ମନ୍ଥର ଗତିରେ ହରଭଙ୍ଗାରେ ବୃହତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ

ହେଉନି ମାସୱାରୀ ନିର୍ମାଣ କାର୍ଯ୍ୟ ସମୀକ୍ଷା, ସମୟସୀମା ମଧ୍ୟରେ କାର୍ଯ୍ୟ ସରିବା ନେଇ ଆଶଙ୍କା

ହରଭଙ୍ଗା : ବହୁତ ଦିନର ଦାବୀ ପରେ ହରଭଙ୍ଗାଠାରେ ଜଳ ଜୀବନ ମିଶନ ଯୋଜନାରେ ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧିନ ରହିଛି । ପ୍ରକଳ୍ପ ନିର୍ମାଣ ମିଆଦ ୨ବର୍ଷ ରହିଛି । ନିର୍ମାଣର ୧୮ମାସ ପରେ ବି ୫୦ ପ୍ରତିଶ୍ରତରୁ କମ୍ କାର୍ଯ୍ୟ ସରିଥିବା ଜଣାପଡିଛି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି । ଜଣେ ଅଧିକ୍ଷଣ ଯନ୍ତ୍ରୀ ଏବଂ ଜଣେ ମାତ୍ର ସହକାରୀ ଯନ୍ତ୍ରୀରେ ଏତେବଡ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ମୁସ୍କିଲ ଯୋଗୁଁ ଟେଣ୍ଡରଧାରୀ କମ୍ପାନୀ ପ୍ରକଳ୍ପ କାର୍ଯ୍ୟ ମନଇଛା ଚଳାଇଛି। ଏପରିକି ପ୍ରକଳ୍ପ ତଦାରଖ ପାଇଁ ତୃତୀୟ ପକ୍ଷ ପରାମର୍ଶଦାତା ନିୟୋଜିତ ଅଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଳରେ ବର୍ତ୍ତମାନ ଜଳ ଓ ପରିମଳ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ତଦାରଖରେ ଏତେ ବଡ ପ୍ରକଳ୍ପ କାର୍ଯ୍ୟ ଭଗବାନଙ୍କ ଭରସାରେ ଚାଲିଥିବା ନଜରକୁ ଆସିଛି । ଖୋଦ୍ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଜିଲ୍ଲାରେ ବୃହତ ପାଇପ୍ ଜଳ ଯୋଗାଣର ଏଭଳି ବ୍ୟତିକ୍ରମ ବୁଦ୍ଧିଜୀବି ଏବଂ ସାଧାରଣ ଲୋକଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଛିଡା କରୁଛି ।

prayash

ସୂଚନା ଅନୁସାରେ ଜଳ ଜୀବନ ମିଶନ ଯୋଜନାରେ ହରଭଙ୍ଗା ବ୍ଲକର ସମସ୍ତ ଜନସାଧାରଣଙ୍କ ପିଇବା ପାଣି ସମସ୍ୟା ଦୂର ପାଇଁ ୧୯୫ କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ବୃହତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଗତ ୧୫ ନଭେମ୍ବର ୨୦୨୧ରୁ ଆରମ୍ଭ ହୋଇଛି । ପ୍ରକଳ୍ପ ନିର୍ମାଣ ସମୟ ୨ବର୍ଷ ରହିଥିବାବେଳେ ଏହାର ମିଆଦ ଆସନ୍ତା ୧୪ ନଭେମ୍ବର ୨୦୨୩ରେ ଶେଷ ହେବ। ନିର୍ମାଣକାର୍ଯ୍ୟର ୧୮ମାସ ପରେ ୩୮ଟି ଓଭର ହେଡ ଟ୍ୟାଙ୍କ ନିର୍ମାଣ ଆବଶ୍ୟକତା ଥିବାବେଳେ ସେଥିରୁ ୫୦ପ୍ରତିଶ୍ରତ ଓଭର ହେଡ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ଏଯାବତ୍ ସରିନାହିଁ। ଗୋଟିଏ ଜଳ ବିଶୋଧନ ପ୍ଲାଣ୍ଟ କାର୍ଯ୍ୟ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଅନ୍ୟପଟେ ୩୮ଟି ଓଭର ହେଡ ଟ୍ୟାଙ୍କ ନିର୍ମାଣ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୨ଟିର କାର୍ଯ୍ୟ ଶେଷ ହୋଇଛି । ମିଆଦି ପୁରିବାକୁ ଆଉ ୬ ମାସ ସମୟ ବାକି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶ୍ରତରୁ କମ୍ ନିର୍ମାଣ କାର୍ଯ୍ୟ ସରିଛି। ଯଦି ଆଉ ସମୟ ୬ମାସ  ବୃଦ୍ଧି କରାଯାଏ ତା’ ଭିତରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ କି ନାହିଁ ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଜିଲ୍ଲାରେ ଖୋଦ୍ ତାଙ୍କ ବିଭାଗର ଜଳ ଓପରିମଳ ବିଭାଗ ଅଧିନରେ ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଚାଲୁରହିଛି । ମାତ୍ର ଜିଲ୍ଲାରେ ଜଳ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ପଦବୀ ଖାଲିପଡିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ତଦାରଖ ସଠିକ୍ ଭାବେ ହୋଇପାରୁନଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଛି। ଅନ୍ୟପଟେ ଜଣେ ମାତ୍ର ବ୍ଲକ ଜଳ ଓ ପରିମଳ ଯନ୍ତ୍ରୀଙ୍କ ଭରସାରେ ହରଭଙ୍ଗା ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବେ ଭଗବାନ ଭରସାରେ ଚାଲୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ସାଧାରଣ ଲୋକଙ୍କ ଟିକସ ଅର୍ଥରେ ନିର୍ମାଣ ହେଉଥିବା ଏତେ ବଡ ପ୍ରକଳ୍ପ ଦିଗରେ ମନ୍ତ୍ରୀ ତଥା ଜିଲ୍ଲାପାଳଙ୍କ ଶୁଭଦୃଷ୍ଟି ନପଡିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିବାକୁ ଦାୟୀ କରାଯାଉଛି।ଯାହାଫଳରେ ଲୋକେ ଆସନ୍ତା ଖରାମାସରେ ବି ଏହି ପ୍ରକଳ୍ପରୁ ପାଣି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଜନସାଧାରଣଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ମାସୱାରୀ କରାଯିବାର ସମୟ ଆସିଛି। ନଚେତ୍ ‘ସରକାର କା ମାଲ ଦରିଆ ମେ ଡାଲ’.. ନ୍ୟାୟରେ ଯନ୍ତ୍ରୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ପ୍ରକଳ୍ପ କାର୍ଯ୍ୟ ମନଇଛା ସାରିଦେଇ ଛୁ ମାରିବା ସାର ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏ ସର୍ମ୍ପକରେ ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ଶିବଶଙ୍କର ମଲ୍ଲିକଙ୍କୁ ପଚାରିବାରୁ ନକ୍ସା ଅନୁସାରେ କାମ ଚାଲିଛି। ତୃତୀୟ ପକ୍ଷ ପରାମର୍ଶଦାତା ଭାବେ ଓାପସୋ ନାମକ ପରାମର୍ଶଦାତା ସଂସ୍ଥା କାର୍ଯ୍ୟର ତଦାରଖ କରୁଛି। ବର୍ତ୍ତମାନ ୪ଜଣ ଇଂଜିନିୟରଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଛି । ଆସନ୍ତା ଜୁନ୍ ସୁଦ୍ଧା ନୁହେଁ ବରଂ ୨୦୨୪ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ସେ ଆଶାବାଦୀ ଅଛନ୍ତି ।

Comments are closed.