ଲଡୁଗାଁ : କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତରେ ନ ପହଞ୍ଚି କୁଇଣ୍ଟାଲ କୁଇଣ୍ଟାଲ ପିଡ଼ିଏସ ଚାଉଳ ଗାଏବ୍ ହେଉଥିବା ଅଭିଯୋଗ ହୋଇଛି । ସିଡବ୍ଲୁସି ଗୋଦାମରୁ କୋକସରା ବ୍ଲକର ୨୨ ପଞ୍ଚାୟତକୁ ଏଲ- ୨ ଠିକାଦାର ଅମିତ କୁମାର ଅଗ୍ରୱାଲ ପିଡ଼ିଏସ ଚାଉଳ ଯୋଗାଣ ଦାୟିତ୍ୱରେ ରହିଥିବା ବେଳେ ଡ଼ହଗାଁ ପଞ୍ଚାୟତ ପାଇଁ ଏପ୍ରିଲ, ମଇ ଓ ଜୁନ ମାସ ପାଇଁ ୨୪୯.୯୦ କ୍ୱିଣ୍ଟାଲ ପିଡ଼ିଏସ ଚାଉଳ ଶୁକ୍ରବାର ଗାଡି ନମ୍ବର ଓଆର ୦୮ ଇ ୨୧୧୧ ଯୋଗେ ଡ଼ହଗାଁ ପଞ୍ଚାୟତରେ ପହଞ୍ଚିଥିଲା ।
ତେବେ ଓଜନ କରାଯିବାରୁ ୨୪୯.୯୦ କ୍ୱିଣ୍ଟାଲ ବଦଳରେ ୨୩୨.୧୮ କ୍ୱିଣ୍ଟାଲ ଚାଉଳ ପହଞ୍ଚିଥିବା ଦେଖି ଯୋଗାଣ ସହାୟିକା ବନିତା ଛୁରା, ପିଇଓ ରାଜେନ୍ଦ୍ର ସୋରି ୧୭.୭୨ କ୍ୱିଣ୍ଟାଲ କମ ଚାଉଳ ଥିବା ଦେଖି ଅବାକ୍ ହୋଇଯାଇଥିଲେ । ଏତେ ଚାଉଳ କୁଆଡେ ଗଲା, କିଏ ସେ ଚାଉଳ ଚୋର ବୋଲି ସମସ୍ତେ ଛାନିଆ । ଏ ସଂକ୍ରାନ୍ତରେ ବ୍ଲକ ଯୋଗାଣ ଅଧିକାରୀଙ୍କ ନିକଟରେ ଡ଼ହଗାଁ ପଞ୍ଚାୟତ ସରପଞ୍ଚ ପିଇଓ ଏବଂ ଯୋଗାଣ ସହାୟକା ଅଭିଯୋଗ କରିଛନ୍ତି । ପ୍ରତି ବସ୍ତାରେ ୫୦ କେଜି ବଦଳରେ ୩୬ ରୁ ୪୦ କେଜି ଚାଉଳ ଓଜନ ରହୁଥିବା ବେଳେ ତତକ୍ଷଣାତ୍ ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁଙ୍କୁ ଡ଼ହଗାଁ ପଞ୍ଚାୟତ ସରପଞ୍ଚ କୁଞ୍ଜଳତା ନାଏକ, ପିଇଓ , ଯୋଗାଣ ସହାୟିକା ଏନେଇ ତଦନ୍ତ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି । ଡ଼ହଗାଁ ପଞ୍ଚାୟତରେ ଯୋଗାଣ ଅଧିକାରୀ ପହଞ୍ଚି ତଦନ୍ତ କରିବା ପରେ ପିଡ଼ିଏସ ଚାଉଳ ୧୭ କ୍ୱିଣ୍ଟାଲ ୭୨ କେଜି କମ ଥିବା ଜାଣିବାକୁ ପାଇଥିଲେ ଓ ଏନେଇ ଧର୍ମଗଡ଼ ଉପ ଜିଲ୍ଲାପାଳ ଓ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି । ବାରମ୍ବାର ସରକାରଙ୍କ ପିଡିଏସ ସାମଗ୍ରୀର ହେରଫେର ବ୍ଳକରେ ବୃଦ୍ଧି ପାଉଥିବା ବେଳେ ଉଚ୍ଚ ଦୁର୍ନୀତିର ସଠିକ୍ ତଦନ୍ତ କରାଗଲେ ଅସଲ ଗୁମର ଫିଟିବ ଓ ଦୋଷୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
Comments are closed.