ଉତ୍ସବକୁ ଆଦର, ଖେଳାଳିଙ୍କ ଏନୁଡ଼ିଶାଳକୁ ଅନାଦର
ଭବାନୀପାଟଣା: ସ୍ଥାନୀୟ ଲାଲ ବାହାଦୁର ଷ୍ଟାଡିୟମରେ ଗତ ୨୬ ବର୍ଷ ଧରି କଳାହାଣ୍ଡି ଉତ୍ସବ ଘୁମୁରା ପାଳିତ ହେଇ ଆସୁଚି। ଏଥିରେ ବହୁ ଟଙ୍କା ଖର୍ଚ୍ଚ ହେଉଛି। ଅଥଚ ବର୍ଷ ପରେ ବର୍ଷ ବିତି ଯାଉଥିଲେ ବି ଉତ୍ସବ ପାଇଁ ସ୍ବତନ୍ତ୍ର ପଡିଆ ଟିଏ ଚିହ୍ନଟ ହେଇପାରିଲାନାହିଁ। ଫଳରେ ଖେଳାଳିଙ୍କ ଏନ୍ତୁଡ଼ିଶାଲ କୁହାଯାଉଥିବା ଲାଲ ବାହାଦୁର ଷ୍ଟାଡିୟମ ଏବେ ଖେଳାଳିଙ୍କ କାମରେ ଆସୁନାହିଁ।
ଉଲ୍ଲେଖଯୋଗ୍ୟ ଯେ କଳାହାଣ୍ଡିରେ ବିଭିନ୍ନ ଖେଳ ଏବଂ ଖେଳାଳି ଙ୍କୁ ପ୍ରୋତ୍ସାହନ ଦେବାରେ ଲାଲବାହାଦୂର୍ ଷ୍ଟାଡିୟମ୍ ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ର ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଠୁଁ ଆରମ୍ଭ କରି ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରର ଫୁଟବଲ, କ୍ରିକେଟ ଆଦି ଅନେକ ମ୍ୟାଚ୍ ଏଠାରେ ଆୟୋଜିତ ହେଉଥିଲା। ପୁଣି ସହରରେ ସ୍ଥାନାଭାବ ଯୋଗୁଁ ସକାଳ ସନ୍ଧ୍ୟାରେ ୱାକରସ ଗ୍ରୁପ୍ ଷ୍ଟାଡିୟମ୍ ପରିସରକୁ ବ୍ୟବହାର କରନ୍ତି। ବର୍ଷର ସବୁ ସମୟରେ ଏକା ସାଙ୍ଗେ ତିନିରୁ ଚାରିଟି ଦଳ ଏଠାର କ୍ରିକେଟ , ଭଲିବଲ୍, ଫୁଟବଲ ଆଦି ଅଭ୍ୟାସ କରନ୍ତି। ପୁଣି ଷ୍ଟାଡିୟମର ଗୋଟାଏ ପାର୍ଶ୍ଵରେ ଟେବୁଲ୍ ଟେନିସ କୋର୍ଟ ରହିଛି। ଏଣୁ ଲାଲ ବାହାଦୁର ଷ୍ଟାଡିୟମ୍ ସବୁ ବର୍ଗ ଓ ବୟସର ଖେଳାଳିଙ୍କୁ ନିଜର କ୍ରୀଡା ନିପୁଣତା ପ୍ରଦର୍ଶନ ପାଇଁ ସଂପୂର୍ଣ୍ଣ ସୁଯୋଗ ଦେଇଆସୁଛି।
ଅଥଚ ବିଭିନ୍ନ ସମୟରେ ହର୍ବାଲ ମେଳା, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ତିନି ପ୍ରମୁଖ ଦଳର ବଡ଼ ବଡିଆ ନେତା ଙ୍କ ସଭା, ପ୍ରବଚନ ଆଦି ପାଇଁ ଷ୍ଟାଡିୟମ ପରିସର କୁ ବ୍ୟବହାର କରାଯାଉଛି। ଏଥିପାଇଁ ବର୍ଷ ର ବିଭିନ୍ନ ସମୟରେ ଦିନ ଦିନ ଧରି ଖେଳାଳି ଙ୍କ ଅଭ୍ୟାସ ବନ୍ଦ ରହେ। ପୁଣି ନିୟମିତ କଳାହାଣ୍ଡି ଉତ୍ସବ ଘୁମୁରା ଏଠାରେ ଆୟୋଜନ କରାଯାଉଥିବାରୁ ଖେଳାଳି ଙ୍କ ପାଇଁ ବାଧକ ସାଜେ। ବିଶେଷକରି କାର୍ଯ୍ୟକ୍ରମ ଗୁଡ଼ିକ ସମାପ୍ତ ହେବା ପରେ ବାଉଁଶ ପୋତା ଖାଲ ଏବଂ ବହୁ ପରିମାଣ ର କଣ୍ଟା ଖେଳାଳି ଙ୍କ ପାଇଁ କାଳ ସାଜେ। ହେଲେ ଖେଳାଳି ଙ୍କ ଏସବୁ ସମସ୍ୟାକୁ ଆୟୋଜକ ମାନେ ଅଣଦେଖା କରି ଦିଅନ୍ତି।
ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ କଲାହାଣ୍ଡି ଉତ୍ସବ ଘୁମୁରା ଆୟୋଜନ ସକାଶେ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ପାଇଁ ଭବାନିପାଟଣା ର ତତ୍କାଳୀନ ବିଧାୟକ ଅନାମ ନାଏକ ବିଧାନସଭାରେ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାକୁ ଭିତ୍ତି କରି ସହର ଉପକଣ୍ଠ ଭବାନିପାଟଣା ମୌଜା ର ଖାତା ନମ୍ବର ୧୪୫୪, ପ୍ଲଟ ନଂ ୭ , ସାଗର କିସମ ଜମି ୧୦ ଏକର ଚିହ୍ନଟ କରାଯାଇଥିବା ବିଧାନସଭାରେ ଉତ୍ତର ଦିଆଯାଇଥିଲା। ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ର ପତ୍ର ସଂଖ୍ୟା ୧୧୪୨/ ୦୯.୦୨.୨୦୧୫ ରେ ଉଲ୍ଲେଖ ଥିବା କୁହାଯାଇଥିଲା।
ଏପରିକି ଘୁମୁରା ଉତ୍ସବ ପାଳନ ପାଇଁ କଲ୍ଚରାଲ କମ୍ପ୍ଲେକ୍ସ, ହଲ ନିର୍ମାଣ ସକାଶେ ୨ ରୁ ୩ କୋଟି ମଞ୍ଜୁର ପାଇଁ ବ୍ୟବସ୍ଥା ଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ତତ୍କାଳୀନ ସିଇଓ ଙ୍କ ପତ୍ର ସଂଖ୍ୟା ୭୩୭୦୧/ ୨୫.୦୮.୨୦୧୬ ରେ ଉଲ୍ଲେଖ ରହିଛି। ସେହିଭଳି ସ୍ଥାନ ଚିହ୍ନଟ ପାଇଁ ୮ଜଣିଆ କମିଟି ଗଠନ ହେଇଥିବା ସଦର ଉପ ଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା ୩୩୪୭/୦୪.୦୫.୨୦୧୭ ରେ ଉଲ୍ଲେଖ ଅଛି। ଚିହ୍ନଟ ସ୍ଥାନର ନିରୀକ୍ଷଣ ଏବଂ ଜମି ହସ୍ତାନ୍ତର ପ୍ରକ୍ରିୟା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ପତ୍ର ସଂଖ୍ୟା ୨୬୫/ ୦୩.୦୨.୨୦୨୩ ରେ ସଦର ତହସିଲଦାର ଙ୍କୁ ଅନୁରୋଧ କରାଯାଇଛି। ବାସ, ୨୬ ବର୍ଷ ରେ ପାଦ ଥାପିଥିବା ଏକ ଜିଲ୍ଲା ସ୍ତରୀୟ ଉତ୍ସବ ର ସ୍ବତନ୍ତ୍ର ସ୍ଥାନ ପାଇଁ ସରକାରୀ ଉଦ୍ୟମ କେବଳ ଚିଠି ଦିଆ ନିଆ ରେ ସୀମିତ ରହିଛି।
ହେଲେ ଚିହ୍ନଟ ଜାଗା ଟି ଏଯାଏଁ ସଂସ୍କୃତି ବିଭାଗ କୁ ହସ୍ତାନ୍ତର ହେଇ ପାରିଲା ନାହିଁ। ଗୋଟାଏ ପଟେ ଲାଲ ବାହାଦୁର ଷ୍ଟାଡିୟମର ଜାଗା ଅନେକ ଲୋକଙ୍କ ଦ୍ୱାରା ଜବରଦଖଲ ହେଇଛି। ପୁଣି ଜିଲ୍ଲା ସ୍ତରୀୟ ଉତ୍ସବ, ଅନୁଷ୍ଠାନ ବେଳେ ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ରେ ଟ୍ରାଫିକ ସମସ୍ୟା ଦେଖାଦିଏ। ଏଥିପାଇଁ ସ୍ଥାନୀୟ ଅଧିବାସୀ ମାନେ ମଧ୍ୟ ଅଣ ନିଶ୍ବାସୀ ହେଇପଡନ୍ତି। ଏଣୁ ଖେଳ ,ଖେଳାଳି ତଥା ସ୍ଥାନୀୟ ଅଞ୍ଚଳବାସୀ ଙ୍କ ଏକ ବୃହତ୍ତର ସ୍ବାର୍ଥ କୁ ଦୃଷ୍ଟି ରେ ରଖି ଏବେଠୁ ଜାଗା ହସ୍ତାନ୍ତର ପାଇଁ ସରକାରୀ ପ୍ରକ୍ରିୟା ତ୍ୱରାନ୍ୱିତ ହେଲେ, ଅନ୍ତତଃ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ନୂତନ ସ୍ଥାନରେ ଆୟୋଜନ କରାଯାଇ ପାରନ୍ତା। ଏଥିସହିତ କ୍ରୀଡାବିତ ମାନଙ୍କୁ ଦହଗଞ୍ଜ ହେବାକୁ ପଡ଼ନ୍ତା ନାହିଁ ବୋଲି ଜିଲ୍ଲାବ୍ୟାପୀ ସବୁ ମହଲ ରେ ମତ ପ୍ରକାଶ ପାଉଛି।
Comments are closed.