ସୁନାବେଶରେ ମା’ତାରିଣୀଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ
କେନ୍ଦୁଝରଗଡ: ଇଂରାଜୀ ନବବର୍ଷ ୨୦୨୪ ସମଗ୍ର ମାନବ ସମାଜର ମଙ୍ଗଳମୟ କାମନା କରି ସୋମବାର ଘଟଗାଁସ୍ଥିତ ମା’ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତ ପୂଜାର୍ଚ୍ଚନା କରି ସାନିଧ୍ୟ ଲାଭ କରିଛନ୍ତି। ଭୋର ୪ଟା ୪୫ମି. ସୁଦ୍ଧା ସକାଳ ଆଳତୀ ଶେଷ ପରେ ମା’ ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଭକ୍ତଙ୍କ ଭିଡକୁ ଆଖିଆଗରେ ରଖି ମନ୍ଦିରବେଢ଼ା ଭିତରେ ଓ ବାହାରେ ଭକ୍ତ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ମା’ଙ୍କୁ ଦର୍ଶନ କରିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭକ୍ତଙ୍କ ଭିଡକୁ ଆଖିଆଗରେ ରଖି ଯେମିତି ସମସ୍ତ ଭକ୍ତ ମା’ଙ୍କୁ ସୁବିଧାରେ ଦର୍ଶନଲାଭ କରିପାରିବେ ସେ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମା’ଙ୍କ ନିକଟରେ ଭୋଗ ଲାଗି ପାଇଁ ସ୍ୱତନ୍ତ୍ର ଏବଂ ସାଧାରଣ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥାର ଅୟୋଜନ କରାଯାଇ ଶୃଙ୍ଖଳିତ ଭାବେ ପୂଜାର୍ଚ୍ଚନା ଓ ଦର୍ଶନ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ନୂଆବର୍ଷ ଉପଲକ୍ଷେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଲକ୍ଷାଧିକ ଭକ୍ତଙ୍କୁ ମା’ଙ୍କ ଭୋଗଲାଗି ନଡିଆରୁ ପ୍ରସ୍ତୁତ ଲଡୁ ମାଗଣାରେ ବଣ୍ଟନ କରାଯାଇଥିଲା।
ନୂଆବର୍ଷ ବଣଭୋଜି ପାଇଁ ଜିଲାର ବିଭିନ୍ନସ୍ଥାନକୁ ଘଟଗାଁ ଦେଇ ଆସୁଥିବା ପର୍ଯ୍ୟଟକ ମଧ୍ୟ ପ୍ରବଳ ଶୀତ ସତ୍ତ୍ବେ ରାସ୍ତାରେ ପଡୁଥିବା ନଦୀ ଓ ପୋଖରୀରେ ବୁଡ ପକାଇ ମା’ଙ୍କ ସାନିଧ୍ୟଲାଭ ପାଇଁ ଭୋରରୁ ଲମ୍ବାଧାଡିରେ ଠିଆ ହୋଇ ମା’ଙ୍କ ସାନିଧ୍ୟ ଲାଭ କରିଥିଲେ। ଆଜିର ଦିନରେ ମା’ଙ୍କ ଦର୍ଶନ ଲାଭକରି ସାନିଧ୍ୟ ଲାଭ କଲେ ବର୍ଷତମାମ୍ କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ମନରେ ଶାନ୍ତି ମିଳିବା ଆଶାରେ ମା’ଙ୍କୁ ଦର୍ଶନ ନିମନ୍ତେ ସନ୍ଧ୍ୟା ଆଳତୀ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।
ସେହିପରି ପୁରୁଣାବଜାରସ୍ଥିତ କେନ୍ଦୁଝର ଜିଲାର ରାଷ୍ଟ୍ରଦେବ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ମଧ୍ୟ ଦିନତମାମ୍ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ନୂଆବର୍ଷ ବଣଭୋଜି ପାଇଁ ରାଜ୍ୟ ପ୍ରସିଦ୍ଧ ସାନଘାଗରା, ବଡଘାଗରା, ଖଣ୍ଡାଧାର, ଗୋନାସିକା, ସିଦ୍ଧମଠ ଆଦି ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ପର୍ଯ୍ୟଟକ ବଣଭୋଜି ପୂର୍ବରୁ ପ୍ରଭୁ ବଳଦେବଜୀଉଙ୍କ ସାନିଧ୍ୟ ଲାଭ କରି ବର୍ଷତମାମ୍ ନିଜର ଓ ନିଜ ସମ୍ପର୍କୀୟଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଥିବା ଦେଖିବାକୁ ମିଳିଥିଲା। ସହରର ପୁରୁଣା ରାଜବାଟୀ ପରିସର ଗଡତାରିଣୀ ପୀଠରେ ମଧ୍ୟ ଦିନତମାମ୍ ଭକ୍ତଙ୍କ ଭିଡ ମନ୍ଦିର ପରିବେଶକୁ ଅଧିକ ଆଧ୍ୟାତ୍ମିକ କରି ତୋଳିଥିଲା।
Comments are closed.