ମହିଳା ଦିନିକିଆ:ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ
ଦୀପ୍ତିଙ୍କ ୫ ୱିକେଟ, ରିଚାଙ୍କ ୯୬ ରନ ବୃଥା; ୨ୟ ମ୍ୟାଚରେ ଭାରତ ପରାସ୍ତ
ମୁମ୍ବଇ : ଭାରତ ବିପକ୍ଷ ଚଳିତ ଦିନିକିଆ ମହିଳା କ୍ରିକେଟ ଶୃଙ୍ଖଳା ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଶନିବାର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୩ରନରେ ଭାରତକୁ ପରାସ୍ତ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି। ୨ରେ ଅନ୍ତିମ ମ୍ୟାଚ ଖେଳାଯିବ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୫୮ରନ କରିଥିଲା। ଜବାବରେ ଭାରତ ରିଚା ଘୋଷଙ୍କ ଲଢୁଆ ୯୬ରନ ସତ୍ତ୍ବେ ୨୫୫ରନ କରିବାକୁ ସକ୍ଷମ ହୋଇଥିଲା।
୨୫୯ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତର ଦୁଇ ଓପନର ପ୍ରଥମ ୱିକେଟରେ ୟାସ୍ତିକା ଭାଟିଆ ଓ ସ୍ମୃତି ମାନ୍ଧାନା ୩୭ରନ ସଂଗ୍ରହ କରିଥିଲେ। ୟାସ୍ତିକା ୧୪ରନ କରି ଆଉଟ୍ ହୋଇଥିଲେ। ମାନ୍ଧାନା ଓ ରିଚା ଘୋଷ ଦ୍ବିତୀୟ ୱିକେଟରେ ୩୪ରନ ସଂଗ୍ରହ କରିଥିଲେ। ୭୧ରନ ସ୍କୋରଥିବାବେଳେ ମାନ୍ଧାନା ୩୪ରନ କରି ଆଉଟ୍ ହୋଇଥିଲେ। ୩ୟ ୱିକେଟରେ ରିଚା ଘୋଷ ଓ ଜେମିମା ରୋଡିେଗ୍ବଜ ୮୮ରନ ଭାଗିଦାରୀ କରିଥିଲେ। ୧୫୯ରନ ସ୍କୋର ଥିବାବେଳେ ଜେମିମା ୪୪ରନ କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟର ପତନ ୧୭୧ରନରେ ଘଟିଥିଲା। ଅଧିନାୟିକା ହରମନପ୍ରୀତ କୌର ୫ରନ କରି ଆଉଟ୍ ହୋଇଥିଲେ। ପଞ୍ଚମ ୱିକେଟରେ ରିଚା ଓ ଦୀପ୍ତି ଶର୍ମା ୪୭ରନ ସଂଗ୍ରହ କରିଥିଲେ। ସ୍କୋର ୨୧୮ରନ ଥିବାବେଳେ ରିଚା ୯୬ରନ କରି ଆଉଟ୍ ହୋଇଥିଲେ। ରିଚାଙ୍କ ୱିକେଟ ପରେ ଅଷ୍ଟ୍ରେଲିଆ ମ୍ୟାଚକୁ ଫେରିଥିଲା। ଶେଷ ପର୍ଯ୍ୟନ୍ତ ଦୀପ୍ତି ଶର୍ମା ଲଢେଇ କରିଥିଲେ ମଧ୍ୟ ଭାରତ ୮ ୱିକେଟ ହରାଇ ୨୫୫ରନ କରିବାକୁ ସକ୍ଷମ ହୋଇଥିଲା। ଦୀପ୍ତି ୨୪ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆନାବେଲ ସଦରଲାଣ୍ଡ ୩ଟି ୱିକେଟ ନେଇଥିଲେ।
ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଅଧିନାୟିକା ଆଲିସା ହେଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ଓପନର ଫୋବେ ଲିଚ୍ଫିଲ୍ଡଙ୍କ ୬୩, ଏଲିସା ପେରୀ ୫୦ ରନ ବଳରେ ୮ ୱିକେଟ ହରାଇ ୨୫୮ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ତାହିଲା ମ୍ୟାକଗ୍ରାଥ୍ ୨୪, ଆନାବେଲ ସଦରଲାଣ୍ଡ ୨୩, ଜର୍ଜିଆ ଆହ୍ବାମା ୨୨, ଅାଲିସା ହେଲି ୧୩ ରନ କରି ଆଉଟ୍ ହୋଇଥିବାବେଳେ ଆଲାନ କିଙ୍ଗ ୨୮ ଓ କିମ୍ ଗ୍ରେଥ୍ ୧୧ରନ କରି ଅପରାଜିତ ରହିଥିଲେ। ଭାରତୀୟ ମହିଳା ଦଳ ପକ୍ଷରୁ ଦୀପ୍ତି ଶର୍ମା ୫ଟି, ପୂଜା ବତ୍ସାକାର,ଶ୍ରୀୟଙ୍କା ପାଟିଲ ଓ ସ୍ନେହ ରାଣା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୬ ୱିକେଟରେ ବିଜୟୀ ହୋଇଥିଲା।
Comments are closed.