ମହାନଦୀ ଶାଖାନଦୀର ପୁନରୁଦ୍ଧାର ଯୋଜନା କାହିଁ?

0

ମହାନଦୀ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ। ଏକଥା ଘୋଷଣା କରିଥିଲେ ରାଜ୍ୟ ଜଳସଂପଦ ସଚିବ। ମହାନଦୀର ଶାଖା ଓ ଉପନଦୀରେ ଏକାଧିକ ବ୍ୟାରେଜ ଓ ଆନିକଟ ହେବ ବୋଲି ସଚିବ ସୂଚନା ଦେଇଥିଲେ, କିନ୍ତୁ କେଉଁଠି ହେବ ଏବଂ ବ୍ୟୟ ଅଟକଳ ଓ ସମୟସୀମା କ’ଣ ତାହା ସେ ସାର୍ବଜନୀନ କରିନାହାନ୍ତି। ଏହାହିଁ ବିଡ଼ମ୍ବନା। ମହାନଦୀର ମାଷ୍ଟରପ୍ଲାନ ପ୍ରସ୍ତୁତି ଏକ ସହଜସାଧ୍ୟ ବ୍ୟାପାର ନୁହେଁ। ଅନେକ ଅନୁଧ୍ୟାନ, ବିଚାରବିମର୍ଶ, ମଡ଼େଲ ଓ ପ୍ରଯୁକ୍ତିଗତ ବିଶ୍ଲେଷଣକୁ ନେଇ ହିଁ ଏହି ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇପାରିବ। ମହାନଦୀ ମାଷ୍ଟରପ୍ଲାନ ପାଇଁ ବିଶେଷଜ୍ଞ କମିଟି କେବେ ଗଠନ ହୋଇଛି , କେଉଁଠି ବସିଛି ଏବଂ ସର୍ତ୍ତାବଳୀ କ’ଣ ରହିଛି ତାହା ଅଦ୍ୟାବଧି କେହି ଜାଣନ୍ତି ନାହିଁ।
ଏବେ ଆମେ ଆସିବା ବିଷୟବସ୍ତୁକୁ। ମୋ ଜାଣିବାରେ ୧୯୮୨ ମସିହାରେ ମହାନଦୀରେ ଆସିଥିଲା ଏକ ବଡ଼ ବନ୍ୟା। ଏହି ବର୍ଷ ଦେବୀ ନଦୀରେ ଦ୍ୱିତୀୟ ଥର ଦଳେଇଘାଇ ହୋଇଥିଲା। ୧୯୮୨ ବନ୍ୟାରେ ଭୁବନେଶ୍ୱର ପଳାଶୁଣି ପୋଲ ପାଖରେ କୁଆଖାଇ ବନ୍ୟାଜଳ ପ୍ରବାହିତ ହୋଇ ଏକ ବଡ଼ ଧରଣର ଘାଇ ହୋଇଥିଲା। ଏଥିସହ କଟକ – ଭୁବନେଶ୍ୱର ଜାତୀୟ ରାଜପଥର ପୀରବଜାର ନିକଟରେ ମଧ୍ୟ ଏକ ବଡ଼ ଧରଣର ଘାଇ ହୋଇଥିଲା। ଏହି ୨ଟି ଘାଇ ଯୋଗୁଁ କଟକ- ଭୁବନେଶ୍ୱର ମଧ୍ୟରେ ଦୀର୍ଘ ଦିନ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ୨୦୦୮ରେ ଆସିଥିଲା ଆଉ ଏକ ବଡ଼ ବନ୍ୟା। ଏହି ବର୍ଷ ମହାନଦୀର ମୁଣ୍ଡଳୀ ନିକଟରେ ୧୫ ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହୋଇଥିଲା।
ଇତିମଧ୍ୟରେ ମହାନଦୀ ଶଯ୍ୟା ଶୁଖିଯାଇଛି। ୧୯୮୨ରୁ ୨୦୧୮, ଦୀର୍ଘ ୩୬ ବର୍ଷ ମଧ୍ୟରେ ଘଟିଛି ଅନେକ ପରିବର୍ତ୍ତନ। ଯେଉଁଠି ବନ୍ୟା ସୁଅ ଚାଲୁଥିଲା ସେ ଜାଗା ଏବେ ଦୁଇମହଲା, ତିନିମହଲା କୋଠାରେ ପରିପୂର୍ଣ୍ଣ। ପାଣି ନିଷ୍କାସନର ରାସ୍ତାଟିଏ ଦେଖାଯାଉ ନାହିଁ। ଏକଦା ପୂର୍ଣ୍ଣଗର୍ଭା ମହାନଦୀ ଆଜି ବନ୍ଧ୍ୟା। ବସ୍ତର ଅଞ୍ଚଳରୁ ଜନ୍ମ ନେଇଥିବା ଏହି ଚିରସ୍ରୋତା ଝରଣାକୁ ଉପର ମୁଣ୍ଡରେ ଥିବା ରାଜ୍ୟ ଛତିଶଗଡ଼ ଅଟକାଇ ଦେଇଛି। ଏହି ଭଗୀରଥକୁ ଏବେ କିଏ ଆଣିବ ? ଏଥିପାଇଁ ଚାଲିଛି ପ୍ରତିଯୋଗିତା, କିନ୍ତୁ ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ଜାଲ ପରି ବିଛେଇ ହୋଇଥିବା ଶାଖା ନଦୀଗୁଡ଼ିକର ପୁନରୁଦ୍ଧାର ଓ ସେଥିରେ ଜଳ ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ସଂପର୍କରେ ଆଲୋଚନା ନାହିଁ।
ବାସ୍ତବ ବିଷୟ ହେଲା ମହାନଦୀ ଓଡ଼ିଶା ମଧ୍ୟରେ ୪୯୦ କିଲୋମିଟର ପଥ ଗତି କରିଥିବାବେଳେ ଛତିଶଗଡ଼ରେ ଏହାର ଯାତ୍ରା ପଥ ପ୍ରାୟ ୩୫୭ କିଲୋମିଟର। ଓଡ଼ିଶାରେ ମହାନଦୀର ଯାତ୍ରାପଥ ଅଧିକ ଥିଲେ ମଧ୍ୟ ଏହାର ଅବବାହିକା ଅଞ୍ଚଳ ଛତିଶଗଡ଼ ତୁଳନାରେ ପ୍ରାୟ ୧୦ ହଜାର ବର୍ଗ କିଲୋମିଟର କମ୍, କିନ୍ତୁ ଦୀର୍ଘ ବର୍ଷ ଧରି ସରକାରୀ ସ୍ତରରେ ଏହି ନଦୀ ପ୍ରତି ଅବହେଳା କରାଗଲା। ଜଣାଯାଏ ଯେ ୨୦୦୧ ମସିହାରେ ମହାନଦୀ ବନ୍ୟାଜଳ ତ୍ରିକୋଣଭୂମି ଅଞ୍ଚଳର ପ୍ରବେଶ କରିବା ସମୟରେ ନରାଜଠାରେ ଏହାର ପରିମାଣ ଥିଲା ୧୪ ଲକ୍ଷ ଘନଫୁଟ। ଏହାପୂର୍ବରୁ ୧୯୮୨ ମସିହାରେ ନରାଜ ନିକଟରେ ୧୫ ଲକ୍ଷ ୮୪ ହଜାର ଘନଫୁଟ ପାଣି ପ୍ରବାହିତ ହୋଇଥିଲା। ଏଥିରେ ମହାନଦୀ ଉପନଦୀଗୁଡ଼ିକର ଅବଦାନ ଥିଲା ୧୦ ଲକ୍ଷ ୨୫ ହଜାର ଘନଫୁଟ। ସେହିପରି ୧୯୯୧ ମସିହାରେ ନରାଜଠାରେ ୧୨ ଲକ୍ଷ ୨୧ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିବାବେ‌େ‌ଳ ଏଥିରେ ଉପନଦୀର ଅବଦାନ ଥିଲା ୧୧ ଲକ୍ଷ ଘନଫୁଟ। ସମାନ ଭାବେ ୨୦୦୮ ମସିହା ବନ୍ୟା ମୁଖ୍ୟତଃ ହୀରାକୁଦର ତଳମୁଣ୍ଡରେ ଥିବା ମହାନଦୀର ଉପନଦୀଗୁଡ଼ିକ ଯୋଗୁଁ ଘଟିଛି। ଏଥିରୁ ଗୋଟିଏ ବିଷୟ ଅତି ସ୍ପଷ୍ଟ ହେଉଛି ଯେ ମହାନଦୀରେ ଉପରମୁଣ୍ଡ ଜଳଜନିତ ବନ୍ୟା ପ୍ରକୋପ ନବେ ଦଶକରୁ ହ୍ରାସ ପାଇଥିବା ଜଣାପଡ଼ୁଛି। ଯାହା ବନ୍ୟା ହେଉଛି ତାହା ତଳମୁଣ୍ଡ ପାଣି ଯୋଗୁଁ, କିନ୍ତୁ ଏହି ନଦୀଗୁଡ଼ିକରେ ସ୍ୱାଭାବିକ ଜଳ ପ୍ରବାହ ବା ସଂରକ୍ଷଣ ପାଇଁ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। କେବଳ ମଝିରେ ମହାନଦୀ ଉପରେ ଟିକରପଡ଼ା, ମଣିଭଦ୍ରା, ସୁବଳୟା ଓ ସିଣ୍ଡୋଲ ପ୍ରକଳ୍ପ କଥା ଉଠିଥିଲା। ଏହା ସେତେବେଳ ପାଇଁ ସମ୍ଭବପର ନଥିଲା। କାରଣ ହୀରାକୁଦ ବିସ୍ଥାପିତଙ୍କ କ୍ଷତ ଆଜିଯାଏ ଶୁଖିନାହିଁ। ତେଣୁ ସେ ସମୟରେ ଟିକରପଡ଼ା ଓ ମଣିଭଦ୍ରାକୁ ନେଇ ତୀବ୍ର ଆନ୍ଦୋଳନ ଦେଖାଦେଇଥିଲା। ତେଲ, ହାତୀ, ହରିହରଯୋର, ଶାଲୁଙ୍କି, ଜିରା, ଅଙ୍ଗ, ଶୁକତେଲ ଆଦି ଉପନଦୀଗୁଡ଼ିକର ଜଳପ୍ରବାହକୁ ସୁନିୟନ୍ତ୍ରିତ ଓ ସୁପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରାଗଲା ନାହିଁ।
ସେହିପରି ମହାନଦୀର ଶାଖା ନଦୀରେ ଜଳସେଚନ ବା ଜଳସଂରକ୍ଷଣ ପାଇଁ ବିଗତ ୪୦ ବର୍ଷ ମଧ୍ୟରେ କୌଣସି ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ଅନେକ ଶାଖାନଦୀ ଏବେ ପ୍ରାୟ ମୃତ। ନରାଜ ପରେପରେ ମହାନଦୀ ତ୍ରିକୋଣଭୂମି ଆରମ୍ଭ ହୋଇଯାଇଛି। ମଣ୍ଡାପଡ଼ା ନିକଟରେ ମହାନଦୀର ବାମପାର୍ଶ୍ବରୁ ବିରୁପା ନଦୀ ଶାଖା ମେଲାଇ ଥିବାବେଳେ ଡ଼ାହାଣରେ କାଠଯୋଡ଼ି। କାଠଯୋଡ଼ି ବାମପାର୍ଶ୍ବରୁ କାଜିପାଟଣା ନିକଟରୁ କୁଆଖିଆ ନଦୀ ବାହାରି ଦୟା, ଭାର୍ଗବୀ ଓ କୁଶଭଦ୍ରା ଆଦି ନାମରେ ପୁରୀ ଜିଲାରେ ଘେରିଛି। କାଠଯୋଡ଼ି ଆଗକୁ ଯାଇ ଦେବୀ, କନ୍ଦଳ, ଛିଣ୍ଡା, ଦଇଖାଇ, ବିଲୁଆଖାଇ, ଅଳକା ଆଦିରେ ପରିଣତ ହୋଇଥିବାବେଳେ ମୂଳ ମହାନଦୀ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାରେ ଲୁଣା, ଚିତ୍ରୋତ୍ପଳା, ଗେଙ୍ଗୁଟି ଓ ପାଇକା ଆଦି ଏକାଧିକ ଶାଖାନଦୀରେ ପରିଣତ ହୋଇଛି। ଏହା ମଧ୍ୟରେ ରହିଛି ପ୍ରାଚୀ। କୁହାଯାଏ ଏକଦା ପ୍ରାଚୀ ଥିଲା ସୁନାବ୍ୟା, ପୁଣ୍ୟତୋୟା ନଦୀ। କୂଳରେ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ସାଧନା ପୀଠ। ତ୍ରିବେଣୀ ଘାଟ। ମାଧବାନନ୍ଦଜୀଉଙ୍କ ମନ୍ଦିର। ଏକାଧିକ ମଠ। ସେଥିମଧ୍ୟରେ ରହିଛି ଦେଉଳି ମଠ। କୋଣାର୍କ ମନ୍ଦିର ପାଇଁ ପ୍ରାଚୀ ଜଳପଥ ଦେଇ କୁଆଡ଼େ ପଥର ପରିବହନ କରାଯାଉଥିଲା ବୋଲି କୁହାଯାଏ। ପ୍ରାଚୀର ଉତ୍ପତ୍ତିସ୍ଥଳ ଏବେ ଜଣାପଡ଼ୁ ନାହିଁ। ଦେଉଳି ମଠ ନିକଟରେ ପ୍ରାଚୀ ଅବସ୍ଥା ଏପରି ଯେ ଗତ ନବକଳେବର ସମୟରେ ବନଯାଗ ଯାତ୍ରାରେ ଆସିଥିବା ଦଇତାମାନେ ଏଠାରେ ସ୍ନାନ କରିନଥିଲେ। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପାଣି ବ୍ୟବସ୍ଥା କରାଯାଇଥିଲା। ଖାଲି ପଙ୍କ କାଦୁଅ। ଏକଦା କାଚକେନ୍ଦୁ ପରି ପାଣି ଥିବା ଏହି ଗଭୀର ନଈର ଏପରି ଅବସ୍ଥା ନେଇ ଏହି ଲେଖକଙ୍କ ନିକଟରେ କ୍ଷୋଭ ପ୍ରକାଶ କରିଥିଲେ ଜଣେ ବୟସ୍କ ଦଇତା। ଫୁଲନଖରା ଛକଠାରୁ କଣ୍ଟାପଡ଼ା, ଅଡ଼ଶପୁର ରାସ୍ତା ଦେଇ ଯିବାବେଳେ ଡ଼ାହାଣ ପାର୍ଶ୍ବରେ ପ୍ରାଚୀର ଆଉ ଚିହ୍ନବର୍ଣ୍ଣ ଦେଖାଯାଉ ନାହିଁ। ପ୍ରାଚୀ ଶଯ୍ୟାରେ ଏବେ ଆଖୁ କିଆରି, ଶିକ୍ଷାନୁଷ୍ଠାନ, ଆଉ ମାଳମାଳ କୋଠାଘର ଦେଖିବାକୁ ମିଳୁଛି। କାଳିଆଘାଇ ଆଗ ପର୍ଯ୍ୟନ୍ତ ଏହିପରି ଅବସ୍ଥା। ୧୯୮୨ ବନ୍ୟାରେ ଉଦବୃତ୍ତ ଜଳରାଶିକୁ ପ୍ରାଚୀ ନିଜ ଗର୍ଭରେ ଧରି ରଖିଥିଲା, ଯାହା ଏହି ଲେଖକ ନିଜ ଆଖିରେ ଦେଖିଛି, କିନ୍ତୁ ପ୍ରାଚୀର ସେ ଅବସ୍ଥା ଆଉ ନାହିଁ। ଏହାର ଶେଷ ପର୍ଯ୍ୟାୟ କାଦୁଆ ମୁହାଁଣ ଏବେ ସଂପୂର୍ଣ୍ଣ ପୋତି ହୋଇଯାଇଛି। ଆଖପାଖରେ ଥିବା ଚାଷଜମିକୁ ସ୍ଥାନୀୟ ଜନସାଧାରଣ ଶାଗମାଛ ମୂଲରେ ବିକ୍ରି କରୁଛନ୍ତି। ଏହାକୁ କିଣୁଛନ୍ତି ଶିଳ୍ପପତି, ପ୍ରଭାବଶାଳୀ ବ୍ୟକ୍ତି ଓ ଜମି ମାଫିଆ। ଏବେ ଯିବା କନ୍ଦଳ ନଦୀକୁ। ବିଗତ କିଛି ବର୍ଷ ହେଲା ଏ ନଈରେ ଆଉ ବନ୍ୟା ଜଳ ଦେଖିବାକୁ ମିଳୁନାହିଁ। ଯେଉଁ ନଈ କାରଣରୁ ବନ୍ୟା ସମୟରେ ଡଙ୍ଗାପାରି ଯୋଗୁଁ ୫ କିଲୋମିଟର ରାସ୍ତା ଯାଇ ଫେରିବାକୁ ଗୋଟିଏ ଦିନ ପ୍ରାୟ ଲାଗିଯାଉଥିଲା ସେ ନଈ ଶଯ୍ୟାସାରା ଏବେ ଖାଲି ପଠା ଓ ବୁଦା। ଛିଣ୍ଡା ନଦୀ ଏବେ ମୃତ। ଦଇଖାଇ କେବେଠୁ ମୃତ। ଏ ନଦୀ ଶଯ୍ୟାରେ ଏବେ ଏକାଧିକ ନିର୍ମାଣ କାର୍ଯ୍ୟ ଚାଲିବା ସହ ୨ଟି ମହାବିଦ୍ୟାଳୟ ମଧ୍ୟ ଦଣ୍ଡାୟମାନ। ଛବିରାଣୀ ହତ୍ୟାକାଣ୍ଡର ମୂକସାକ୍ଷୀ ବିଲୁଆଖାଇର ଅବସ୍ଥା ମଧ୍ୟ ଅନୁରୂପ। ନଈସାରା ପାଦଚଲା ରାସ୍ତା ଆଉ ବୁଦାବଣ। ସ୍ରୋତସ୍ୱିନୀ ଅଳକା। ଏହାରି ନାମରେ ନବକୃଷ୍ଣ ଚୌଧୁରୀ ପ୍ରତିଷ୍ଠା କରିଥିଲେ ଅଳକା ଆଶ୍ରମ। ଏବେ ଅଳକା ଠାଏଠାଏ ବଡ଼ ପୋଖରୀ ଭଳି ଦେଖାଯାଉଛି। ବିରୁପାର ଉତ୍ପତ୍ତି ସ୍ଥଳ କଟକ ନିକଟରେ ପୋତି ହୋଇଗଲାଣି। ଫଳରେ ତଳମୁଣ୍ଡକୁ ପାଣି ଯାଇନପାରି ନଦୀ ମଧ୍ୟରେ ଚଡ଼ା ଓ ମାଳମାଳ ଅଣଖୁଆ ଗଛ ଭର୍ତ୍ତି ହୋଇଗଲାଣି। ଇନ୍ଦୁପୁର ନିକଟରେ ଏହାର ମୁହାଣରେ ବେଣା ଓ ଖରି ବୁଦାର ପଠା ସୃଷ୍ଟି କଲାଣି। କାଠଯୋଡ଼ିରେ ବେଲଭ୍ୟୁ ବନ୍ୟା ସୂଚକାଙ୍କର ଚିହ୍ନବର୍ଣ୍ଣ ନାହିଁ। ନେତାଜୀ ସୁଭାଷ ସେତୁ ନିର୍ମାଣ ପାଇଁ ଏହି ଖୁଣ୍ଟି ସହ ପ୍ରାୟ ୩୦ ମିଟର ନଦୀ ଗର୍ଭ ୧ କିଲୋମିଟର ଲମ୍ବରେ ପୋତି ଦିଆଯାଇଛି। ଦେବୀ ନଦୀର ଏରଞ୍ଚ ବା କୁଳଶ୍ରୀ ଘାଟରେ ବର୍ଷାଦିନେ ଆଉ ଇଲିଶି ଧରାହେଉ ନାହିଁ। ଏହି ନଦୀର ଦଳେଇଘାଇ ବନ୍ଧ ଉପରେ ଏବେ ଛିଡ଼ା ହେଲେ ଏଠା​‌େ​‌ର ଯେ ୧୯୫୫ ମସିହାରେ ଏକ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଥିଲା ତାହା ଅନୁମାନ କରିହେଉ ନାହିଁ। ନଈରେ ଏବେ କିଛିକିଛି ଖଣ୍ଡ-ବିଖଣ୍ଡିତ ପାଣିଧାର ଦେଖାଯାଉଛି। ଏହେଲା ମହାନଦୀର କିଛି ଶାଖାନଦୀର ଦୁରବସ୍ଥା ସଂପର୍କରେ ଏକ ବିହଙ୍ଗାବଲୋକନ। ଶାଖା ନଦୀଗୁଡ଼ିକର ଏପରି ମୃତ ଅବସ୍ଥା ଯୋଗୁଁ ତ୍ରିକୋଣଭୂମି ଅଞ୍ଚଳର ଏକ ବିସ୍ତୀର୍ଣ୍ଣ ଜନଜୀବନ ପ୍ରଭାବିତ ହେଉଛି। ମତ୍ସ୍ୟ ସଂପଦ ହ୍ରାସ ପାଇଛି। ଚାଷ ପରିମାଣ କମୁଛି। ଭୂତଳ ଜଳ ଦ୍ରୁତ ଭାବେ ହ୍ରାସ ପାଉଛି।
ତେଣୁ ବର୍ତ୍ତମାନ ଯେଉଁ ଆନିକଟ କଥା ସରକାର କହୁଛନ୍ତି ତାହାର ସଫଳତା ଆଗାମୀ ସମୟ କହିବ। ତେବେ କୌଣସି କଂକ୍ରିଟ ବ୍ୟବସ୍ଥା ଗ୍ରହଣ ନକରି ଶାଖା ନଦୀଗୁଡ଼ିକରେ ଅତିକ୍ଷୁଦ୍ର ମାଟି ଆନିକଟ ନିର୍ମାଣ କରାଯାଇପାରେ। ତଳ ଅଞ୍ଚଳକୁ ପାଣି ଯିବାପାଇଁ ଏଥିରେ ସ୍ଲୁଇସ ବ୍ୟବସ୍ଥା ଗ୍ରହଣ କରାଯାଇପାରେ। ଏହାଦ୍ୱାରା ବନ୍ୟା ସମୟରେ ମାଟି ବନ୍ଧ ଧୋଇଯାଇ ଜଳ ନିଷ୍କାସନ ସୁଗମ କରିପାରିବ। ପରବର୍ତ୍ତୀ ସମୟରେ ପୁଣି ମାଟି ବନ୍ଧ ନିର୍ମାଣ କରାଯାଇପାରିବ। ଏହାଫଳରେ ଅନ୍ତତଃ ୮ ମାସ ପର୍ଯ୍ୟନ୍ତ ନଦୀର ଉପର ଶଯ୍ୟାରେ ପାଣି ରହିପାରିବ। ଏହାହେଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ଉପର ଜଳ ଚାଷକାର୍ଯ୍ୟ ଓ ଗୃହପାଳିତ ପଶୁଙ୍କ ପାଇଁ ଉପଯୋଗ ହୋଇପାରିବ। ଏଥିରେ ଗୋଷ୍ଠୀଭିତ୍ତିକ ମାଛଚାଷ ମଧ୍ୟ କରାଯାଇପାରିବ। ବନ୍ଧ ନିର୍ମାଣ ପୂର୍ବରୁ ଶାଖା ନଦୀର ମୁହଁ, ମୁହାଣ ଓ ଶଯ୍ୟାରେ ସୃଷ୍ଟି ହୋଇଥିବା ପଠା, ଚଡ଼ା ଓ ଜବରଦଖଲ ଉଚ୍ଛେଦ ହେବା ଆବଶ୍ୟକ।

Leave A Reply