ବଙ୍ଗୋପସାଗରରେ ଘନୀଭୂତ ହେଉଛି ସାମୁଦ୍ରିକ ଝଡ଼ -ଓଡ଼ିଶାରେ କେବଳ ହାଲକା ବର୍ଷା
ଭୁବନେଶ୍ୱର- ଆରବ ସାଗରରେ ବାତ୍ୟା ତେଜ୍ ଓମାନ୍ ଏବଂ ୟେମନ ଉପକୂଳ ଆଡକୁ ମୁହାଁଉଛି । ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ପାରଦୀପଠାରୁ ୫୯୦ କିଲୋମିଟର ଦୂରରେ ରହିଛି ।
ଏହା ବାତ୍ୟା ରୂପ ନ ନେଇ ପାରେ ବୋଲି ଏମ୍ଜଓ ମଡେଲ୍ରୁ ଜଣା ପଡିଥିବା ବେଳେ ୨୩ ତାରିଖ ସନ୍ଧ୍ୟା ୬ ଟା ବେଳକୁ ଏହା ସାମୁଦ୍ରିକ ଝଡ ବା ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବା ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି ।
ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏଁ ସମୁଦ୍ର ଅଧିକ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ସେତେଟା ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗଭୀର ଅବପାତ ବାତ୍ୟାରେ ରୂପାନ୍ତରିତ ହେବା ପରେ ବାଙ୍ଗଲାଦେଶ ମୁହାଁ ହେବ। ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବର ସମ୍ଭାବନା ନ ଥିବା ଏସଆରସି କହିଛନ୍ତି।
Comments are closed.