ଯୋଧପୁର : ସର୍ଜିକାଲ ଷ୍ଟ୍ରାଇକକୁ ୨ବର୍ଷ ପୂରଣ ଅବସରରେ ଆୟୋଜନ ହୋଇଛି ପରାକ୍ରମ ପର୍ବ। ରାଜସ୍ଥାନ ଯୋଧପୁରସ୍ଥିତ ସେନା ପଡିଆରେ ଆୟୋଜିତ ପରାକ୍ରମ ପର୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ବ୍ୟାଟଲ ଆକ୍ସ ଗ୍ରାଉଣ୍ଡରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏକ ବାର୍ତ୍ତା ଲେଖିଥିଲେ। ପରେ ସେ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ଏଠାରେ ଥିବା କୋଣାର୍କ ଯୁଦ୍ଧ ସ୍ମାରକୀରେ ମଧ୍ୟ ପ୍ରଧାନମନ୍ତ୍ରୀ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସାମିଲ ହୋଇଥିଲେ। ପ୍ରଦର୍ଶନୀ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଯୋଧପୁର ବାୟୁସେନା ଘାଟିରେ ଆୟୋଜିତ ସେନା କମାଣ୍ଡରମାନଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେଇଥିଲେ। ସମ୍ମିଳନୀରେ ତିନି ସୈନ୍ୟବାହିନୀର ମୁଖ୍ୟ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦୧୬ ସେପ୍ଟେମ୍ବର ୨୯ତାରିଖରେ ଭାରତୀୟ ସେନା ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ଏଥିରେ ଆତଙ୍କବାଦୀଙ୍କ ଅନେକ ଶିବିର ଧ୍ୱଂସ ହେବା ସହ ଅନେକ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ସର୍ଜିକାଲ ଷ୍ଟ୍ରାଇକ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ସର୍ଜିକାଲ ଷ୍ଟ୍ରାଇକର ୨ବର୍ଷ ପୂର୍ତ୍ତି, ପ୍ରଧାନମନ୍ତ୍ରୀ ଉଦ୍ଘାଟନ କଲେ ପରାକ୍ରମ ପର୍ବ ପ୍ରଦର୍ଶନୀ
Popular Categories



