ଅଳଙ୍କାର ଦୋକାନ ବିରୋଧରେ ଅଭିଯୋଗ, ସମ୍ବଲପୁରରେ ଜିଏସ୍ଟି ଚଢ଼ଉ
ସମ୍ବଲପୁର: ଗୁରୁବାର ସମ୍ବଲପୁର ସହରର ଏକ ଅଳଙ୍କାର ଦୋକାନ ଓ ଏହାର ମାଲିକଙ୍କ ବାସଭବନରେ ଜିଏସଟି ପକ୍ଷରୁ ଚଢ଼ଉ କରାଯାଇଛି। ଇନଭଏସ ବିଲରେ ଜିଏସଟି ନମ୍ବର ଉଲ୍ଲେଖ ନକରି ଗହଣା ବିକ୍ରି କରିବାରୁ ଏହି ଅଳଙ୍କାର ଦୋକାନ ବିରୋଧରେ ପୂର୍ବରୁ ଅଭିଯୋଗ ରହିଥିବା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏଣୁ ସମ୍ବଲପୁର ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଉପ ଆୟୁକ୍ତ ଟେକଚାନ୍ଦ ମେହେର ଓ ସହକାରୀ ଆୟୁକ୍ତ ଶୁଭ୍ରଜିତ ଦାସଙ୍କ ନେତୃତ୍ୱରେ ଉକ୍ତ ଅଳଙ୍କାର ଦୋକାନ ଓ ମାଲିକଙ୍କ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି। ଏଥିସହ ଏହି ଦୋକାନୀଙ୍କ ଝାରସୁଗୁଡାଠାରେ ମଧ୍ୟ ଏକ ଦୋକାନ ରହିଥିବାରୁ ସେଠାରେ ମଧ୍ୟ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ୧୪ ଜଣ ସିଟି ଓ ଜିଏସଟିର ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ପୁଲିସ ଅଧିକାରୀ ଓ କର୍ମଚାରୀ ସାମିଲ ରହିଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଆରମ୍ଭ ହୋଇଥିବା ଏହି ଚଢ଼ଉ ଅଭିଯାନ ରାତ୍ର ପ୍ରାୟ ୭ଟା ପର୍ଯ୍ୟନ୍ତ ଜାରି ରହିଥିଲା।
ଏହି ଚଢ଼ଉ ସମୟରେ ବ୍ୟବସାୟୀଙ୍କ କମ୍ପ୍ୟୁଟର, ବିକ୍ରି କାଗଜପତ୍ର, ଷ୍ଟକ, ମୋବାଇଲ, ବିଭିନ୍ନ କାଗଜପତ୍ର ଆଦି ନିଜ ହେପାଜତକୁ ଯାଞ୍ଚ ପାଇଁ ନେଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟବସାୟୀଙ୍କୁ ତାଙ୍କର କିଣାବିକା ସମ୍ବନ୍ଧିତ କାଗଜପତ୍ର ୨ ଦିନ ମଧ୍ୟରେ ପ୍ରଦାନ କରିବାକୁ ନୋଟିସ ଦିଆଯାଇଛି। ଯଦି ଟିକସ ଦେବାରେ କୌଣସି ପ୍ରକାରର ଅନିୟମିତତା ବାହାରିବ ତାହା ହେଲେ ଟିକସ ସମେତ ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି ଅଧିକାରୀ ଶୁଭ୍ରଜିତ ଦାସ କହିଛନ୍ତି। ପ୍ରାଥମିକ ଯାଞ୍ଚରେ ଆନୁମାନିକ ଲକ୍ଷାଧିକ ଟଙ୍କା ଟିକସ ଚୋରି ହୋଇଥିବାର ଅନୁମାନ କରାଯାଉଛି। ଅପରପକ୍ଷରେ ସମସ୍ତ କାଗଜପତ୍ର ରଖିଥିବାର ଦୋକାନ ମାଲିକ କହିବା ସହ ବିଭାଗକୁ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।
Comments are closed.