ନବରଙ୍ଗପୁରର ମା’ ଭଣ୍ଡାର ଘରଣୀଙ୍କ ଶାରଦୀୟ ନବରାତ୍ର ଉତ୍ସବମୁଖର
ନବରଙ୍ଗପୁର : ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଶାରଦୀୟ ନବରାତ୍ର ଓ ଦଶହରା ମହାପର୍ବ ଉତ୍ସବ ମୁଖର ହୋଇଛି। ନବରଙ୍ଗପୁରର ମୁଖ୍ୟ ସ୍ଥଳିରେ ବିଜେ ପ୍ରତ୍ୟକ୍ଷ ଦେବୀ ମା’ ଭଣ୍ଡାର ଘରଣୀ। ଧନ ସମ୍ପଦ ଓ ଜୀବନ ର ରକ୍ଷାକର୍ତ୍ତ୍ରୀ ଦେବୀ ମା’ ଭଣ୍ଡାର ଘରଣୀ ପ୍ରଥମେ ରାଜପରିବାରଙ୍କ ଦ୍ବାରା ନବରଙ୍ଗପୁର ଜିଲାର ଜଗନ୍ନାଥପୁର ଗ୍ରାମ ଠାରେ ପ୍ରତିଷ୍ଠିତ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜାଙ୍କ ଦ୍ବାରା ନବରଙ୍ଗପୁର ଠାରେ ମା’ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ନବରଙ୍ଗପୁର ଇଷ୍ଟଦେବୀ ମା’ ଭଣ୍ଡାର ଘରଣୀ ସର୍ବଦା ଭକ୍ତଙ୍କୁ ସୁରକ୍ଷାଦେଇ ଆସୁଛନ୍ତି ।
ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ତଥା ନବରଙ୍ଗପୁର ଇଷ୍ଟ ଦେବୀ ତଥା ରାଜ ବଂଶର ଇଷ୍ଟଦେବୀ ମା’ ଭଣ୍ଡାର ଘରଣୀ ଙ୍କ ମନ୍ଦିର ନବରଙ୍ଗପୁର ସହର ଠାରୁ ପାଖାପାଖି ୩୫କିମି ଦୂର ରାଜାଙ୍କ ରାଜଧାନୀ ଜଗନ୍ନାଥ ପୁର ଠାରେ ୧୮୨୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ମା’ ଭଣ୍ଡାର ଘରଣୀ ରାଜ ବଂଶର ଭଣ୍ଡାର ଘରେ ପ୍ରଥମେ ପୂଜା ପାଉଥିଲେ। ପରବର୍ତ୍ତୀ ସମୟରେ ୧୮୩୨ ମସିହାରେ ରାଜା ଚୈତନ୍ୟ ଦେବ ରାଜଧାନୀ ଜଗନ୍ନାଥ ପୁରରୁ ନବରଙ୍ଗପୁର ସ୍ଥାନାନ୍ତର କରି ଜଗନ୍ନାଥ ପୂରରୁ ଆବାହନ କରି ନବରଙ୍ଗପୁରରେ ପ୍ରତିଷ୍ଠା କରିଥିଲେ। ପ୍ରଥମେ ଏକ ଚାଳ ଛପର ଘରେ ମା’ଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରାଯାଉଥିଲା ପରବର୍ତ୍ତୀ ସମୟରେ ୧୯୪୫-୪୬ ମସିହାରେ ଏକ ସିମେଣ୍ଟ କଂକ୍ରିଟ ବାରଣ୍ଡା ସହ ଟିଣ ଘର ନିର୍ମାଣ କରାଯାଇଥିଲା। ଏହା ପରେ ୨୦୦୪-୦୫ ମସିହାରେ ସେହି ସ୍ଥାନରେ ହିଁ ମା’ ଭଣ୍ଡାର ଘରଣୀ ଙ୍କ ମନ୍ଦିର ପରିଚାଳନା କମିଟି ଦ୍ବାରା ପାଖାପାଖି ଏକ ଶହ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିରାଟ ଭବ୍ୟମନ୍ଦିର ନିର୍ମାଣ କରାଯାଇଛି। ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ବିଶେଷତ୍ବ ହେଲା ଯେ, ମା’ଙ୍କ ମନ୍ଦିର ପୂର୍ବାଭିମୁଖୀ ହୋଇଥିବା ବେଳେ ଭକ୍ତଙ୍କୁ ମା’ ପଶ୍ଚିମ ମୁଖୀ ରେ ରହି ଦର୍ଶନ ଦେଉଛନ୍ତି।
ମା’ଙ୍କ ପୂଜା ନୀତି ଉଭୟ କେଉଟ (ମତ୍ସ୍ୟ ଜୀବୀ) ସମ୍ପ୍ରଦାୟ ର ପୂଜକଙ୍କ ଏବଂ ବ୍ରାହ୍ମଣ ପୂଜକଙ୍କ ଦ୍ଵାରା ପାଳିତ ହୋଇଥାଏ । ମା’ଙ୍କ ସ୍ୱତନ୍ତ୍ର ପୂଜା ପ୍ରତି ମଙ୍ଗଳବାର, ଶନି ବାର,ସଂକ୍ରାନ୍ତି ଦିନ ପାଳିତ ହୋଇଥାଏ। ମା’ ଙ୍କ ବାସନ୍ତିକ ନବରାତ୍ର ଦଶହରା ଚୈତ୍ର ଶୁକ୍ଲ ପ୍ରତିପଦା ଦିନରୁ ନବମୀ ପର୍ଯ୍ୟନ୍ତ ଓ ମା’ ଙ୍କ ଏକ ପ୍ରଧାନ ପର୍ବ “ଘଟ ଯାତ୍ରା” ପ୍ରତି ବର୍ଷ ଚୈତ୍ର ମାସ ରେ ପାଳିତ ହୁଏ ।
ପ୍ରତିବର୍ଷ ମା’ ଙ୍କ ନବରାତ୍ର ପୂଜାରେ ଶୈଳ ପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ର ଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦ ମାତା, କାତ୍ୟାୟନୀ, କାଳରାତ୍ରୀ, ମହା ଗୌରୀ, ସିଦ୍ଧିଦାତ୍ରୀ ଏଭଳି ମା’ ଙ୍କ ନଅଟି ରୂପ ନବ ଦୂର୍ଗାଙ୍କୁ ପୂଜା କରାଯାଏ । ମହାଳୟା ପର ଦିନ ପ୍ରତିପଦା ଠାରୁ ଏହି ନବ ରାତ୍ରି ପାଳନ କରାଯାଏ। ମାଁ ଙ୍କମନ୍ଦିର ରେ ଏକ ହଜାର ଆଠ ଟି ଅଖଣ୍ଡ ଦୀପ ସ୍ଥାପନ କରାଯାଏ । ଚଣ୍ଡୀ ପାଠ ହୁଏ । ଆଶ୍ଵୀନ ଶୁକ୍ଳ ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ମା’ ଙ୍କ ପୀଠ ରେ ଦଶ ଦିନ ଧରି ଦଶହରା ପର୍ବ ପାଳନ କରାଯାଏ । ଜିଲା ତଥା ଜିଲା ବାହାର ଅନେକ ଶକ୍ତି ପୀଠରୁ ଗ୍ରାମ ଦେବୀଙ୍କ ପ୍ରତିନିଧିତ୍ବ କରି ଠାକୁରାଣୀଙ୍କ ସୁସଜ୍ଜିତ ଲାଠି ଦଶହରା ଦିନ ନବରଙ୍ଗପୁରର ମା’ ଭଣ୍ଡାରଘରଣୀଙ୍କ ପୀଠକୁ ଆସନ୍ତି। ମା’ ଭଣ୍ଡାରଘରଣୀଙ୍କ ପ୍ରଥମ ଶକ୍ତି ପୀଠ ଜଗନ୍ନାଥପୁର, ଦଶପୁର, ମିରିଗାନିଗୁଡା, କୁସୁମୀ, ଦେଦେଶପାଲି, ମେଞ୍ଜର, ଦେଉଳା, କଙ୍ଗରା, ଏକମ୍ବା, ନନ୍ଦହାଣ୍ଡି, ମାଳିଗୁଡା ଏଭଳି ଅନେକ ଗ୍ରାମରୁ ଲାଠି ଆସେ। ସମସ୍ତ ସୁସଜ୍ଜିତ ଦେବୀ ଙ୍କ ଲାଠି ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଶଙ୍ଖ, ଘଣ୍ଟ, ବାଦ୍ୟ ବାଜଣା ସହ ସହର ପରିକ୍ରମା କରି ନବରଙ୍ଗପୁର ସହର ମଧ୍ୟରେ ଥିବା ଦଶହରା ପଦା ରେ ପହଞ୍ଚେ। ଏହି ଯାତ୍ରାକୁ “ବିଜୟ ଯାତ୍ରା” କୁହାଯାଏ।
ସେଠାରେ ଦେବୀଙ୍କୁ ପୂଜା ହୁଏ ଓ ଲାଖ ଵିନ୍ଧା ପର୍ବ ପାଳନ ହୁଏ। ସେଠାରେ ଏକ ବାଉଁଶ ଲାଠିର ଶିଖରରେ ବନ୍ଧା ଯାଇଥିବା ବାଇଗଣକୁ ପୂଜକ ଧନୁରେ ତୀର ଦ୍ବାରା ଲକ୍ଷ କରି ଭେଦ କରିବା ପରେ ଦଶହରା ପର୍ବ ସମାପ୍ତି ହୁଏ । ଏହି ସମୟରେ ଉମରକୋଟ ର ଅଧିଷ୍ଠାତ୍ରୀ ଦେବୀ ମା’ ପେଣ୍ଡ୍ରାଣୀ ଜୟପୁର ଯିବା ବେଳେ ନବରଙ୍ଗପୁର ମା’ ଭଣ୍ଡାରଘରଣୀଙ୍କ ପୀଠ ରେ କିଛି ଦିନ ଅବସ୍ଥାନ କରି ପୂଜା ପାଆନ୍ତି। ପ୍ରଥମ ଦିନରେ ମା’ଙ୍କ ପ୍ରତୀକ ପାଟ୍ଟ ଖଣ୍ଡା କୁ ପାରମ୍ପରିକ ରୀତି ନୀତିରେ ନବରଙ୍ଗପୁର ପ୍ରତାପ ସାଗରକୁ ଏକ ମହାସ୍ନାନ କରାଯାଇ ବିରାଟ ପଟୁଆର ରେ ସହର ପରିକ୍ରମା ପରେ ନବ ଦିନ ପୂଜା ନୀତି ଆରମ୍ଭ ହୋଇଛି । ମହାସ୍ନାନ ହୋଇଥିବା ବେଳେ ମହାଧ୍ୱଜା ସ୍ଥାପନ , ମହାଦୀପ ସ୍ଥାପନ ଓ ଘଟ ସ୍ଥାପନ କରାଯାଇଛି । ସେହିପରି ଚଳିତ ୨୧ତାରିଖରେ ମହା ସପ୍ତମୀ , ୨୨ତାରିଖରେ ମହାଷ୍ଟମୀ , ୨୩ତାରିଖରେ ମହା ନବମୀ ତଥା ବିଶ୍ରାମ ନବମୀ ଏବଂ ୨୪ତାରିଖରେ ମା’ଙ୍କ ବିଜୟା ଦଶମୀ ନୀତି ପାଳିତ ହେବ । ମା’ ଙ୍କ ବିଜୟା ଦଶମୀ ନୀତି ସମ୍ପନ୍ନ ହେବା ପରେ ମା’ ବାହାରିବେ ଦଶହରା ପଦା ଲାଖବିନ୍ଧା ନୀତି ଅନୁଷ୍ଠିତ ହୋଇଥାଏ।
ଚଳିତ ବର୍ଷ ମା’ ଭଣ୍ଡାରଘରଣୀଙ୍କ ମନ୍ଦିର ନିର୍ମାଣର ୨୫ବର୍ଷ ପୂର୍ତ୍ତି ଅବସରରେ ମା’ଙ୍କ ପ୍ରତୀକ ପାଟ ଖଣ୍ଡା ଯେତେବେଳେ ମନ୍ଦିରରୁ ବାହାରିଥିଲେ ସେହି ସମୟରେ ସହରର କେଉଟ ସାହିର ଆଖଡା, ସୌରା ସାହିର ଆଖଡ଼ା ସହିତ ନବରଙ୍ଗପୁର ଜିଲା ରାଇଘର ବ୍ଲକର ଏକ ଲୋକ ନୃତ୍ୟ ପରିବେଷଣ କରାଯିବ। ସହ ବହୁ ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେ।ଇଥିଲା ଚଳିତ ବର୍ଷ ୨୫ ବର୍ଷ ପୂର୍ତ୍ତି ଅବସରରେ ମନ୍ଦିର ସମ୍ମୁଖରେ ସପ୍ତମୀ ଦିନ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ସଙ୍ଗୀତ ସମାହାର ଆୟୋଜନ କରାଯାଇଥିବା ଯୋଜନା ରହିଛି ।ଯୋଜନା ଚଳିତ ବର୍ଷ ୨୫ ବର୍ଷ ପୂର୍ତ୍ତି ଅବସରରେ ମନ୍ଦିର ସମ୍ମୁଖରେ ସପ୍ତମୀ ଦିନ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ସଙ୍ଗୀତ ସମାହାର ର ଆୟୋଜନ କରାଯାଇଥିବା ବେଳେ ଅଷ୍ଟମୀ ଦିନ ସୁଦୂର କଟକ ସହରର ଏକ ଅର୍କେଷ୍ଟ୍ରା ଏବଂ ନବମୀ ଦିନ ସୁଦୂର ସମ୍ବଲପୁରର ଏକ ଅର୍କେଷ୍ଟ୍ରାର ଆୟୋଜନ କରାଯାଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ମନ୍ଦିର ପରିଚଳନ। କମିଟି ପକ୍ଷରୁ ଟୁଲୁ ଷଡଙ୍ଗୀ ଙ୍କର ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା କରାଯାଉଛି।
Comments are closed.