ଭୁବନେଶ୍ବର : ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀରେ ଜୋର୍ଦାର ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଟିଟଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼ ଓ ଲୋଇସିଂହାରେ ଆୟୋଜିତ ନିର୍ବାଚନ ସଭାରେ ଭାଷଣ ଦେଇ ଦୋମୁହାଁ ଚରିତ୍ରକୁ ଲୋକଙ୍କ ସାମ୍ନାରେ ରଖିଛନ୍ତି। ସେ କହିଲେ ଯେ, ନବୀନ ପଟ୍ଟନାୟକଙ୍କ ବିଜୟ ମାର୍ଜିନ ସବୁ ରେକର୍ଡ ଭାଙ୍ଗୁ, ଇତିହାସ ସୃଷ୍ଟି କରୁ। ନବୀନ ପଟ୍ଟନାୟକ ନୂଆ ଓଡ଼ିଶାର ବିନ୍ଧାଣି। ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତେ କ୍ଷମତା ପାଇଁ ଆସନ୍ତି, କିନ୍ତୁ ସେବା ହିଁ ଆମ ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ମନ୍ତ୍ର। ଯଦି ଆଉ କିଏ ଏଠାରେ ଜିତିବେ ନିର୍ବାଚନମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ। ବିଜେପି ଉପରେ ଆକ୍ରମଣ କରି ସେ କହିଲେ ଯେ, ଛତିଶଗଡ଼ରୁ ମନ୍ତ୍ରୀମାନେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଶବ୍ଦ ବ୍ୟବହାର କରଛନ୍ତି। ପ୍ରଚାର କମ୍ କରୁଛନ୍ତି, ଟଙ୍କା ବାଣ୍ଟୁଛନ୍ତି। ସେମାନେ ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, କିନ୍ତୁ ସେପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ମହାନାୟକଙ୍କୁ ଗାଳି ଦେଉଛନ୍ତି। ଆପଣମାନେ ଏହାର ଉଚିତ ଜବାବ ଦିଅନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।
ବିରୋଧୀ ବିଜେପି କହୁଛି ସେମାନେ ସ୍ବଚ୍ଛ ମୁଖ୍ୟମନ୍ତ୍ରୀ ଦେବେ। ସେମାନଙ୍କ ଭାଷାରେ ଯଦି ନବୀନ ବାବୁ ସ୍ବଚ୍ଛ ନୁହନ୍ତି, ତେବେ ସେମାନେ ସ୍ବଚ୍ଛତାର ଅର୍ଥ ଜାଣି ନାହାନ୍ତି, ଏହା କେବଳ ସୂର୍ୟ୍ୟଙ୍କୁ ଟର୍ଚ୍ଚ ଦେଖାଇବା ଭଳି କଥା। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ଉଦାହରଣ ଦେଇ ସେ କହିଲେ ଯେ, ତାଙ୍କୁ ସବୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଆସିଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିକୁ ହିଁ ବାଛିଲେ। ତାଙ୍କ ହୃଦୟରେ ରହିଛି କଣ୍ଟାବାଞ୍ଜିର ବିକାଶ, କଣ୍ଟାବାଞ୍ଜି ବାସିନ୍ଦାଙ୍କ ଉନ୍ନତି। ନବୀନ ପଟ୍ଟନାୟକଙ୍କ ସରକାର ହେଉଛି ଆପଣମାନଙ୍କ ସରକାର। ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ୍ ଛାଡ଼ କରିବେ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବିଏସ୍କେୱାଇ ନବୀନ କାର୍ଡରେ ସାମିଲ ହେବେ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତିର ସଭ୍ୟ ଓ କର୍ମୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିବେ। ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧୀଙ୍କୁ କରେଣ୍ଟ ମାରିଲାଣି ଓ ସେମାନଙ୍କ ମୁଣ୍ଡ ଖରାପ ହେଲାଣି ବୋଲି ସେ କଟାକ୍ଷ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଯାହା ୧୫ ବର୍ଷରେ ପାଇବାର ଥିଲା ଏବେ ୧୫ ମାସ ମଧ୍ୟରେ ଆପଣମାନେ ପାଇବେ। ବିଭିନ୍ନ ସ୍ଥାନରେ ଲୋକଙ୍କୁ ବିକାଶ କାମର ହିସାବ ଦେଇଥିଲେ ଶ୍ରୀ ପାଣ୍ଡିଆନ। କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ପାଟଣାଗଡ଼ର ବିଧାୟକ ପ୍ରାର୍ଥୀ ସରୋଜ ମେହେର ଏବଂ ଲୋଇସିଂହାର ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ପ୍ରମୁଖ ବିଜେଡିର ସମସ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।



