ସ୍ଥାୟୀ ଦୋକାନ ପ୍ରଦାନ ପାଇଁ ଜିଲାପାଳଙ୍କ ନିକଟରେ ପନିପରିବା ବ୍ୟବସାୟୀଙ୍କ ଦାବି

ବୌଦ୍ଧ : ଜିଲାପ୍ରଶାସନ ନିଷ୍ପତ୍ତି କ୍ରମେ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ଆଦର୍ଶ କୃଷି ବଜାର ମଧ୍ୟକୁ ଦୈନିକ ବଜାର ସ୍ଥାନାନ୍ତର କରାଯିବା ତିନିଦିନ ପରେ ମଧ୍ୟ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ । ପନିପରିବା ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ କରି ଏହାର ପ୍ରତିବାଦ କରାଯାଇଥିବାବେଳେ ରବିବାର ସଂଘର ସଭାପତି ସୁଦାମ ବେରିହାଙ୍କ ନେତୃତ୍ୱରେ ଶତାଧିକ ବ୍ୟବସାୟୀ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ବ୍ୟବସାୟ ପାଇଁ ସ୍ଥାୟୀ ଦୋକାନଘର ଯୋଗାଇଦେବାକୁ ଦାବି କରିଛନ୍ତି । ବ୍ୟବସାୟୀମାନେ ନୂତନ ଆଦର୍ଶ କୃଷକ ବଜାରଠାରେ ସମସ୍ତ ବ୍ୟବସାୟୀ ଓ ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗ କରିବା ସହିତ ସେମାନଙ୍କ ମାଲ ପରିବହନ ପାଇଁ ସମସ୍ୟା ଦେଖାଦେବ ବୋଲି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଏନଏସି ଅଧ୍ୟକ୍ଷ ବିଭାଗୀୟ କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ସେ ଫେରିଲା ପରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଜିଲାପାଳ ସତ୍ୟରଂଜନ ସାହୁ ବ୍ୟବସାୟୀମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାଯାଇଛି।

prayash

ଏପଟେ ଜିଲା ବାହାରୁ ପନିପରିବା ଆଣି ଯୋଗାଉଥିବା ବଡ ବଡ ବ୍ୟବସାୟୀମାନେ ସେମାନଙ୍କ ପାଇଁ ନୂତନ ଦୈନିକ ବଜାର ସମସ୍ୟା ସୃଷ୍ଟି କରିଥିବା ଅଭିଯୋଗ କରି ମାଲ ପରିବହନ ସଂପୁର୍ଣ୍ଣ ବନ୍ଦ କରିଦେଇଛନ୍ତି । ଫଳରେ ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କନ୍ଧମାଳ ଆଦି ଜିଲାରୁ ବୌଦ୍ଧକୁ ଆସୁଥିବା ଦୈନିକ ପନିପରିବା ଯୋଗାଣ ବନ୍ଦ ହୋଇଯିବା ଯୋଗୁଁ ଆଳୁ, ଟମାଟୋ, ପିଆଜ, କୋବି, ପୋଟଳ, ଅଦା ରସୁଣ ଭଳି ପନିପରିବା ମୂଲ୍ୟ ଦୁଇଦିନ ମଧ୍ୟରେ ୧୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ସାରିଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଖାଉଟିମାନେ ଅଧିକ ସମସ୍ୟାର ସମ୍ମୁଖିନ ହେବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଦୈନିକ ବଜାର ସ୍ଥାନାନ୍ତର ଯୋଗୁଁ ଚାଷୀ ଓ ବ୍ୟବସାୟୀଙ୍କଠାରୁ ଏନଏସି ପକ୍ଷରୁ ପ୍ରତିଦିନ ଆଦାୟ କରାଯାଉଥିବା ଟାକ୍ସ (ମାର୍କେଟ ବଟି)ଆଦାୟ ମଧ୍ୟ ବନ୍ଦ ହୋଇଯାଇଛି। ବଜାର ସ୍ଥାନାନ୍ତର ଫଳରେ ବୌଦ୍ଧ ଏନଏସି ବାର୍ଷିକ ୧୦ ଲକ୍ଷ ଟଙ୍କା କ୍ଷତିଗ୍ରସ୍ତ ହେବ ବୋଲି ଜଣାପଡିଛି । ନିୟନ୍ତ୍ରିତ ବଜାର କମିଟି ବୌଦ୍ଧ ଦୈନିକ ବଜାରକୁ ନିଜ କବଜାକୁ ନେଇସାରିଥିବାବେଳେ ଏନଏସିର ଆର୍ଥିକ କ୍ଷତି କିପରି ଭରଣା ହେବ ତାହା ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏହାବ୍ୟତୀତ ଆଦର୍ଶ କୃଷକ ବଜାରକୁ ଦୈନିକ ବଜାର ସ୍ଥାନାନ୍ତର ପରେ ସେଠାରେ ପୂର୍ବରୁ ଚାଲିଥିବା ସାପ୍ତାହୀକ ବୁଣାକାର ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଆଦର୍ଶ କୃଷକ ବଜାର ମଧ୍ୟରେ ନିର୍ମାଣ ହୋଇଥିବା ସିମେଣ୍ଟ ପିଣ୍ଡି ଗୁଡିକ ବୁଣାକାରମାନଙ୍କ ପାଇଁ ପ୍ରସ୍ତୁତ କରି ରଖାଯାଇଥିବାବେଳେ ପନିପରିବା ବ୍ୟବସାୟୀ ଓ ଚାଷୀମାନଙ୍କ ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଅସ୍ଥାୟୀ ଟେଣ୍ଟ୍ ପ୍ରସ୍ତୁତି କରାଯାଇଥିଲା। ଏହା ସତ୍ୱେ ରବିବାର ବୁଣାକାର ବଜାରକୁ ଆଜି ସ୍ୱଳ୍ପ ସଂଖ୍ୟାରେ ଲୁଗା ବ୍ୟବସାୟୀ ଆସିଥିବା ଦେଖା ଯାଇଥିଲା। ବଜାର ସୁବିଧା ସହିତ ଖଟି ଖାଉଥିବା ଗରିବ ଶ୍ରେଣୀର ଲୋକଙ୍କ ଥଇଥାନକୁ ପ୍ରାଥମିକତା ଦେବା ସହିତ ଚାଷୀ, ପନିପରିବା ବ୍ୟବସାୟୀ, ବଡ ବଡ ବ୍ୟବୟୀ ଓ ସର୍ବୋପରି ବୁଣାକାର ବଜାର, ସମସ୍ତଙ୍କ ପାଇଁ ସୁବିଧାକୁ ଦୃଷ୍ଟିରେ ରଖି ସହମତି ଭିତିରେ ସବୁସ୍ତରର ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମଧାନ କରାଯିବାକୁ ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଉଛି।

Comments are closed.