ସଫଳତାର ଶ୍ରେଷ୍ଠ ସୂତ୍ର

0

ପ୍ରଗାଢ଼ ଅଧ୍ୟବସାୟ, ନିଷ୍ଠା ଏକାଗ୍ରତା ବଳରେ ଅସମ୍ଭବ ବୋଧ ହେଉଥିବା କାର୍ଯ୍ୟ ସମ୍ଭବ ହୋଇଥାଏ। ଅନେକେ ଧନସମ୍ପଦ, ପ୍ରାଚୁର୍ଯ୍ୟକୁ ପ୍ରତିଷ୍ଠା, ପଦମର୍ଯ୍ୟାଦାର ଆନୁଷଙ୍ଗିକ ଭୂଷଣ ଭାବରେ ଗ୍ରହଣ କରିଛନ୍ତି, କିନ୍ତୁ ତାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ସଫଳତା ପ୍ରାପ୍ତି ନିମନ୍ତେ ଏକନିଷ୍ଠ ଉଦ୍ୟମ ହିଁ ସର୍ବୋପରି। ମହାପୁରୁଷମାନଙ୍କ ଜୀବନୀ ଅନୁଧ୍ୟାନ କଲେ ଏହି ସତ୍ୟ ସ୍ପଷ୍ଟ ପ୍ରତିଭାତ ହୋଇଥାଏ।
ସେ ସମୟରେ ଆମେରିକାର ରାଷ୍ଟ୍ରପତି ପଦରେ ଆସୀନ ଥାନ୍ତି ରୁଜଭେଲଟ୍‌। ରୁଜଭେଲଟ୍‌ଙ୍କ ଅସାଧାରଣ ସଫଳତା ସମ୍ପର୍କରେ ଜାଣି ଜନୈକ ସାମ୍ବାଦିକ ତାଙ୍କୁ ଭେଟିବାକୁ ଆସିଥିଲେ। ରୁଜଭେଲଟ୍‌ଙ୍କୁ ​‌େ​‌ଭଟିବା ପରେ ସେ ତାଙ୍କ ଦ୍ବାରା ଗଭୀରଭାବେ ପ୍ରଭାବିତ ହୋଇଥିଲେ। ଆଲୋଚନା କ୍ରମେ କହିଥିଲେ- ଯଦି ଅନୁମତି ଦିଅନ୍ତି ଏକ ପ୍ରଶ୍ନ ପଚାରନ୍ତି ଯାହା ମୋତେ ଆନ୍ଦୋଳିତ କରୁଛି। ଅନୁମତି ପାଇବା ପରେ ପଚାରିଥିଲେ- ସାର୍‌! ଜୀବନରେ ସଫଳତା ପ୍ରାପ୍ତି ନିମନ୍ତେ ଅସାଧାରଣ ଯୋଗ୍ୟତା ଅନିବାର୍ଯ୍ୟ କି? ଯଦି ଅସାଧାରଣ ଯୋଗ୍ୟତା କାରଣରୁ ଆପଣ ଆମେରିକାର ସ​‌େ​‌ର୍ବାଚ୍ଚ ପଦରେ ଆସୀନ ହୋଇଥାନ୍ତି ତେବେ ଆପଣ ଜଣେ ସାଧାରଣ ମଣିଷ ହୋଇ ଏହି ଯୋଗ୍ୟତା ହାସଲ କରିପାରିଲେ କିପରି?
ସାମ୍ବାଦିକଙ୍କ ଏଭଳି ପ୍ରଶ୍ନରେ ହସିହସି ରୁଜଭେଲଟ କହିଥିଲେ- ଆପଣ ଭଲ ପ୍ରଶ୍ନଟିଏ ପଚାରିଛନ୍ତି। ମୋ ବିଚାରରେ ଜୀବନରେ ସଫଳତା ପାଇବାକୁ ହେଲେ ଦୁଇଟି ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେବ। ଏହା ବ୍ୟତିରେକ ସଫଳତା ଅସମ୍ଭବ। ପ୍ରଥମଟି ହେଲା କିଛି ବ୍ୟକ୍ତି କଠିନରୁ ଅତି କଠିନତମ ସମସ୍ୟା ସ୍ବୀୟ ପ୍ରତିଭା, କୌଶଳ ଓ ଦୂରଦୃଷ୍ଟିର ସୁବିନିଯୋଗ ପୂର୍ବକ ସମାଧାନ କରି ଅସାଧାରଣ ପ୍ରତିଭା ସଂପନ୍ନ ବ୍ୟକ୍ତିତ୍ବ ରୂପେ ଅବତୀର୍ଣ୍ଣ ହୋଇଥାନ୍ତି। ଦ୍ବିତୀୟ ମାର୍ଗ ହେଲା ସାଧାରଣ ଯୋଗ୍ୟତା ଥାଇ ମଧ୍ୟ ଯଦି କୌଣସି ବ୍ୟକ୍ତି ଏକାଗ୍ରତାସହକାରେ ନିଷ୍ଠାରସହ କାର୍ଯ୍ୟ କରିଥାଏ। ଏହା ଆତ୍ମବିଶ୍ବାସ ସୃଷ୍ଟି ଦିଗରେ ସହାୟକ ହୋଇଥାଏ। ଏମିତି ଅନେକ କାର୍ଯ୍ୟ ଅଛି ଯାହା ବାହାରକୁ ମୁସ୍କିଲ ଦେଖାଯାଇଥାଏ। ଏହି କାର୍ଯ୍ୟ ସଂପାଦନା କରିବା ଏକପ୍ରକାର ଅସମ୍ଭବ ବୋଧ ହୋଇଥାଏ। ହେଲେ ଏକାଗ୍ରତା ବଳରେ ଏହି କାର୍ଯ୍ୟ ସଂପନ୍ନ କରିବା ଅତି ସହଜ ହୋଇଯାଏ, ଅସମ୍ଭବ ସମ୍ଭବରେ ପରିଣତ ହୋଇଯାଏ।
ପ୍ରତ୍ୟେକ ମନୁଷ୍ୟ ଏକାଗ୍ରତାପୂର୍ବକ କାର୍ଯ୍ୟକଲେ ଅସାଧାରଣ ସଫଳତା ଲାଭରେ ସକ୍ଷମ ହୋଇ ପାରନ୍ତେ। ହେଲେ ବିଡ଼ମ୍ବନା ଏହା ଯେ ସେମାନେ ଆଳସ୍ୟ, ଅନ୍ୟର କୁତ୍ସାରଟନା ତଥା ଭିନ୍ନ କାର୍ଯ୍ୟରେ ଅଧିକତର ସମୟ ଦେଇ ଏହା କରିପାରିନଥାନ୍ତି। ସଫଳତା କେବଳ ସେଇମାନଙ୍କୁ ମିଳିଥାଏ ଯେଉଁମାନେ ନିଷ୍ଠା ଓ ଧୈର୍ଯ୍ୟ ସହକାରେ ଲକ୍ଷ୍ୟପ୍ରାପ୍ତି ନିମନ୍ତେ କାର୍ଯ୍ୟ କରିଥାନ୍ତି। ମୋର କୌଣସି ଅସାଧାରଣ ପ୍ରତିଭା ନାହିଁ। ହଁ, ମୋର କାର୍ଯ୍ୟ କରିବାରେ ପ୍ରବଳ ଅଭୀପସା ରହିଛି ଓ ଏହି ଆକାଙ୍‌କ୍ଷା ହିଁ ମୋତେ ଏହି ପଦରେ ଅଧିଷ୍ଠିତ କରାଇଛି। ଏହି କାରଣରୁ ମୁଁ କହୁଚି ସାଧାରଣ ଯୋଗ୍ୟତା ଥିବା ବ୍ୟକ୍ତି ଅସାଧାରଣ ସଫଳତା ହାସଲ କରିପାରନ୍ତି, କିନ୍ତୁ ଏ ନିମନ୍ତେ ସର୍ବଦା ପ୍ରଯତ୍ନ କରିବା ଆବଶ୍ୟକ। ଏହାହିଁ ସଫଳତାର ସର୍ବଶ୍ରେଷ୍ଠ ସୂତ୍ର।

Leave A Reply