ମୃତ୍ୟୁ ସଂଖ୍ୟା ୧୦୦ ଟପିବା ଆଶଙ୍କା, ୫ଶହରୁ ଅଧିକ ଆହତ
ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁର ତାଣ୍ଡବ
ଯାତ୍ରୀଙ୍କ ପରିବାରବର୍ଗଙ୍କ ସହାୟତା ପାଇଁ ଫୋନ ନମ୍ବର ଜାରି :
ହାୱଡା ପାଇଁ ୦୩୩-୨୬୩୮୨୨୧୭, ଖଡ଼ଗପୁର ପାଇଁ- ୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ବର ପାଇଁ- ୮୨୪୯୫୯୧୫୫୯, ୭୯୭୮୪୧୮୩୨୨ ଓ ସାଲିମାର ଟ୍ରେନ ଯାତ୍ରୀଙ୍କ ପାଇଁ- ୯୯୦୩୩୭୦୭୪୬ ନମ୍ବର ଦିଆଯାଇଛି
ବାଲେଶ୍ବର,ବାହାନଗା : ବାଲେଶ୍ବରରୁ ୩୦ କିଲୋମିଟର ଦୂର ବାହାନଗା ରେଳ ଷ୍ଟେସନ ନିକଟରେ ଟ୍ରେନ ନମ୍ବର ୧୨୮୪୧ (ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ) ଓ ୧୨୮୬୪ ଯଶୋବନ୍ତପୁର-ହାୱଡା ସୁପରଫାଷ୍ଟ ଏକସ୍ପ୍ରେସ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଲାଇନଚ୍ୟୁତ ହେବା ଫଳରେ ଶତାଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି। ଏଥି ସହିତ ୫ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯାଉଛି। ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେବେ ଖଡ଼ଗପୁର ରେଳ ଡିଭିଜନ ପକ୍ଷରୁ ୩୨ଜଣଙ୍କ ମୃତ୍ୟୁ ହୋଇଥିବା ଓ ୧୫୦ ଜଣ ଯାତ୍ରୀ ଆହତ ହୋଇଥିବା ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ରାତି ହୋଇଥିବାରୁ ଓ ଆଲୋକର ଅଭାବ ହେତୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ଉଭୟ ଟ୍ରେନ ତଳେ ଏବେ ଅନେକ ଯାତ୍ରୀ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିବା ବେଳେ ଏନଡିଆରଏଫ ତରଫରୁ ବଗି କାଟି ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ଦୁର୍ଘଟଣାର ଭୟାବହତାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଓ ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରେଳ ବିଭାଗ ପକ୍ଷରୁ ହେଲପ ଲାଇନ ନମ୍ବର ଜାରି କରାଯାଇଛି। ଦୁର୍ଘଟଣା ପରେ ଉଭୟ ପଟରୁ ଟ୍ରେନ ଚଳାଚଳ ବନ୍ଦ ରହିଛି। ବାଲେଶ୍ବର ଡାକ୍ତରଖାନାରେ ୨୫୦ରୁ ଅଧିକ ଯାତ୍ରୀ ଚିକିତ୍ସିତ ହେଉଥିବା ବେଳେ ଟାଉନ ହଲ୍କୁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି। ସୋର ଡାକ୍ତରଖାନାରେ ୧୫୦ରୁୁ ଅଧିକ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ମିଳିଥିବା ସୂଚନାରୁ ଜଣାଯାଇଛି ଯେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାହାନଗା ଉତ୍ତର କ୍ୟାବିନ ନିକଟରେ କରମଣ୍ଡଳ ସୁପରଫାଷ୍ଟ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। କରମଣ୍ଡଳର ଲାଇନଚ୍ୟୁତ ବଗିକୁ ଡାଉନ ଲାଇନରେ ଆସୁଥିବା ଯଶୋବନ୍ତପୁର ହାୱଡା ସୁପରଫାଷ୍ଟ ଟ୍ରେନ ଧକ୍କା ଦେଇଥିଲା। କରମଣ୍ଡଳ ଟ୍ରେନର ୧୩ଟିରୁ ଅଧିକ ଡବା ରେଳ ଧାରଣାରୁ ବାହାରି ଯାଇଥିଲା ବେଳେ ଯଶୋବନ୍ତପୁର ଏକସପ୍ରେସର ଶେଷ ୫ଟି ଡବା ଧକ୍କା ଖାଇ ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ପରେ ଯାତ୍ରୀଙ୍କ ଆର୍ତ୍ତ ଚିତ୍କାରରେ ଘଟଣାସ୍ଥଳ କୋଳାହଳମୟ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ, ସ୍କୁଲ ବସ, ଘରୋଇ କାର୍, ବାଇକରେ ମଧ୍ୟ ବାଲେଶ୍ବର ଡାକ୍ତରଖାନା ଓ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶତାଧିକ ଲୋକ ରେଳ ଧାରଣା କଡ଼ରେ ପଡ଼ି ଯନ୍ତ୍ରଣାରେ ଚିତ୍କାର କରୁଥିବା ଦେଖା ଯାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ବତନ୍ତ୍ର ରିଲିଫ କମିଶନର, ଅଗ୍ନିଶମ ଡିଜିପି ସୁଧାଂଶୁ ଷଡ଼ଙ୍ଗୀ ଘଟଣାସ୍ଥଳ ଅଭିମୁଖେ ଆସିଥିଲେ। ବାଲେଶ୍ବର ଆଇଜି, ଏସପି, ଜିଲାପାଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ପରିଚାଳନା କରିଥିଲେ। ଯାତ୍ରୀଙ୍କ ପରିବାରବର୍ଗଙ୍କ ସହାୟତା ପାଇଁ ଫୋନ ନମ୍ବର ଜାରି କରାଯାଇଛି। ହାୱଡା ପାଇଁ ୦୩୩-୨୬୩୮୨୨୧୭, ଖଡ଼ଗପୁର ପାଇଁ ୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ବର ପାଇଁ ୮୨୪୯୫୯୧୫୫୯, ୭୯୭୮୪୧୮୩୨୨ ଓ ସାଲିମାର ଟ୍ରେନ ଯାତ୍ରୀଙ୍କ ପାଇଁ ୯୯୦୩୩୭୦୭୪୬ ନମ୍ବର ଦିଆଯାଇଛି। ଡାକ୍ତରୀ ଦଳ, ଉଦ୍ଧାରକାରୀ ଦଳ, ଏନଡିଆରଏଫ ଦଳ ସହ ଜିଲା ପ୍ରଶାସନ, ରାଜ୍ୟର ପ୍ରମୁଖ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ତଦାରଖ କରୁଛନ୍ତି। ରାତି ସାଢ଼େ ୯ଟା ସୁଦ୍ଧା ଶତାଧିକ ଯାତ୍ରୀଙ୍କର ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏହି ଭୟଙ୍କର ଦୁର୍ଘଟଣାର କାରଣ ସମ୍ପର୍କରେ ବିଭିନ୍ନ ତଥ୍ୟ ଶୁଣିବାକୁ ମିଳୁଛି। କରମଣ୍ଡଳ ଏକସପ୍ରେସ ପ୍ରଥମେ ମାଲଗାଡ଼ିକୁ ଧକ୍କା ଦେଇ ଲାଇନ ଚ୍ୟୁତ ହେବା ପରେ ଯଶୋବନ୍ତପୁର ଏକସପ୍ରେସ ଟ୍ରେନ ଧକ୍କା ଦେଇଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ କହୁଥିବା ବେଳେ ଆଉ କିଛି କରମଣ୍ଡଳ ଓ ଯଶୋବନ୍ତପୁର ଲାଇନ ଚ୍ୟୁତ ହେବା ପରେ, କରମଣ୍ଡଳ ମାଲବାହି ଟ୍ରେନକୁ ଧକ୍କା ଦେଇଥିବା କୁହାଯାଉଛି। ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.