ମାଟିରେ ମିଶିବ ଭୁଏମୁଣ୍ଡା କଟା, ପାଳଟିଛି ଅରମା ଜଙ୍ଗଲ
ରେଙ୍ଗାଲି: ସରକାର ପାରମ୍ପାରିକ ଜଳସ୍ତର ପୁନଃରୁଦ୍ଧାର ,ଜଳ ସମ୍ପଦ ର ବିକାଶ ଏବଂ ଜମିକୁ ଜଳ ଯୋଗାଣ ପାଇଁ ଅଜତ୍ସ ଯୋଜନା କାର୍ଯ୍ୟକାରି କରୁଛନ୍ତି। ପାରମ୍ପାରିକ ଜଳ ଉତ୍ସ ଗୁଡିକର ପୁନଃରୁଦ୍ଧାର ପାଇଁ ଅଗ୍ରାଧିକାର ଦିଆଯାଉଛି ବୋଲି ସରକାର କହୁଛନ୍ତି। କାଗଜ କଳମରେ ସବୁ ଚକାଚକ୍ ବୋଲି ବିଜ୍ଞାପନର ଡେଙ୍ଗୁରା ବି ବାଜୁଛି।
ତେବେ ଚିତ୍ର ଏବଂ ବାସ୍ତବିକତା ମଧ୍ୟରେ ଆକାଶ ପାତାଳର ଫରକ୍ ଦେଖିବାକୁ ମିଳୁଛି। ରେଙ୍ଗାଲି ବ୍ଳକର ତବଡାବାହାଲ ପଞ୍ଚାୟତର ଆଦିାବାସୀ ଅଧ୍ୟୁଷିତ ଗାଁ ଭୁଏମୁଣ୍ଡା ଗ୍ରାମରେ ଥିବା ଏକ କଟା ଏହାର ଜ୍ୱଳନ୍ତ ନମୁନା ଅଟେ। ପ୍ରାୟ ୫ଏକର ପରିମିତ ଏହି କଟା ର ପ୍ରାୟ ୨୫ ବର୍ଷ ହେଲା ମୃତ୍ତିକା ଖନନ, ପଙ୍କୋଦ୍ଧାର କିମ୍ବା ପୁନଃରୁଦ୍ଧାର କରାଯାଇ ନଥିବାରୁ କଟା ପୋତି ହେବାକୁ ବସିଲାଣି।
ଏବେ କଟା ପାଣିରେ ପୂର୍ଣ ଗର୍ଭା ହେବା କଥା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଭୁଏମୁଣ୍ଡା କଟାରେ ଅନାବନା ଘାସବୁଦା ଓ ଗଛରେ ପରିପୂର୍ଣ ହୋଇ ଅରମା ଜଙ୍ଗଳ ରେ ପରିଣତ ହୋଇଛି। ଏହି କଟାରେ ଏକଦା ପଞ୍ଚାୟତ ତରଫରୁ ଠିକା ଦିଆଯାଇ ମାଛ ଚାଷ କରାଯାଇ ରାଜସ୍ୱ ଆଦାୟ ହେଉଥିଲା। ଲୋକେ ମରୁଡି ସମୟରେ ପାଣି ଉଠାଇ ଫସଲକୁ ମରୁଡି ଦାଉରୁ ଫସଲକୁ ରକ୍ଷା କରିବା ସହିତ ରବି ଚାଷ ବି କରୁଥିଲେ।
କିନ୍ତୁ ପରିତାପର ବିଷୟ ଯେ ଗତ୨୫ ବର୍ଷ ହେଲା ଏହି କଟାର ରକ୍ଷାବେକ୍ଷଣ ଓ ପୁନଃରୁଦ୍ଧାର କରାଯାଇ ନଥିବାରୁ ଏହା ଏବେ ମାଟି ରେ ବିଳିନ ହେବାର ଦ୍ୱାର ଦେଶରେ ଉପନୀତ। ସରକାର ବିଗତ ୨୫ ବର୍ଷ ମଧ୍ୟରେ ଜମିକୁ ଜଳ, ଆଦର୍ଶ ପୁଷ୍ଲରିଣୀ , ମହାବନ୍ଧ ଯୋଜନା,ଅମୃତ ସରୋବାର ଜଳ ବିଭାଜିକା ପ୍ରକଳ୍ପ ଆଦି କେତେ କେତେ ଯୋଜନା କାର୍ଯ୍ୟକାରି କରି କୋଟି କୋଟି ଟଙ୍କାର ବ୍ୟୟ କରୁଛନ୍ତି।
ତେବେ ଚରମ ବିଡମ୍ବନାର ବିଷୟ ଯେ ଭୁଏମୁଣ୍ଡା କଟା ପାଇଁ ସରକାରଙ୍କ ତଥା କଥିତ ଯୋଜନାରୁ କାଣି କଉଡି ଟିଏ ମଞ୍ଜୁର ହୋଇ ନାହିଁ। ଏହି ଅଞ୍ଚଳରୁ ପ୍ରତିନିଧିତ୍ବ କରୁଥିବା ଜନପ୍ରତିନିଧି ଜିଲା ଓ ବ୍ଳକ୍ ପ୍ରଶାସନ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଭୁଏମୁଣ୍ଡା ଜନ ସଧାରଣ ଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି କଟାର ସମ୍ପୂର୍ଣ ପୁନଃରୁଦ୍ଧାର କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Comments are closed.