ନରସିଂହପୁର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମେଳଣ ଉଦଯାପିତ
ନରସିଂହପୁର : କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳରେ ଥିବା ଶୈବପୀଠରେ ଅଷ୍ଟଶମ୍ଭୁ ତଥା ପ୍ରତ୍ୟେକ୍ଷ ଶମ୍ଭୁ ମାନଙ୍କୁ ନେଇ ଏହି ଐତିହାସିକ ଅଷ୍ଟଶମ୍ଭୁ ମେଳଣ ଉଦଯାପିତ ହୋଇଯାଇଛି । ୧୮୨୮ ମସିହାରୁ ତତ୍କାଳୀନ ରାଜା ସ୍ୱର୍ଗତ ସୋମନାଥ ହରିଚନ୍ଦନଙ୍କ ସମୟରୁ ଏହି ସାଂସ୍କୃତିକ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଏହା ଏକ ଧାର୍ମିକ ଶୈବ ସଂସ୍କୃତିର ମହାର୍ଘ୍ୟର ମିଳନର ପର୍ବ। ତାଙ୍କର ଉପାସନାରେ ଭକ୍ତମାନଙ୍କର ଅତୁଟ ବିଶ୍ୱାସ ରହିଛି । ସାରା ରାତ୍ର ଉଜାଗର ରହି ସମସ୍ତ ଶମ୍ଭୁଙ୍କର ମିଳନ ପରେ ପୂଜାର୍ଚ୍ଚନା ଶେଷ ହୋଇଥାଏ। ପରେ ବ୍ରତଧାରୀମାନେ ପ୍ରସାଦ ସେବନ କରିଥାନ୍ତି। ଯାହାକି ଏକ ନିଆରା ପରମ୍ପରା କହିଲେ ଅତ୍ୟୁକ୍ତି ହେବନାହିଁ । ସ୍ଥାନୀୟ ଭଜନ ମଣ୍ଡପ ନିକଟରେ ଅଷ୍ଟଶମ୍ଭୁଙ୍କ ସମେତ ୨୮ ଶମ୍ଭୁ ଏବଂ ଛଅ ହରିଙ୍କ ମିଳନ ହୋଇଥିଲା। ଏହି ମିଳନପରେ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶମ୍ଭୁମାନଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହି ଅବସରରେ ଭଜନ ମଣ୍ଡପରେ ଭଜନ ସମାରୋହରେ ବିଶିଷ୍ଟ କଳାକାରଙ୍କ ନେତୃତ୍ୱରେ ଗାୟକ ଓ ଗାୟିକା ମାନଙ୍କୁ ନେଇ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ଏହି ସାସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ଏହି ଅବସରରେ ଅତିଥିଭାବେ କମିଟିର ସଭାପତି ତଥା ତହସିଲଦାର ଆଲୋକ କୁମାର ଦେହୁରୀ, ଥାନା ଅଧିକାରୀ ଅଭୟ ବେହେରା, କଟକ ଜିଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ବ୍ଲକ ଅଧକ୍ଷା ସସ୍ମିତା ଜେନା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକ, ଜିଲାପରଷଦ ସଭ୍ୟା ଗୀତାଞ୍ଜଳି ପାତ୍ର, ସମିତି ସଭ୍ୟ ନିର୍ମଳ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବିଳମ୍ବିତ ରାତିରେ ସମସ୍ତ ଶମ୍ଭୁ ମାନଙ୍କୁ ରାଜବାଟିକୁ ପହଣ୍ଡି ବିଜେ କରାଯାଇଥିଲା । ସେଠାରେ ସମସ୍ତ ଶମ୍ଭୁ, ହର ଓ ହରି ଏକତ୍ରିତ ହେବା ପରେ ରାଜବାଟୀ ଠାରେ ଚନ୍ଦ୍ରଶେଖରଙ୍କୁ ଦୀର୍ଘ ସମୟଧରି ଷୋଡଶ ଉପଚାର ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ରାଜ ପୁରୋହିତ ରଜନୀକାନ୍ତ ମିଶ୍ରଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅଷ୍ଟଶମ୍ଭୁ ଯାତ୍ରାକୁ କମିଟିର ସମ୍ପାଦକ ଅଗାଧୁ ନାୟକ, ବିରଞ୍ଚି ନାରାୟାଣ ସାହୁ, ନୀଳମଣି ସାହୁ, ବିଶ୍ୱନାଥ ସାହୁ , ସୁଭ୍ରାଂଶୁ ଭୁଷଣ ମହାପାତ୍ର, ମେଘନାଦ ପାତ୍ର, ରାଜକିଶୋର ସାହୁ, ପ୍ରଭାକର ମିଶ୍ର, ସରପଞ୍ଚ ଗୟାଧର ସାହୁ, ସମିତି ସଭ୍ୟା ଜୟନ୍ତୀ ବେହେରା, ବୀଣାପାଣି ବେହେରା ପ୍ରମୁଖଙ୍କ ସମେତ କମିଟିର ସଦସ୍ୟ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହା ପରେ ଶମ୍ଭୁମାନେ ପୁନର୍ବାର ତହସିଲଦାରଙ୍କ ବାସଭବନଠାରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା ପରେ ନିଜସ୍ୱ ମନ୍ଦିରକୁ ବିଜେ କରିଥାନ୍ତି । ଏହି ପ୍ରସିଦ୍ଧ ଅଷ୍ଟଶମ୍ଭୁ ମେଳଣରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିବା ବେଳେ ରାସ୍ତାର ଦୁଇ ପାଖରେ ଶତାଧିକ ବିଭିନ୍ନ ଖେଳନା ଓ ଘରୋଇ ସାମଗ୍ରୀ ଦୋକାନ ଖୋଲାଯାଇଥିବା ଦେଖିବାକୁ ମିଳିଛି ।
Comments are closed.