www.samajalive.in
Sunday, December 7, 2025
16.1 C
Bhubaneswar

ଭୁଷୁଡ଼ିଥିଲା ନବ ନିର୍ମିତ ପୋଲ, ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ପାଟଣାଗଡ: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଂ-ମୁଦଲସର ରାସ୍ତାରେ ସୁକତେଲ ନଦୀ ଉପରେ ନବନିର୍ମିତ ପୋଲ ଗତ ଅପ୍ରେଲ ୨୯ ତାରିଖ ଦିନ ଭୁଷୁଡି ପଡିବା ଯୋଗୁ ସେଠାରେ କାର୍ଯ୍ୟରତ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜନୈକ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ୨ ଜଣିଆ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଅପ୍ରେଲ ୩୦ରେ ଫେରିଯିବା ପରେ ତତ୍କାଳୀନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ଅପରପକ୍ଷରେ ସୁକତେଲ ନଦୀ ଉପରେ ନବନିର୍ମିତ ପୋଲ ଭୁଷୁଡିବା ଘଟଣାର ଭିଜିଲାନ୍ସ ତଦନ୍ତ କରାଯିବାକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଦେଇଥିଲେ। ଲୋକୟୁକ୍ତଙ୍କ ନିର୍ଦେଶ ଅନୁଯାୟୀ ଆଜି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଆଜି ବଲାଙ୍ଗିର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ପ୍ରଥମେ ସ୍ଥାନୀୟ ଗ୍ରାମ୍ୟ ନିର୍ମାଣ କାର୍ଯ୍ୟାଳୟରେ ପହଞ୍ଚିବା ସହ ୨ ଜଣ କନିଷ୍ଠ ଯନ୍ତ୍ରୀ ଅବନୀକାନ୍ତ ବେହେରା ଏବଂ କାର୍ତ୍ତିକ ଚନ୍ଦ୍ର ସିଂଙ୍କୁ ସାଙ୍ଗରେ ନେଇ ଭଙ୍ଗା ପୋଲ ପରିଦର୍ଶନ କରିବାକୁ ଯାଇଥିଲେ। ସେଠାରେ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିବା ପରେ ଶ୍ରୀମତୀ ସାମଲ ଫେରିଯାଇଥିଲେ। ତେବେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ ପୋଲ ଭାଙ୍ଗିଥିବା ସେ ଦେଖିବାକୁ ପାଇବା ସହ ଲୋକଙ୍କ ସହ ଆଲୋଚନାରୁ ପ୍ରଥମେ ପୋଲରେ ଫାଟ ସୃଷ୍ଟି ହୋଇଥିବା ଏବଂ ପରେ ମରାମତି କାର୍ଯ୍ୟ ଆରମ୍ଭ ହେବା ବେଳେ ପୋଲ ଉପରେ ମେସିନ(ଭାଇବ୍ରେଟର) ଚଳାଇବା ଯୋଗୁଁ ତଳେ କାର୍ଯ୍ୟରତ ଶ୍ରମିକଙ୍କ ଉପରେ ପୋଲ ଭୁହୁଡି ପଡିଥିବା ସେ ଜାଣିବାକୁ ପାଇଥିବା କହିଥିଲେ ଶ୍ରୀମତୀ ସାମଲ। ତେବେ ତାଙ୍କ ବିଭାଗ ପକ୍ଷରୁ ବୈଷୟିକ କମିଟି ଆସି ତଦନ୍ତ କରିବା ପରେ ପୋଲ କାମ ନିମ୍ନମାନର ହୋଇଥିଲା ନା ନାହିଁ ତାହା ସ୍ପଷ୍ଟ ହେବ ବୋଲି ସେ କହିଥିଲେ।

- Advertisement -


ସୁକତେଲ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗତ ୨୦୧୩-୧୪ ଆର୍ଥିକ ବର୍ଷରେ ଟେଣ୍ଡର ଆହ୍ୱାନ କରାଯାଇଥିବା ସହ ୬ କୋଟି ୯୭ ହଜାର ୨୭୮ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିଲା। ଜନୈକ ଠିକାଦାର ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ଏହାର ନିର୍ମାଣ ଦାୟିତ୍ୱ ନେଇ ୨୦୧୪ ଫେବୃୟାରୀ ୨୬ ତାରିଖରେ କାର୍ଯ୍ୟ ଆରମ୍ଭ କରି ୨୦୧୬ ମସିହା ଫେବୃୟାରୀ ୨୫ ତାରିଖ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରି ନିର୍ମାଣକାରୀ ସଂସ୍ଥା ସରକାରଙ୍କ ଠାରୁ ପ୍ରାୟ ୫୩ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ହାତେଇବାରେ ସକ୍ଷମ ହୋଇଥିଲେ।
ଗତ ନଭେମ୍ବର ମାସରେ ପୋଲର ଗୋଟିଏ ସ୍ଥାନ ଦବିଯାଇଥିବା ଅଞ୍ଚଳବାସୀ ଦେଖିବାକୁ ପାଇବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଦିଲ୍ଲୀରୁ ଏକ ବିଶେଷଜ୍ଞ ଦଳ ଆସି ପରୀକ୍ଷା ନିରୀକ୍ଷା କରିବା ସହ ଉକ୍ତ ସ୍ଥାନଟି ମରାମତି ଯୋଗ୍ୟ ନୁହେଁ, ବରଂ ତାକୁ ସଂପୂର୍ଣ୍ଣ ଭାବରେ ଭାଙ୍ଗି ନୂତନ ଭାବରେ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ। କେବଳ ସେତିକି ନୁହେଁ ନିର୍ମାଣ ଖର୍ଚ୍ଚ ନିର୍ମାଣକାରୀ ସଂସ୍ଥା ବହନ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ମଧ୍ୟପ୍ରଦେଶରୁ ଆସି କାମ କରୁଥିବା ୬ ଜଣ ଶ୍ରମିକ ପୋଲ ତଳେ ଲୁହା ପିଲର କାମ କରୁଥିବା ବେଳେ ପୋଲ ଉପରେ ୬ଟି ମେସିନ ସାହାଯ୍ୟରେ ପୋଲ ଭାଙ୍ଗିବା କାମ ଚାଲୁଥିଲା। ଅପ୍ରେଲ ୨୯ ତାରିଖ ପୂର୍ବାହ୍ଣ ପ୍ରାୟ ୧୦ ଘଣ୍ଟା ବେଳେ ହଠାତ୍ ଉକ୍ତ ସ୍ଥାନଟି ସଂପୂର୍ଣ୍ଣ ଭୁଷୁଡି ପଡିବାରୁ ତଳେ କାମ କରୁଥିବା ପପୁ କୁଶୱା(୩୮) ଏବଂ ମନୀଷ କୁଶୱା(୧୬) ପୋଲ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ସୋନୁ କୁଶୱା(୩୭)ଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।
ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଇଂ ସତ୍ୟଜିତ ଚକ୍ରବର୍ତ୍ତି, ମୁଖ୍ୟ ଯନ୍ତ୍ରୀ(ଯୋଜନା ଏବଂ ରାସ୍ତା) ଏବଂ ଇଂ. ହେମନ୍ତ କୁମାର ଦତ୍ତ, ଅଧୀକ୍ଷଣ ଯନ୍ତ୍ରୀ(ପୋଲ) ଗତ ୩୦ ଅପ୍ରେଲ ଦିନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଉପଯୁକ୍ତ କାର୍ଯ୍ୟ ପଦ୍ଧତି ଅବଲମ୍ବନ କରାଯାଇନଥିବାରୁ ଏଭଳି ଦୁର୍ଘଟଣା ଘଟିଥାଇପାରେ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଥିଲେ। ପରେ ପରେ ନିର୍ମାଣକାରୀ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବା ସହ ତତ୍କାଳୀନ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories