ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ବୈଠକ
ବିଭିନ୍ନ ରାଜିନାମା ସ୍ୱାକ୍ଷରିତ
ଡେସ୍କ : ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଶେଷ ତଥା ଚୂଡାନ୍ତ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଆଲବାନିଜଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗ ଦେଇଛନ୍ତି । ପରେ ଉଭୟ ନେତା ଦେଶାନ୍ତର ଗମନ, ମୋବିଲିଟି ଭାଗିଦାରୀ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଟାସ୍କଫୋର୍ସ ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ସିଡ୍ନୀଠାରେ ଅନୁଷ୍ଠିତ ଏହି ବୈଠକରେ ଉଭୟ ନେତାଙ୍କ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ନିରାପତ୍ତା, ନବୀକରଣୀୟ ଶକ୍ତି, ଗ୍ରୀନ୍ ହାଇଡ୍ରେଜେନ୍, ଖଣିଜ ପଦାର୍ଥ, ଶିକ୍ଷା, ଦେଶାନ୍ତର ଗମନ, ପରିବହନ ଓ ଦୁଇଦେଶ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ସହଯୋଗ ସଂକ୍ରାନ୍ତରେ ଆଲୋଚନା ହୋଇଛି । ଜି-୨୦ ସଭାପତିତ୍ୱ କାଳରେ ଭାରତର ଉଦ୍ୟମ, ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ସମେତ ଆଞ୍ଚଳିକ ବିକାଶ ଉପରେ ଉଭୟ ନେତା ଭାବ ବିନିମୟ କରିଛନ୍ତି ।
ଏହି ବୈଠକ ପରେ ଏକ ମିଳିତ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କ ଆପୋଷ ବୁଝାମଣା, ବିଶ୍ୱାସ ଓ ଆସ୍ଥା ଉପରେ ପର୍ଯ୍ୟବେଶିତ । ସେ କହିଛନ୍ତି ଖଣି ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି ସହଯୋଗକୁ ମଜବୁତ କରିବାକୁ ସେମାନଙ୍କ ମଧ୍ୟରେ ଗଠନ ମୂଳକ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ-ଅଷ୍ଟ୍ରେଲିଆ ବିସ୍ତୃତ ସାମରିକ ଭାଗିଦାରୀ ସମ୍ପର୍କକୁ ନୂଆ ସୋପାନରେ ପହଞ୍ଚାଇବା ପାଇଁ ଉଭୟ ନେତା ଆଲୋଚନା କରିଛନ୍ତି। ଚଳିତବର୍ଷ କ୍ରିକେଟ୍ ବିଶ୍ୱକପ୍ ଦେଖିବା ପାଇଁ ଭାରତକୁ ଆସିବା ଲାଗି ଶ୍ରୀ ମୋଦୀ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଆଲବାନିଜ କହିଛନ୍ତି ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ଅର୍ଥନୈତିକ ସହଯୋଗ ରାଜିନାମାରେ ଏହିବର୍ଷ ଶେଷସୁଦ୍ଧା ସାକ୍ଷର କରିବା ଲକ୍ଷ୍ୟ ପୂରଣ କରିବାପାଇଁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି । ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆର ଏକ ନୂଆ ବାଣିଜ୍ୟ ଦୂତାବାସ ଖୋଲିବା ବିଷୟ ଘୋଷଣା କରି ଶ୍ରୀ ଆଲବାନିଜ କହିଛନ୍ତି ଭାରତର ଡିଜିଟାଲ ଓ ଅଭିନବ ଇକୋ ବ୍ୟବସ୍ଥା ବୃଦ୍ଧି ପାଉଥିବାରୁ ଅଷ୍ଟ୍ରେଲିଆର ବ୍ୟବସାୟ ସହ ଏହାକୁ ଯୋଡ଼ିବା ଦିଗରେ ଏହି ବାଣିଜ୍ୟ ଦୂତାବାସ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲ ଡାଭିଡ ହର୍ଲେଙ୍କ ସହ ବୈଠକ ସମୟରେ ଦୁଇଦେଶ ମଧ୍ୟରେ ବହୁଦିନର ଦ୍ୱିପକ୍ଷୀୟ ଭାଗିଦାରୀ ସମ୍ପର୍କକୁ ମଜଭୁତ କରିବା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘସ୍ଥାୟୀ କରିବା ବିଷୟରେ ଆଲୋଚନା କରିଛନ୍ତି ।
ବୈଦେଶିକ ସଚିବ ବିନୟ କ୍ବାତ୍ରା କହିଛନ୍ତି ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରତି ଅଷ୍ଟ୍ରେଲିଆ ଦୃଢ଼ ସମର୍ଥନ ଜଣାଇଛି । ସିଡ୍ନୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କ୍ବାତ୍ରା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନୀ ଆଲବାନିଜଙ୍କ ମଧ୍ୟରେ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। କ୍ୱାଡ୍, ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଓ ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ବିଷୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡିଛି।
Comments are closed.