ଓଡ଼ିଶାରେ ମାର୍କ୍ସବାଦୀ ଚିନ୍ତାଧାରା ଓ ଆନ୍ତର୍ଜାତୀୟତାବାଦର ଆଦ୍ୟ ପ୍ରବର୍ତ୍ତକ ଥିଲେ ଭଗବତୀ ପାଣିଗ୍ରାହୀ

ଭୁବନେଶ୍ୱର: ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ ତଥା ଓଡ଼ିଆ ସାହିତ୍ୟରେ ମାର୍କ୍ସବାଦୀ ଚିନ୍ତାଧାରାର ଆଦ୍ୟ ପ୍ରବର୍ତ୍ତକ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୮୦ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ପାଳିତ ହୋଇଯାଇଛି।

prayash

ସିପିଆଇର ବରିଷ୍ଠ ନେତା ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ପାର୍ଟିର ରାଜ୍ୟ ସମ୍ପାଦକ ଅଭୟ ସାହୁ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ ଓ ସିପିଆଇ (ଏମଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ- ଆଧୁନିକ ଓଡ଼ିଶାର ଇତିହାସରେ କୁଳବୃଦ୍ଧ ମଧୁସୁଦନ ଓଡ଼ିଆ ଅସ୍ମିତା ଓ ଜାତୀୟତାର ପ୍ରତୀକ ଥିବାବେଳେ ଉତ୍କଳମଣି ଗୋପବନ୍ଧୁ ଦାସ ସ୍ୱାଧୀନତା ସଂଗ୍ରାମର ଜାତୀୟ ମହାସ୍ରୋତରେ ଓଡ଼ିଶାକୁ ସାମିଲ କରିଥିଲେ। ଠିକ୍ ସେହିଭଳି ଭଗବତୀ ଚରଣ ପାଣିଗ୍ରାହୀ ଓଡ଼ିଶାରେ ମାର୍କ୍ସବାଦୀ ଚିନ୍ତାଧାରା ଓ ଆନ୍ତର୍ଜାତୀୟତାବାଦର ଆଦ୍ୟ ପ୍ରବର୍ତ୍ତକ ଥିଲେ। ସେ ଥିଲେ ୧୯୩୪ରେ ଗଠିତ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ସମ୍ପାଦକ; ୧୯୩୫ରେ ନବଯୁଗ ସାହିତ୍ୟ ସଂସଦର ପ୍ରମୁଖ ବିନ୍ଧାଣୀ। ୧୯୩୬ରେ ସେ ଗୁରୁଚରଣ ପଟ୍ଟନାୟକ ଓ ପ୍ରାଣନାଥ ପଟ୍ଟନାୟକଙ୍କ ସହ ମିଶି ଓଡ଼ିଶାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ। ୧୯୦୮ରୁ ୪୩ ମାତ୍ର ୩୫ ବର୍ଷର ଜୀବନକାଳ ମଧ୍ୟରେ ସେ ନୂତନ ଯୁଗର ବାର୍ତ୍ତାବହ ସାଜି ଚିର ଅମର ହୋଇଯାଇଛନ୍ତି। ଆଜି ସାମ୍ପ୍ରଦାୟିକ ଫାସିଷ୍ଟ ଶକ୍ତିମାନେ କେନ୍ଦ୍ର କ୍ଷମତାକୁ ଅକ୍ତିଆର କରି ଆମ ଦେଶର ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷତାକୁ ବିପନ୍ନ କରୁଥିବାବେଳେ ଏହାକୁ ରକ୍ଷା କରିବା ପାଇଁ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ହେବା ସକାଶେ ସେମାନେ ଆହ୍ୱାନ ଦେଇଥିଲେ।

ଏହି ସମାରୋହରେ ନୂଆଦୁନିଆର ସମ୍ପାଦକ ରମେଶ ଚନ୍ଦ୍ର ପାଢ଼ୀ ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ‘ଭଗବତୀ ବିଶେଷାଙ୍କ’ ଉନ୍ମୋଚିତ ହୋଇଥିବାବେଳେ ପ୍ରାଣନାଥ ପଟ୍ଟନାୟକଙ୍କ ପୁତ୍ର ତଥା ବିଶିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଗୁରୁଚରଣ ପଟ୍ଟନାୟକଙ୍କ ପୁତ୍ର ବିପ୍ଳବ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାରୋହର ପ୍ରାରମ୍ଭରେ ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଭୁବନେଶ୍ୱର ଜୋନ ସମ୍ପାଦକ ସୁର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ସିପିଆଇ ଜାତୀୟ ପରିଷଦ ସଭ୍ୟ ଆଶିଷ କାନୁନ୍ଗୋ, ବିଶ୍ୱ ଶିକ୍ଷକ ସଂଘର ସଭାପତି ଅମିୟ ମହାନ୍ତି, ‘ଇସ୍କଫ୍’ର ଜାତୀୟ ସାଧାରଣ ସମ୍ପାଦକ ବିଜୟ ପଢ଼ିହାରୀ, ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ଉତ୍କଳ ମହିଳା ସମିତିର ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ ଏବଂ ସିପିଆଇ ରାଜ୍ୟ ପରିଷଦ ସଭ୍ୟ ବିଜୟ ମହାନ୍ତି ଓ ସତୀଶ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.