ଘର ସମ୍ମୁଖରେ ଏନଏସିର ସର୍ବ ସାଧାରଣ  ଶୌଚାଳୟ ନିର୍ମାଣକୁ ବିରୋଧ  

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି   ଦ୍ଵାରା  ୱାର୍ଡ ନଂ୧୧ ସ୍ଥିତ ମିଲପଡ଼ାରେ ଏବେ  ନିର୍ମାଣ କରାଯାଉଛି  ସର୍ବ ସାଧାରଣ ଶୌଚାଳୟ। କିନ୍ତୁ ଏହି ଶୌଚାଳୟ ନିର୍ମାଣକୁ ନେଇ  ଉକ୍ତପଡ଼ାର ସ୍ଥାୟୀ ବାସିନ୍ଦା ଜୟରାମ  ବେହେରା ବିରୋଧ ସହ ଉକ୍ତ ଶୌଚାଳୟକୁ ଅନ୍ୟତ୍ର ନିର୍ମାଣ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଥିବା ଜଣାପଡିଛି ।
ପ୍ରକାଶ ଥାଉ କି ଶ୍ରୀ ବେହେରା ଏହି ସରକାରୀ ଜାଗାରେ  ଦୀର୍ଘ ୨୦ ବର୍ଷ ଧରି ଏହି ମିଲପଡ଼ାରେ ରହି ଆସୁଛନ୍ତି । ଏହି ବାସ ସ୍ଥାନ ଅନୁସାରେ ତାଙ୍କର ରାସନ୍  କାର୍ଡ, ଭୋଟର କାର୍ଡ ଓ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଛି ଏକ ସ୍ଥାୟୀ ବାସିନ୍ଦା ଭାବରେ। ସେ ଗରିବ ଶ୍ରେଣୀର  ହୋଇଥିବାବେଳେ ଗାଡ଼ି ଚଳାଇ  ପରିବାର  ପ୍ରତିପୋଷଣ କରନ୍ତି।
ଏଠାରେ ଆହୁରି ଅନେକ ଲୋକ ଘର କରି  ଦୀର୍ଘ ବର୍ଷ ଧରି ରହୁଛନ୍ତି। କିନ୍ତୁ ଏବେ ତାଙ୍କ ଘର   ସମ୍ମୁଖରେ ଏନଏସିର ସାଧାରଣ ଶୌଚାଳୟ ତିଆରି କରିବା ପାଇଁ ଗାତ ଖୋଲାଯାଇଛି। ସାଧାରଣ ଶୌଚାଳୟ  ତିଆରି ହେଲେ ସେଠାରେ ଦିନରାତି ଅନେକ ଲୋକଙ୍କର ଯିବା ଆସିବା ରହିବ ।  ଫଳରେ ପରିବାର ବର୍ଗ ଅସୁବିଧା  ସମ୍ମୁଖୀନ ହେବା ସହ ଝିଅ ବୋହୂମାନେ ପଦାକୁ ବାହାରିବା ମଧ୍ୟ କଷ୍ଟ ସାଧ୍ୟ ହେବ । ଏହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଅନ୍ୟତ୍ର ତିଆରି କରିବାକୁ  କର୍ତ୍ତୃପକ୍ଷଙ୍କୁ ସେ ଅନୁରୋଧ କରିଥିଲେ।
କିନ୍ତୁ ଠିକାଦାର ତାଙ୍କ କଥା ଆଦୌ ଶୁଣି ନ ଥିଲେ।   ସେ  ଏହି ଶୌଚାଳୟ ତିଆରି କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଏନଏସି କାର୍ଯ୍ୟ ନିର୍ବାହୀ  ଅଧିକାରୀ ସତ୍ୟ ନାରାୟଣ  ତାଣ୍ଡିଙ୍କୁ ଲିଖିତ ଭାବରେ ଜଣାଇଥିଲେ। ଏହାପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜେ ସେ ସ୍ଥାନକୁ ଯାଇ କାମକୁ ବନ୍ଦ କରିବାକୁ କହିଥିଲେ। ଏହାସତ୍ତ୍ବେ ଅଧିକାରୀଙ୍କ କଥାକୁ ମଧ୍ୟ ଏଡ଼ାଇ ଦେଇ କାମ ଆଗେଇ ଚାଲିଥିବା  ଦେଖିବାକୁ ମିଳୁଛି ।
ଲୋକଙ୍କ ସୁବିଧା ପାଇଁ ଶୌଚାଳୟ ନା ଲୋକମାନଙ୍କୁ  ଅସୁବିଧାରେ ପକାଇବା ପାଇଁ ଏମିତି ସରକାରୀ ଯୋଜନା ତାହା କିଛି ବୁଝି ହେଉନାହିଁ । ଉକ୍ତ  ଶୌଚାଳୟ ନିର୍ମାଣ ସ୍ଥଳ  ବିସ୍ତୀର୍ଣ୍ଣ ସରକାରୀ ସ୍ଥାନ ଖାଲି ପଡ଼ିଥିବା ବେଳେ ଏହି ଗରିବ ପରିବାର ଙ୍କ  ଘର ସମ୍ମୁଖରେ କାହିଁକି ନିର୍ମାଣ କରାଯାଉଛି ? ଏପରିକି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ  କଥାକୁ ମଧ୍ୟ ଭ୍ରୁକ୍ଷେପ ନ କରି କାମକୁ ଆଗେଇ ନେଉଥିବା ପଛରେ  କି ସ୍ବାର୍ଥ ରହୁଛି! ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏହି ଘଟଣା କୁ ନେଇ। ତେବେ  ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ପାଇଁ ଦାବୀ ଜଣାଇଛନ୍ତି ।
prayash

Comments are closed.