ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ

ବିଚିିତ୍ରାନନ୍ଦ ପ୍ରଧାନ

ଆଦିମ କାଳରୁ ହିଁ ଯୁଦ୍ଧର ସଂସ୍ଥିତି ବିଦ୍ୟମାନ। ରାଷ୍ଟ୍ର ଓ ଶାସନ ସଂସ୍ଥା ସୃଷ୍ଟି ହେବାର ବହୁ ପୂର୍ବରୁ ମନୁଷ୍ୟମାନେ ଯେତେବେଳେ ପ୍ରକୃତି ରାଜ୍ୟରେ ବାସ କରୁଥିଲେ, ସେତେବେଳେ ମଧ୍ୟ ସେମାନେ ଯୁଦ୍ଧରେ ପ୍ରବୃତ୍ତ ରହୁଥିଲେ। ଶ୍ରୀମଦ୍‌‌ ଭଗବଦ୍‌ ଗୀତାରେ ମଧ୍ୟ ଯୁଦ୍ଧର ଆବଶ୍ୟକତା ସ୍ୱୀକୃତ ହୋଇଅଛି। ଶ୍ରୀମଦ୍‌‌ ଭଗବଦ୍‌ ଗୀତାରେ ଯୁଦ୍ଧ କ୍ଷେତ୍ରରେ ଅର୍ଜୁନଙ୍କର ଯୁଦ୍ଧ ବିରୋଧୀ ମନୋଭାବ ଲକ୍ଷ୍ୟ କରି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଧର୍ମ ଯୁଦ୍ଧ କରିବା ପାଇଁ ବୁଝାଇଥିଲେ ଓ ଶେଷରେ ବିଶ୍ୱରୂପ ଦେଖାଇଥିଲେ। ଏଥିରେ ଅର୍ଜୁନ ନିଜର ଭ୍ରମ ବୁଝିପାରି ଅସ୍ତ୍ରଧାରଣ କରିଥିଲେ। ଅବଶ୍ୟ କୁରୁକ୍ଷେତ୍ର ଯୁଦ୍ଧର ଉଦ୍ଦେଶ୍ୟ ଧର୍ମରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା। ସୁପ୍ରାଚୀନ ଇଟାଲୀୟ ଦାର୍ଶନିକ ସିସୋରୋ କହିଛନ୍ତି- ଯୁଦ୍ଧ କେବଳ ସର୍ବ କଲ୍ୟାଣକର ଶାନ୍ତି ପ୍ରତିଷ୍ଠା ପାଇଁ କରାଯାଇପାରେ। ଗ୍ରୀକ୍‌‌ ଦାର୍ଶନିକ ଆରିଷ୍ଟୋଟଲ୍‌‌ଙ୍କ ମତରେ- ଯୁଦ୍ଧର ଆବଶ୍ୟକତା କେବଳ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ। ଇଂରେଜ ଦାର୍ଶନିକ ହବସ୍‌‌ ଲେଖିଛନ୍ତି, ପ୍ରକୃତି ରାଜ୍ୟରେ ସମସ୍ତେ ସମସ୍ତଙ୍କ ବିରୁଦ୍ଧରେ ଯୁଦ୍ଧରତ ଥିଲେ ଏବଂ ବଳ ଓ ପ୍ରବଞ୍ଚନା ସେହି ଯୁଦ୍ଧ ପରିସ୍ଥିତିର କାରଣ ଥିଲା।
ପ୍ରାଚୀନ ଯୁଗରେ ଦେଶ-ଦେଶ ମଧ୍ୟରେ ଯୁଦ୍ଧ ସୈନ୍ୟସାମନ୍ତ ଓ ସାମରିକ ବ୍ୟକ୍ତିମାନଙ୍କ ମଧ୍ୟରେ ସୀମାବଦ୍ଧ ଥିଲା। ଏହାର ବ୍ୟାପକତା କେବଳ ଯୁଦ୍ଧକ୍ଷେତ୍ର ମଧ୍ୟରେ ସୀମିତ ରହୁଥିଲା। ସେତେବେଳେ ଯୁଦ୍ଧନୀତି ଏପରି ଥିଲା ଯେ, ନିରସ୍ତ୍ର ଦୁର୍ବଳମାନଙ୍କ ସହ ଯୁଦ୍ଧ କରିବା ନୀତିହୀନ କାର୍ଯ୍ୟ ବୋଲି ପରିଗଣିତ ହେଉଥିଲା। ଆଧୁନିକ ଯୁଗରେ ଯୁଦ୍ଧପ୍ରଣାଳୀ ଯନ୍ତ୍ରବିଜ୍ଞାନ ଦ୍ୱାରା ପରିପୁଷ୍ଟ। ଏହି ସମୟରେ ଯୁଦ୍ଧର ଭୟାବହତା ଏତେ ଯେ, ପଲକ ମାତ୍ରକେ ପରମାଣୁ ବୋମା ଦ୍ୱାରା ସହରମାନଙ୍କୁ ଧ୍ୱଂସ କରି ନିରପରାଧ ମଣିଷଙ୍କୁ ଜାଳିପୋଡ଼ି ମାରି ଦିଆଯାଇପାରିବ। ଦ୍ୱିତୀୟ ବିଶ୍ବଯୁଦ୍ଧ ୧୯୪୫ ମସିହା ଅଗଷ୍ଟ ୬ ତାରିଖ ଓ ୯ ତାରିଖରେ ପାଞ୍ଚଲକ୍ଷ ଜନତାଙ୍କୁ ବକ୍ଷରେ ଧରିଥିବା ଜାପାନର ହିରୋସୀମା ଓ ନାଗାସାକି ସହରଦ୍ୱୟ ପରମାଣୁ ବୋମା ବିସ୍ଫୋରଣରେ ଧ୍ବଂସ ହୋଇଯାଇଥିଲା। ଧନଶାଳୀ ରାଷ୍ଟ୍ରମାନେ ବୈଜ୍ଞାନିକମାନଙ୍କ ସହାୟତାରେ ପ୍ରଚୁର ଅର୍ଥ ଖର୍ଚ୍ଚ କରି ରାସାୟନିକ ବୋମା ଓ ଜୈବିକ ବୋମା ତିଆରି କରିବାରେ ସଫଳ ହୋଇଛନ୍ତି। ୧୯୧୫ ଏପ୍ରିଲ ୨୨ରେ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀ ପକ୍ଷରୁ ସର୍ବପ୍ରଥମେ ରାସାୟନିକ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ବୋମାର ବିଷାକ୍ତ ଗ୍ୟାସ ପ୍ରୟୋଗ ଫଳରେ ମାତ୍ର କେଇ ମିନିଟ୍‌‌ ମଧ୍ୟରେ ଛଅ ହଜାର ସାଧାରଣ ଲୋକଙ୍କୁ ନିର୍ଦୟ ଭାବରେ ମାରିଦିଆଯାଇଥିଲା। ଜୈବିକ ଅସ୍ତ୍ର ମଧ୍ୟ ବିଭିନ୍ନ ଦେଶରେ ପ୍ଲେଗ, ବସନ୍ତ ଭଳି ବିଭିନ୍ନ ରୋଗର ବିଭୀଷିକା ସୃଷ୍ଟି କରିଥିଲା। ସଭ୍ୟ ମନୁଷ୍ୟମାନେ ଗବେଷଣା ଦ୍ୱାରା ସୃଷ୍ଟି କରିଥିବା ଏହି ଅଣୁ ହିଁ ମଣିଷର ବିନାଶର କାରଣ ହୋଇଥିଲା। ଏଣୁ ଏହି ମାରାତ୍ମକ ଜୈବିକ ଅସ୍ତ୍ର ବ୍ୟବହାର ବନ୍ଦ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏକ ଜୈବିକ ଅସ୍ତ୍ର ବିରୋଧୀ ଚୁକ୍ତି ୧୯୭୫ ମସିହାରେ ସ୍ୱାକ୍ଷରିତ ହୋଇଛି।

ମନୁଷ୍ୟମାନେ ନିଜର ମନକୁ ସ୍ଥିର ରଖିବା କଷ୍ଟସାଧ୍ୟ ହୋଇଥାଏ। ଯେଉଁମାନେ ମନକୁ ନିଜ ଅଧୀନରେ ରଖିପାରନ୍ତି ସେହିମାନେ ହିଁ ଶାନ୍ତିରେ ରହିପାରନ୍ତି। କାମନା, କ୍ରୋଧ ଓ ଲୋଭ ଆମକୁ ଅଶାନ୍ତି ଦେଇଥାଏ। ମାନବର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଶାନ୍ତିର ପ୍ରୟୋଜନୀୟତା ନିହାତି ଆବଶ୍ୟକ। କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ ସଂସ୍କୃତିର ବିକାଶ କେବଳ ଶାନ୍ତିମୟ ବାତାବରଣ ମଧ୍ୟରେ ସମ୍ଭବ ହୋଇଥାଏ। ଶାନ୍ତି ମନ୍ତ୍ର ମନରେ ଅପାର ଆନନ୍ଦ ଦେଇଥାଏ। ସଭ୍ୟତାର ମଙ୍ଗଳକାମୀ ମାନବ ଶାନ୍ତିର ଅଗ୍ରଦୂତ ଭାବେ ଅନାଇ ରହିଛନ୍ତି କେତେବେଳେ ଶାନ୍ତିମୟ ପୃଥିବୀରୁ ନୀଳଆକାଶକୁ ଉଠିବ ଶାନ୍ତିର କପୋତ। ମନେ ହୁଏ ଆତ୍ମ ସଂଯମ ରକ୍ଷାକାରୀ ଶାନ୍ତିର ସାଧକ ଭାରତୀୟ ଆର୍ଯ୍ୟ ମହର୍ଷିମାନଙ୍କର ମୁଖନିଃସୃତ ଅମର ବାଣୀ ‘ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ’ ଆମ୍ଭମାନଙ୍କର କର୍ଣ୍ଣ ଗହ୍ୱରରେ ନିନାଦିତ ହେଉଅଛି।

prayash

ରୁଷିଆର ତତ୍କାଳୀନ ଜାର୍‌‌ ପ୍ରଥମ ଆଲେକ୍‌‌ଜାଣ୍ଡାରଙ୍କ ପ୍ରଚେଷ୍ଟାରେ ସ୍ନେହ, ଶାନ୍ତି ଓ ଉଦାରତା ମୌଳିକ ନୀତି ଉପରେ ପ୍ରତିଷ୍ଠିତ ଏକ ଆନ୍ତର୍ଜାତିକ ଶାନ୍ତି ସଂଗଠନ ‘ପବିତ୍ର ମୈତ୍ରୀ ସଂଘ’ ପ୍ରତିଷ୍ଠା ହୋଇଥିଲା। ୧୯୧୭ରେ ଆମେରିକାର ପ୍ରେସିଡେଣ୍ଟ ରୁଜଭେଲ୍‌‌ଟ ହେଗ୍‌‌ଠାରେ ଦ୍ୱିତୀୟ ଆନ୍ତର୍ଜାତିକ ଶାନ୍ତି ସମ୍ମିଳନୀ ଆହ୍ୱାନ କରିଥିଲେ। ଆଣ୍ଡୁକାର୍ନୋଜ ନାମକ ଜଣେ ପ୍ରସିଦ୍ଧ ମାର୍କିନ ଶିଳ୍ପପତି ବହୁ ଅର୍ଥ ବ୍ୟୟରେ ହେଗ୍‌‌ଠାରେ ଏକ ଶାନ୍ତି ମନ୍ଦିର ନିର୍ମାଣ କରିଥିଲେ। ଏହି କ୍ରମରେ ଦେଶମାନଙ୍କ ଭିତରେ ଶାନ୍ତି ପ୍ରତିଷ୍ଠା ପ୍ରଭାବଶାଳୀ ହୋଇଥିଲା। ଶାନ୍ତି ମତବାଦ ସମ୍ମୁଖରେ ରାଷ୍ଟ୍ରମାନଙ୍କର ଯୁଦ୍ଧନୀତି ଅକ୍ଳେଶରେ ପରାଜୟ ସ୍ୱୀକାର କରିଥିଲା।

ଇତିହାସର ଏକ ସମୟରେ ସମ୍ରାଟ ପୁଣ୍ୟଶ୍ଳୋକ ଅଶୋକ ଘୋଷଣା କରିଥିଲେ ‘ହିଂସା ପ୍ରଣୋଦିତ ତରବାରିର ଜୟ, ଜୟ ନୁହେଁ’; ଅହିଂସା, ଦୟା ଓ ପବିତ୍ରତାର ଜୟ ହିଁ ପ୍ରକୃତ ଜୟ। ମହାମାନବ ମହାତ୍ମା ଗାନ୍ଧୀ ସମସ୍ତ ବିଶ୍ୱ ଜନତା ପ୍ରତି ରଖି ଯାଇଛନ୍ତି ତାଙ୍କର ଅମରବାଣୀ ‘ସତ୍ୟ ଓ ଅହିଂସା’। ଶାନ୍ତିପ୍ରତିଷ୍ଠାତାମାନେ ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରନ୍ତି। ଏହାକୁ ବିଶ୍ୱର ବହୁ ମହାମାନବ ଓ ବିଭିନ୍ନ ଧର୍ମଗ୍ରନ୍ଥ ସ୍ୱୀକାର କରିଛନ୍ତି। ମାନବ ଜାତି ଶାନ୍ତିରେ ସହାବସ୍ଥାନ ଓ ମାନବିକ ବିକାଶ ପାଇଁ ପୃଥିବୀରେ ଯୁଦ୍ଧବିରୋଧୀ ବଳିଷ୍ଠ ଜନମତ ସୃଷ୍ଟି କରିବା ଆବଶ୍ୟକ। ଦେଶ-ଦେଶ ମଧ୍ୟରେ ଯୁଦ୍ଧ ସଂଗଠିତ ନ ହେବା ପାଇଁ ମିଳିତ ଜାତିସଂଘର ପ୍ରଚେଷ୍ଟା ଜାରି ରହୁ। ସର୍ବୋପରି ମହାତ୍ମା ଗାନ୍ଧୀଙ୍କ ଅମରବାଣୀ ‘ସତ୍ୟ ଓ ଅହିଂସା’ ଆମ୍ଭମାନଙ୍କ ମନରେ ଉଜ୍ଜୀବିତ ହେଉ। ସମଗ୍ର ବିଶ୍ୱରେ ପରମ ଶାନ୍ତି ବିରାଜମାନ କରୁ।

Comments are closed.