିଖିପାରିନାହାନ୍ତି।
ଏହି ପରିପ୍ରେକ୍ଷୀରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ମନକୁ ଆସୁଛି। ଏହା କିଭଳି ସୁନିଶ୍ଚିତ ହେବ ଯେ ଏହାରି ମାଧ୍ୟମରେ ଦେଶର ନାଗରିକଙ୍କ ମୌଳିକ ଅଧିକାର ଓ ଲୋକଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ ନିଶାଣ କରାଯିବ ନାହିଁ? ଯଦି ଫୋନକଲ୍ ବା କାହାର ବ୍ୟକ୍ତିଗତ କମ୍ପ୍ୟୁଟରର ଯାଞ୍ଚ ପାଇଁ ଆଦେଶ ଜାରି କରାଗଲା, ତେବେ ତାହା ଗୁଇନ୍ଦାଗିରିଠାରୁ କିପରି ଅଲଗା? ଏହା କିପରି ସୁନିଶ୍ଚିତ ହେବ ଯେ ତଦନ୍ତକାରୀ ସଂସ୍ଥା ଏହି ଅଧିକାରର ଦୁରୁପଯୋଗ କରିବେ ନାହିଁ? କୌଣସି ବ୍ୟକ୍ତି ବା ସଂସ୍ଥାର ଗତିବିଧି ସନ୍ଦିଗ୍ଧ ବା ସନ୍ଦିଗ୍ଧ ନୁହେଁ, ତାକୁ କିଏ ପରିଭାଷିତ କରିବ? କେତେକ ଲୋକ ଅବାଞ୍ଛିତ କାର୍ଯ୍ୟରେ ଲିପ୍ତ ହୋଇଥାଇପାରନ୍ତି, ଯାହା ସୁରକ୍ଷା ଓ ସାମାଜିକ ସଦ୍ଭାବ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଏବଂ ସେମାନଙ୍କ ଉପରେ ଏପରି ନଜର ରଖାଯିବା ଆବଶ୍ୟକ; କିନ୍ତୁ ସାଧାରଣ ନାଗରିକ ଓ ସେହିଭଳି ଲୋକଙ୍କ ମଧ୍ୟରେ ସରକାର କିଛି ପ୍ରଭେଦ ରଖିବେ ନା ନାହିଁ? ବର୍ତ୍ତମାନର ଅନ୍ୟାନ୍ୟ ଆଇନକାନୁନ ଦେଶବିରୋଧୀ ଗତିବିଧିରେ ଲିପ୍ତ ଲୋକଙ୍କୁ ଧରିବାପାଇଁ ଯଥେଷ୍ଟ ନୁହେଁ ବା ଅସମର୍ଥ ଯେ ଦେଶର ପ୍ରତ୍ୟେକ ନାଗରିକଙ୍କ ଉପରେ ଅପ୍ରତ୍ୟକ୍ଷ ଭାବେ ନଜର ରଖିବାକୁ ଆଦେଶ ଜାରି କରିବାକୁ ପଡ଼ିଲା? କହିବା ବାହୁଲ୍ୟ ଯେ ଏବେ ନହେଲେ ବି ସରକାରଙ୍କୁ ନିକଟ ଭବିଷ୍ୟତରେ ଏହି ପ୍ରଶ୍ନଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିବ। ଯଦି ବ୍ୟକ୍ତିଗତ ଗୋପନୀୟତା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଦେଖାଯାଏ, ତେବେ ସରକାରଙ୍କ ଏଭଳି ଆଦେଶ ଯେ ଅସାମ୍ବିଧାନିକ, ସେଥିରେ ସନ୍ଦେହ ନାହିଁ। କୌଣସି ବ୍ୟକ୍ତି ଉପରେ ନଜର ରଖିବା ବା ତା’ର ବ୍ୟକ୍ତିଗତ ଜିନିଷପତ୍ର ଯାଞ୍ଚ କରିବା ପାଇଁ ସରକାରୀ ‘ବାବୁ’ ବା ପୁଲିସ ପାଖରେ ଯଥେଷ୍ଟ କାରଣ ଓ ତଥ୍ୟ ରହିଥିବା ଉଚିତ, ଯାହା ଅଦାଲତର କଷଟିରେ ପରୀକ୍ଷିତ ହେବା ଦରକାର। ସରକାର ଏଥିପ୍ରତି ଦୃଷ୍ଟିଦେବା ନିହାତି ଜରୁରୀ।
୧୯୪୮ ମସିହାରେ ପ୍ରଖ୍ୟାତ ଔପନ୍ୟାସିକ-ସାମ୍ବାଦିକ ଜର୍ଜ ଅରୱେଲ୍‌ ଭବିଷ୍ୟ ଉପରେ ଏକ କାଳ୍ପନିକ ପୁସ୍ତକ ଲେଖିଥିଲେ, ଯାହାର ନାମ ଥିଲା ‘୧୯୮୪’। ସେଥିରେ ସେ ରାଷ୍ଟ୍ରଶକ୍ତି ବା ଶାସନ କିପରି ନାଗରିକଙ୍କ ଉପରେ ନଜର କରିଥାଏ ଓ ତା’ର ସ୍ବାଧୀନତାକୁ କ୍ଷୁଣ୍ଣ କରିବାକୁ ଚେଷ୍ଟା କରେ, ତାହା ଦର୍ଶାଇଥିଲେ। ନିକଟ ଅତୀତରେ କେବଳ ଭାରତ ନୁହେଁ, ବିଶ୍ବର ଅନେକ ଗଣତାନ୍ତ୍ରିକ ଦେଶର ଶାସକମାନେ ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ଅଭିବ୍ୟକ୍ତିର ସ୍ବାଧୀନତା କ୍ଷୁଣ୍ଣ କରିବାର ଅପଚେଷ୍ଟା କରିଛନ୍ତି। ଏଥିରୁ ସେମାନେ ନିବୃତ୍ତ ନହେଲେ ଗଣତନ୍ତ୍ରର ମୂଳ ନିଶ୍ଚିତଭାବେ ଦୁର୍ବଳ ହେବ, ତାହା ନିଃସନ୍ଦେହ।

kalyan agarbati
Leave A Reply