ସାଲେପାଲିରେ ଅବ୍ୟବସ୍ଥା: ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ହଟହଟା
ବଲାଙ୍ଗିର:ମଙ୍ଗଳବାର ବଲାଙ୍ଗିର ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ସ୍ଥିତି ବୁଲି ଦେଖିବା ବେଳେ ଅନେକ ମତଦାନ କେନ୍ଦ୍ରରେ ଭିନ୍ନକ୍ଷମମାନେ ହଟହଟା ହେଉଥିବା ନଜରକୁ ଆସିଛି। ଏହିକ୍ରମରେ ଦେଓଗାଁ ପଞ୍ଚାୟତ ସମିତିର ଅତ୍ୟନ୍ତ ସ୍ପର୍ଶକାତର ସାଲେପାଲି ପଞ୍ଚାୟତର ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ଜଣେ ଭୋଟର୍(ବୃଦ୍ଧା)ଙ୍କୁ ମତଦାନ ପାଇଁ ନାତି କାଖେଇ କାଖେଇ ଆଣୁଥିବା ବେଳେ ଜଣେ ମହିଳା ଭୋଟର୍ ୩ଥର ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରକୁ ଯାଇ ନିରାଶ ହୋଇ ଫେରିଛନ୍ତି। ଏଠାରେ ୫ରୁ ଅଧିକ ବୁଥ୍ ଥିବା ବେଳେ ଅସହାୟଙ୍କୁ ନେବା ଆଣିବା ପାଇଁ ଗୋଟିଏ ବି ହ୍ୱିଲ୍ ଚେୟାର୍ ନଥିଲା। ତେଣୁ ଭିନ୍ନକ୍ଷମ, ବୃଦ୍ଧ-ବୃଦ୍ଧାମାନେ ଅନେକ କଷ୍ଟରେ ମତଦାନ କରିବାକୁ ଆସୁଥିଲେ।
ସେହିପରି ସାଲେପାଲି ଗାଁର ଅନ୍ୟଜଣେ ଭୋଟର୍ ହେଲେ ସରୁବାଲି ବିଶ୍ୱାଳ। ବୁଥ୍ ସଂଖ୍ୟା-୧୦ରେ ତାଙ୍କର ମତଦାନ ପାଇଁ ନାଁ ରହିଥିଲା। ସେ ବୁଥ୍ରେ ପହଞ୍ଚି ଭୋଟ୍ ଦେବାକୁ ଚାହୁଁଥିଲେ ବି ନିରାଶ ହୋଇ ବୁଥ୍ ବାହାରେ ଅସନ୍ତୋଷ ପ୍ରକାଶ କରୁଥିଲେ।
ସବୁଠାରୁ ବଡ କଥା ହେଉଛି ଜଣେ ଜଣେ ଭୋଟରଙ୍କ ନାଁ ଦୁଇ ଦୁଇଟି ବୁଥରେ ବି ରହୁଛି। ସାଲେପାଲି ବୁଥ୍ ୧୦ ଓ ୧୧ରେ ଏମିତି ହୋଇଥିବା ଅଭିଯୋଗ ଆସିଛି। ଆଉ କିଛି ଚତୁର ଭୋଟର୍ ଦୁଇଟି ନାଁରେ ଆଧାର ଓ ଭୋଟର୍ ପରିଚୟ ପତ୍ର ତିଆରି କରିଛନ୍ତି ଏବଂ ୨ଟି ସ୍ଥାନରେ ଭୋଟ୍ ଦେଇଛନ୍ତି।
Comments are closed.