ରାସ୍ତା କଡ଼ରେ ଅଳିଆ ଗଦା,ବଢ଼ୁଛି ପ୍ରଦୂଷଣ
ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ନମ୍ବର ୱାର୍ଡ଼ ନୂଆସାହିରେ ପ୍ରତିଷ୍ଠା କରାଯାଇଥିବା ମଳପଙ୍କ ବିଶୋଧନାଗାର ସମ୍ମୁଖ ରାସ୍ତା କଡ଼ରେ କୁଢ଼କୁଢ଼ ଅଳିଆ ଜମାହୋଇ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଠି କଲାଣି । ଏହି ଅଳିଆ ଅବର୍ଜନା ଦୀର୍ଘଦିନ ଧରି ଜମା ହୋଇ ରହିବା ଫଳରେ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଠି ହେବା ସାଙ୍ଗକୁ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେବାରେ ଲାଗିଲାଣି ।ସୂଚନାଯୋଗ୍ୟଯେ ପୌରପାଳିକାର ବିଭିନ୍ନ ୱାର୍ଡ଼ର ଅଳିଆ ଅବର୍ଜନା ପରିଚାଳନା ପାଇଁ ନୂଆ ସାହିରେ ଏକ ମଳପଙ୍କ ବିଶୋଧନାଗାର ଓ ଖତ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ପୌରପାଳିକା ତରଫରୁ ମଳବୂହା ଗାଡ଼ି ଓ ଅଳିଆ ଗାଡ଼ିରେ ବର୍ଜ୍ୟବସ୍ତୁକୁ ଉକ୍ତ କେନ୍ଦ୍ରକୁ ନିଆ ଯାଇଥାଏ । ହେଲେ ଉକ୍ତ କେନ୍ଦ୍ରଟିରେ ଏସବୁ ବର୍ଜ୍ୟବସ୍ତୁ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ସଫେଇ କର୍ମଚାରୀ ମାନେ ବିଭିନ୍ନ ୱାର୍ଡ଼ରୁ ଆଣୁଥିବା ବର୍ଜ୍ୟବସ୍ତୁକୁ ମଳପଙ୍କ ବିଶୋଧନ କେନ୍ଦ୍ର ସମ୍ମୁଖ ରାସ୍ତା କଡ଼ରେ ଢ଼ାଳି ଦେଉଛନ୍ତି ।
ରାସ୍ତାକଡ଼ରେ ଜମାହୋଇ ରହୁଥିବା ପ୍ଲାଷ୍ଟିକ ଜରି,ବୋତଲ ଆଦି ସହିତ ଯାବତୀୟ ବର୍ଜ୍ୟବସ୍ତୁ ଏବେ ଅଞ୍ଚଳର ପରିବେଶକୁ ପଦୂଷିତ କରି ଦେଲାଣି ।୍ରାସ୍ତା କଡ଼ରେ ଜମା ହୋଇଥିବା ଅବର୍ଜନା ହଟାଇବାକୁ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁୁ ପୌରକାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରା ଯାଇଥିଲେହେଁ ପୌରପାଳିକା ତରଫରୁ ଅଳିଆ ହଟାଇବା ଦିଗରେ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଅଭିଯୋଗ ହେଉଛିି । ପୌରପାଳିକାର ଏଭଳି ବେପରୱା ମନୋଭାବ ହେତୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ତୁରନ୍ତ ଉକ୍ତସ୍ଥାନ ସଫେଇ କାରିବା ସହିତ ଅବର୍ଜନା ସବୁକୁ ଅନ୍ୟତ୍ର ନେଇ ଯିବାପାଇଁ ୱାର୍ଡ଼ବାସୀଙ୍କ ତରଫରୁ ଦାବି କରାଯାଇଛି ।
Comments are closed.