BJD Bijuli 480×75 Mob

ପିପିଲି ଉପନିର୍ବାଚନ: ୪ ପ୍ରାର୍ଥୀଙ୍କ ବିରୋଧରେ ରହିଛି ଅପରାଧ ମାମଲା

BJD Bijuli 480×75 Mob

ପୁରୀ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଏବଂ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବହୁକୋଟି ଟଙ୍କା ସମ୍ପତ୍ତିର ମାଲିକ ବୋଲି ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡିଛି। ସମ୍ପତ୍ତିରେ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। କଳିଙ୍ଗସେନା ପ୍ରାର୍ଥୀ ପିଙ୍କଲିନ୍‌ ମହାନ୍ତିଙ୍କ ସମ୍ପତ୍ତି ସବୁଠାରୁ କମ୍ ବୋଲି ସୂଚନା ମିଳିଛି। ୪ଜଣ ପ୍ରାର୍ଥୀ ଆୟକର ରିଟର୍ଣ୍ଣ ଦାଖଲ କରି ନାହାଁନ୍ତି। କଂଗ୍ରେସ, ବିଜେଡି, ବିଜେପି ଏବଂ ସିପିଆଇ (ଏମଏଲ୍‌) ଲିବରେସନ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା ରହିଛି। ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମଙ୍ଗରାଜଙ୍କ ସମ୍ପତ୍ତି ୮କୋଟି ୧ଲକ୍ଷ ୪୦ହଜାର ୬ଟଙ୍କା ହୋଇଥିବା ବେଳେ ତାଙ୍କ ଉପରେ ୨କୋଟି ୬୨ଲକ୍ଷ ୮୦ହଜାର ୧୭୪ ଟଙ୍କା ପରିଶୋଧ ପାଇଁ ରହିଛି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ତାଙ୍କ ବିରୋଧରେ ୬ଗୋଟି ଅପରାଧ ମାମଲା ରହିଛି। ତାଙ୍କର ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟ ଥିବା ଅଜିତ ଦର୍ଶାଇଛନ୍ତି। ପିପିଲି ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୧୦ ପ୍ରାର୍ଥୀଙ୍କ ସତ୍ୟପାଠକୁ ଆଧାର କରି ଓଡ଼ିଶା ଇଲେକ୍ସନ ୱାଚ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କ ସମ୍ପତ୍ତି ପରିମାଣ ୫କୋଟି ୨୬ଲକ୍ଷ ୭୧ହଜାର ୯୯୭ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକୋତ୍ତର ଏବଂ ତାଙ୍କ ନାମରେ ୪ଗୋଟି ଫୌଜଦାରୀ ମାମଲା ରହିଛି। ସେ ଜଣେ ଦରମାପ୍ରାପ୍ତ କର୍ମଚାରୀ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମ୍ପତ୍ତି ପରିମାଣ ୯୭ ଲକ୍ଷ ୬୧ହଜାର ୬୬୮ ହୋଇଥିବା ବେଳେ ତାଙ୍କ ବିରୋଧରେ ୧୧ଟି ମୋକଦ୍ଦମା ରହିଛି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ ଏବଂ ସେ ଜଣେ ସମାଜସେବୀ ବୋଲି ଘୋଷଣା କରିଛନ୍ତି। ସିପିଆଇ (ଏମଏଲ୍‌) ଲିବରେସନ ପ୍ରାର୍ଥୀ ଅଶୋକ କୁମାର ପ୍ରଧାନଙ୍କ ସମ୍ପତ୍ତି ପରିମାଣ ୯୪ଲକ୍ଷ ୬୩ ହଜାର ୮୭୯ । ତାଙ୍କ ବିରୋଧରେ ଗୋଟିଏ ମୋକଦ୍ଦମା ବିଚାରାଧିନ ଅଛି। ଶ୍ରୀ ପ୍ରଧାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକୋତ୍ତର। ବୃତ୍ତି ସମାଜସେବା ବୋଲି ସେ ଦର୍ଶାଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ନଗେନ୍ଦ୍ରନାଥ ମିଶ୍ରଙ୍କ ସମ୍ପତ୍ତି ୨୩ଲକ୍ଷ ୨୨ହଜାର ୭୪୧ଟଙ୍କା। ସେ ଡକ୍ଟରେଟ୍‌ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସେ ଜଣେ ଅବସରପ୍ରାପ୍ତ କର୍ମଚାରୀ।
ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ପ୍ରତିଦ୍ବନ୍ଦିତା କରୁଥିବା ଜୟପ୍ରକାଶ ସେଠୀଙ୍କ ସମ୍ପତ୍ତି ପରିମାଣ ୧୯ଲକ୍ଷ ୫୦ହଜାର ୬ଶହ ଟଙ୍କା। ତାଙ୍କ ଉପରେ କୌଣସି ଦେୟ ବାକିନାହିଁ। ସେ ଡିପ୍ଲୋମା ପାସ୍‌ କରିଛନ୍ତି ଏବଂ ତାଙ୍କ ବୃତ୍ତି ବ୍ୟବସାୟ।

ଭାରତୀୟ ରିପବ୍ଲିକ ପାର୍ଟି ପ୍ରାର୍ଥୀ ମହମ୍ମଦ ଇମାମ୍‌ ଉଦିନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକୋତ୍ତର। ଭୁବନେଶ୍ବରରେ ସେ ଓକିଲାତି କରନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୩ଲକ୍ଷ ଟଙ୍କା। ସ୍ବାଧୀନ ପ୍ରାର୍ଥୀ ସ୍ବପ୍ନେଶ୍ବର ନାୟକଙ୍କ ସମ୍ପତ୍ତି ୨ଲକ୍ଷ ୧୩ହଜାର ୨ଶହ ଟଙ୍କା ଏବଂ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ। ସେ ଜଣେ ଆତ୍ମନିର୍ଭରଶୀଳ ବ୍ୟକ୍ତି। ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ଏକମାତ୍ର ମହିଳା ପ୍ରାର୍ଥୀ ସୁଲୋଚନା ସାହୁଙ୍କ ସମ୍ପତ୍ତି ପରିମାଣ ୧ଲକ୍ଷ ଟଙ୍କା​‌ ହୋଇଥିବା ବେଳେ ସେ କୃଷକ ପରିବାରର। କଳିଙ୍ଗ ସେନା ପ୍ରାର୍ଥୀ ପ୍ରିଙ୍କଲିନ୍‌ ମହାନ୍ତିଙ୍କ ସମ୍ପତ୍ତି ପରିମାଣ ମାତ୍ର ୩୩ହଜାର ଟଙ୍କା। ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ ବୋଲି ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ପ୍ରାର୍ଥୀ ଇମାମ୍‌ ଉଦିନ, ସ୍ବପ୍ନେଶ୍ବର, ସୁଲୋଚନା ପ୍ୟାନକାର୍ଡ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ କରିନାହାଁନ୍ତି।

Comments are closed.