ଜୈବିକ କୃଷି ପଦ୍ଧତି ଅବଲମ୍ବନ ସହ ଶିକ୍ଷାହାର ଅଧିକ ହେଲେ ଓଡ଼ିଶାର ପ୍ରଗତି ହେବ
ରାଜ୍ୟପାଳ ରଘୁବର ଦାସଙ୍କ ଦିନିକିଆ କେନ୍ଦୁଝର ଗସ୍ତ
କେନ୍ଦୁଝର: ରାଜ୍ୟପାଳ ରଘୁବର ଦାସ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ଚାଷୀ, ସ୍ୱୟଂସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ ଆଶାକର୍ମୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟପାଳ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ରାଇସୁଆଁ ଏୟାରଷ୍ଟ୍ରିପ ପଡିଆରେ ଓହ୍ଲାଇ କାର ଯୋଗେ ଟିକରପଡ଼ା ଯାଇ ସେଠାକାର ମହିଳା ଚାଷୀ ଓ ଚାଷୀ ଉତ୍ପାଦକ ସଂଘ ଦ୍ୱାରା ଉତ୍ପାଦିତ କୃଷିକାର୍ଯ୍ୟ ସମ୍ପର୍କରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ମହିଳା ଚାଷୀଙ୍କ ଦ୍ୱାରା ବିଲାତି ଓ ବାଇଗଣ ଆଦି ପରିବା ଦେଖି ଖୁସି ବ୍ୟକ୍ତ କରିଥିଲେ ରାଜ୍ୟପାଳ। ଏହାପରେ ଟିକରପଡ଼ା ଠାରେ ଆୟୋଜିତ ମହିଳା ଚାଷୀ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାର ଚାଷୀଙ୍କ ଆୟବୃଦ୍ଧି ପାଇଁ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ରାଜ୍ୟପାଳ ଆଲୋଚନା କରିଥିଲେ।
ରାସାୟନିକ ସାର ପ୍ରୟୋଗ ବନ୍ଦ କରି ଜୈବିକ କୃଷି ପଦ୍ଧତି ଅବଲମ୍ବନ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ରାଜ୍ୟପାଳ। ସେଠାରୁ ରାଜ୍ୟପାଳ ହଳଦିଆଟାଙ୍ଗୀରି ଆଦର୍ଶ ଅଙ୍ଗନବାଡିକେନ୍ଦ୍ର ପରିଦର୍ଶନ ସମୟରେ ଅଙ୍ଗନବାଡିକର୍ମୀ ଓ ଅଭିଭାବକଙ୍କ ସହ ପୋଷଣ ଯୋଜନାର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା କରିଥିଲେ। ଟାଙ୍ଗରପଳସା ଗ୍ରାମରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରାଜ୍ୟପାଳ ଶ୍ରୀ ଦାସ ନରଣପୁର ସିଲାଇ ତାଲିମ କେନ୍ଦ୍ର ମହିଳାଙ୍କ ସହ ଆଲୋଚନା କରିବା ପରେ ସେଠାରେ ବଡି ଫେଡରେସନ ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ବଡି ଓ ପ୍ୟାପର ମାଚ୍ ଷ୍ଟଲ ବୁଲି ଦେଖିବା ସହ ଫେଡେରେସନ ମହିଳାଙ୍କ ସହ ଆଲୋଚନା କରିଥିଲେ।
ଉତ୍ପାଦିତ ବଡି ହେଇକି ଅନ୍ୟାନ୍ୟ ସାମଗ୍ରୀ ସଠିକ୍ ସଞ୍ଚାଳନ କରିବା ସହ ବଜାର ନୀତି ଅନୁଯାୟୀ ବ୍ୟବସାୟ କରିବାକୁ ମିଶନ ଶକ୍ତି ମା’ମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏଥିସହ ମହିଳାମାନଙ୍କୁ ଶିକ୍ଷିତ ହେବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ସେମାନଙ୍କ ଆୟରୁ କିଛି ଅଂଶ ନିଜ ପୁଅ କିମ୍ବା ଝିଅଙ୍କ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ରାଜ୍ୟରେ ଶିକ୍ଷାହାର ଅଧିକ ହେଲେ ଓଡ଼ିଶାର ପ୍ରଗତି ସମ୍ଭବ ବୋଲି ରାଜ୍ୟପାଳ ଶ୍ରୀ ଦାସ ମା’ମାନଙ୍କୁ ଉଦ୍ବୋଧନଛଳରେ ଏହା କହିଥିଲେ। ସେଠାରୁ ବକ୍ସିବାରିଗାଁସ୍ଥିତ ଗ୍ରାମୀଣ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ। ରାଜ୍ୟପାଳ ଶ୍ରୀ ଦାସ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ରୋଗୀଙ୍କ ସହ ଆବଶ୍ରକୀୟ ଚିକିତ୍ସା ସେବା ଉପଲବ୍ଧ ସମ୍ପର୍କରେ ଆଲୋଚନା କରିଥିଲେ।
ସେଠାରୁ ସର୍କିଟ୍ହାଉସ୍କୁ ଫେରି ମଧ୍ୟାହ୍ନଭୋଜନ ପରେ ରାଜ୍ୟପାଳ କେନ୍ଦୁଝର ଜିଲାର ଆରାଧ୍ୟଦେବତା ପୁରୁଣାବଜାରସ୍ତିତ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିବା ସହ ମନ୍ଦିର ପରିକ୍ରମା ପରେ ଘଟଗାଁ ଅଭିମୁଖେ ଯାତ୍ରା କରି ସେଠାରେ ଜିଲାର ଆରାଧ୍ୟା ଦେବୀ ମା’ତାରିଣୀଙ୍କ ଦର୍ଶନ ସହ ସାନିଧ୍ୟ ଲାଭ ପରେ ବାରିପଦା ଅଭିମୁଖେ ଯାତ୍ରା କରିଥିଲେ। ରାଜ୍ୟପାଳଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Comments are closed.