ଆଜି ଅର୍ପା ଭଇଁଷାଝର ଓ ଦାରୀ ବ୍ୟାରେଜ୍‌ ପରିଦର୍ଶନ କରିବେ ନ୍ୟାୟାଧିକରଣ ଦଳ

ଜୋଙ୍କ, ସିଓରିନାରାୟଣ ବୁଲିଲେ ମହାନଦୀ ନ୍ୟାୟାଧିକରଣ ଦଳ

ବୁର୍ଲା/ଝାରସୁଗୁଡ଼ା : ମହାନଦୀ ଜଳ ବିବାଦ ସମାଧାନ ନ୍ୟାୟାଧୀକରଣ(ଟ୍ରିବୁନାଲ)ଙ୍କ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା କରୁଛନ୍ତି । ସୋମବାର ନ୍ୟାୟାଧିକରଣ ଦଳ ଅର୍ପା ଭଇଁଷାଝର, ହାସଦେଓ ବାଙ୍ଗୋ ଓ ଦାରୀ ବ୍ୟାରେଜ୍‌ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

prayash

ମହାନଦୀ ନ୍ୟାୟାଧିକରଣ ଦଳ ରବିବାର ଛତିଶଗଡ଼ର ବିଭିନ୍ନ ଆନିକଟ ଓ ସେଠାକାର ଜଳସମ୍ପଦ ବିଭାଗର ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଏହି ଦଳ ଜୋଙ୍କ୍ ଓ ଉପର ମହାନଦୀ ଅବାବାହିକାରେ ସମୀକ୍ଷା କରିଛନ୍ତି। ବଲ୍ଲାର ଜଳାଶୟ, କାଶଦଲ ଓ ସୀଓରିନାରାୟଣ ଆନିକଟ​‌ରେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ସମୀକ୍ଷା ବେଳେ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ୨୨ ଜଣିଆ ଦଳ ରହିଥିଲେ। ଏଥିରେ ଜଳସମ୍ପଦ ବିଭାଗ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ, ଆଇନ ବିଶେଷଜ୍ଞ, ବୈଷୟିକ ବିଶେଷଜ୍ଞ ସାମିଲ ଅଛନ୍ତି।

ମଙ୍ଗଳବାର ହାସଦେଓ ଓ ଉପର ମହାନଦୀ ମୁଖ୍ୟ ଉପଅବବାହିକା, ବସନ୍ତପୁର ବ୍ୟାରେଜ, ମିରୋନୀ ବ୍ୟାରେଜ, କଲମା ବ୍ୟାରେଜ ଓ ସୁରଜଗଡ଼ ସେତୁ, ୩ତାରିଖ କେଲୋ ପ୍ରକଳ୍ପ ପରିଦର୍ଶନ କରି ସେହିଦିନ ସନ୍ଧ୍ୟାରେ ଝାରସୁଗୁଡ଼ାରୁ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ତେବେ ଟ୍ରିବୁନାଲର ଏହି ଗସ୍ତର ୪ଦିନ ପୂର୍ବରୁ ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ନିର୍ମିତ କଲମା ବ୍ୟାରେଜରୁ ୨୦ ଫାଟକ ​ଦେଇ ଜଳ ନିଷ୍କାସନକୁ ନେଇ ନାନା ଚର୍ଚ୍ଚା ହୋଇଥିଲା। ହେଲେ ଏଥିରେ ଛତିଶଗଡ଼ର କୌଣସି ଚାଲାକିକୁ ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି। ଓଡ଼ିଶା ଜଳସମ୍ପଦ ବିଭାଗ ପୂର୍ବତନ ମୁଖ୍ୟଯନ୍ତ୍ରୀ ସୁଧାକର ପତ୍ରୀ କହିଛନ୍ତି, କଲମାରୁ ପାଣି ଛାଡ଼ିବା ଚାଲାକି ବୋଲି କେମିତି କହିହେବ, ସେତିକି ବେଳେ ବର୍ଷା ହୋଇଥିବା ହେତୁ ବ୍ୟାରେଜର ଫାଟକ ଖୋଲିବା ବାଧ୍ୟ। ଏଣୁ ସେମାନେ ଖୋଲିବା ଓ ବନ୍ଦ କରିବା ହେଉଛି ସ୍ବାଭାବିକ ପ୍ରକ୍ରିୟା। ତେବେ ଟ୍ରିବୁନାଲ ମହାନଦୀ ସମେତ ହୀରାକୁଦର ସ୍ଥିତିକୁ ନେଇ ମଧ୍ୟ ସମୀକ୍ଷା​‌ କରିବା ଦରକାର। ହୀରାକୁଦ ବନ୍ଧ ନିର୍ମାଣ ପରେ ମହାନଦୀର ଜଳ ବ୍ୟବହାରକୁ ନେଇ ହୋଇଥିବା ଚୁକ୍ତିରେ ମହାନଦୀ ପାଣିର ଦ୍ବି-ତୃତୀୟାଂଶ ଓଡ଼ିଶାକୁ ଛାଡ଼ିବା କଥା। ହାରାହାରି ୨୦ ମିଲିଅନ ଏକର ଫୁଟ (ଏମଏଏଫ) ପାଣି ଆସିଲେ ୮ ଏମଏଏଫ ଛତିଶଗଡ଼ ବ୍ୟବହାର କରିବ ଓ ୧୨ ଏମଏଏଫ ଓଡ଼ିଶା ବ୍ୟବହାର ପାଇଁ ଛାଡ଼ି ଦେବା କଥା। ଏବେ ସେ ଅନୁପାତରେ ପାଣି ବ୍ୟବହାର ହେଉଛି ନା ନାହିଁ, ମହାନଦୀରେ କେତେ ଜଳ ପ୍ରବାହିତ ହେଉଛି ଓ ଉପରମୁଣ୍ଡରୁ ଓଡ଼ିଶାକୁ କେତେ ନିଷ୍କାସନ କରାଯାଉଛି ତାହାର ସମୀକ୍ଷା କରାଯିବା ଦରକାର ବୋଲି ଶ୍ରୀ ପତ୍ରୀ କହିଛନ୍ତି।

Comments are closed.