ସ୍ୱତନ୍ତ୍ର ପାହ୍ୟା ଓଡ଼ିଶାର ହକ୍
-ଚାଷୀଙ୍କ ଖର୍ଚ୍ଚକୁ ଦେଖି ସହାୟକ ମୂଲ୍ୟ ଦାବି
-ଋଣ ଛାଡ଼ ଉପରେ ଜାତୀୟ ନୀତି ପ୍ରଣୟନ ହେଉ
-ସ୍ୱାମୀନାଥନ କମିଟି ସୁପାରିସ ଲାଗୁ କରାଯାଉ
-ଦାବି ବିଚାରକୁ ନେଲେ ‘ଆୟୁଷ୍ମାନ୍’ ଚିନ୍ତା କରିବୁ
ଭୁବନେଶ୍ୱର : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓଡ଼ିଶାର ହକ୍। ରାଜ୍ୟର ବିକାଶକୁ ଆଗଧାଡ଼ିକୁ ଆଣିବାକୁ ହେଲେ ଓଡ଼ିଶାର ଏହି ଦାବିକୁ ଆଗ ପୂରଣ କରିବାକୁ ହେବ। ‘ନିତି’ ଆୟୋଗ ପରିଚାଳନା ପରିଷଦ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ରଖିଥିବା ପ୍ରସ୍ତାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ପ୍ରଦାନ ସହିତ ରାଜ୍ୟର ସ୍ୱାର୍ଥଜଡ଼ିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ତୁରନ୍ତ ବିଚାରକୁ ନେବାକୁ ନବୀନ ତାଙ୍କ ଚିଠିରେ ଦାବି ରଖିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଗତ ୧୬ ତାରିଖରେ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆନୁପାତିକ ଦୃଷ୍ଟିରୁ ଓଡ଼ିଶାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଜନସଂଖ୍ୟା ଅଧିକ। ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି। ତେଣୁ ରାଜ୍ୟର ବିକାଶ ଆଗଧାଡ଼ିକୁ ଆଣିବାକୁ ହେଲେ ଓଡ଼ିଶା ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ପାଇବାକୁ ହକ୍ଦାର। ଏହାଛଡ଼ା ଉତ୍ତର ପୂର୍ବାଞ୍ଚଳ ଏବଂ ହିମାଳୟ ପାର୍ଶ୍ବବର୍ତ୍ତୀ ରାଜ୍ୟଗୁଡ଼ିକୁ ଯେଭଳି ଭାବେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ପାଣ୍ଠି ମିଳୁଛି, ସମାନ ଦୃଷ୍ଟିଭଙ୍ଗୀରେ ତାହା ମଧ୍ୟ ଓଡ଼ିଶା କ୍ଷେତ୍ରରେ ଲାଗୁ ହେବା ଦରକାର।
କୃଷି କ୍ଷେତ୍ରର ବିକାଶ ତଥା କୃଷକଙ୍କ ଆୟ ଦୁଇଗୁଣ କରିବା ଉଦ୍ଦେଶ୍ୟରେ ମତ ରଖି ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରିଛନ୍ତି ଯେ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବା ଆବଶ୍ୟକ। ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି ପାଇଁ କେନ୍ଦ୍ର ବଜେଟରେ ଘୋଷଣା ସ୍ୱାଗତଯୋଗ୍ୟ। ହେଲେ ଚାଷୀର ବାସ୍ତବ ଉତ୍ପାଦନ ଖର୍ଚ୍ଚ କେତେ ତାହା ହିସାବକୁ ନିଆଯିବା ଦରକାର। ଏ ସଂକ୍ରାନ୍ତରେ କେନ୍ଦ୍ରର ଚୂଡ଼ାନ୍ତ ହିସାବ ପ୍ରଣାଳୀ ଜାଣିବାକୁ ଆମେ ଅପେକ୍ଷା କରିଛୁ।
ମୂଲ୍ୟ ଭିତ୍ତିକ ବଜାର ସୃଷ୍ଟି ସହିତ ଅର୍ଥଲଗାଣକାରୀ ସଂସ୍ଥାର ଋଣ ବା ଆନୁଷ୍ଠାନିକ ଋଣ ପ୍ରଦାନ କ୍ଷେତ୍ରରେ ନୀତିଗତ ସଂସ୍କାର ଅଣାଯିବାର ଆବଶ୍ୟକତା ରହିଛି। ଚାଷୀଙ୍କୁ ଅଭାବ ଦୁନିଆରୁ ବଞ୍ଚାଇବା ପାଇଁ ଋଣ ଛାଡ଼ ସଂକ୍ରାନ୍ତରେ ଆମର ଏକ ଜାତୀୟ ନୀତି ରହିବା ଦରକାର। ଏ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ କୌଣସି ଉଦ୍ୟମକୁ ରାଜ୍ୟ ସରକାର ସମର୍ଥନ ଦେବାକୁ ରାଜି ଅଛି।
ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗୀ ପାଇଁ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟ ଧାରାରେ କୃଷି ପାଇଁ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟ(ଜିସିଟିଏ) ସୃଷ୍ଟି ବିଷୟରେ ଭାରତ ସରକାର ବିଚାର କରିବା ଆବଶ୍ୟକ। ସିଜିଟିଏ ଜରିଆରେ ବନ୍ଧକ(କୋଲାଟରାଲ)ମୁକ୍ତ କୃଷି ଋଣ ୫୦ଲକ୍ଷ ପର୍ଯ୍ୟନ୍ତ ଓ ଶସ୍ୟ ଋଣ ୨ଲକ୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ। ଏହାଛଡ଼ା କୃଷି କ୍ଷେତ୍ରର ବିକାଶ ପାଇଁ ସ୍ୱାମୀନାଥନ କମିଟି ସୁପାରିସକୁ ପ୍ରାଥମିକତା ଭିତ୍ତିରେ ପ୍ରଚଳନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ ଦେଶରେ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦିଗରେ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ‘ଆୟୁଷ୍ମାନ’ ବା ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା (ଏନଏଚପିଏସ୍) ଯୋଜନା ସ୍ୱାଗତଯୋଗ୍ୟ। ହେଲେ ଏହା ସାର୍ବଜନୀନ କରାଯିବାର ଆବଶ୍ୟକତା ରହିଛି। ଏନଏଚପିଏସ ଏବଂ ଏସଇସିସି ତଥ୍ୟ ଉପରେ ନିର୍ଭର କଲେ ଏ ଲକ୍ଷ୍ୟ ପୂରଣ ଅସମ୍ଭବ। ଆପଣ ଏକମତ ହେବେ ଯେ ୟୁପିଏ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ତ୍ତାବଳୀ ଅନୁସାରେ ହୋଇଥିବା ଏସଇସିସି ସର୍ଭେରେ ଅନେକ ତ୍ରୁଟି ରହିଛି ଏବଂ ଅଧିକାଂଶ ଗରିବ ଏଥିରୁ ବାଦ୍ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କୌଣସି କାର୍ଯ୍ୟକ୍ରମ ପ୍ରଚଳନ ସମୟରେ ଏହାକୁ ଆମେ ସାର୍ବଜନୀନ କରିବାକୁ ଉଦ୍ୟମ କରିଛୁ। ମମତା, ଗ୍ରାମ୍ୟ ଗୃହ ନିର୍ମାଣ, ବାର୍ଦ୍ଧକ୍ୟଭତ୍ତା ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ କ୍ଷେତ୍ରରେ ଏଭଳି କରାଯାଇଛି।
ଯଦି ଆମେ ଏସଇସିସି ଡାଟା ବିଚାରକୁ ନେବୁ ରାଜ୍ୟର ୪୦ଲକ୍ଷ ଲୋକ(୮ଲକ୍ଷ ପରିବାର) ଯେଉଁମାନେ ସ୍ୱାସ୍ଥ୍ୟ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ସେମାନେ ବାଦ ପଡ଼ିବେ। ପ୍ରକୃତ ହିତାଧିକାରୀ ବାଦ୍ ପଡ଼ିବା ସଂକ୍ରାନ୍ତରେ ରାଜ୍ୟର ଉଦ୍ବେଗ କେନ୍ଦ୍ରକୁ ଅବଗତ କରାଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ଜଣାଇଥିଲେ ଯେ ଏସଇସିସି ଡାଟା ବାହାରକୁ ଯିବା ସମ୍ଭବ ନୁହେଁ।
ରାଜ୍ୟବାସୀଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାରେ ଅନ୍ତର୍ଭୂକ୍ତ କରିବାକୁ ଓଡ଼ିଶା ସରକାର ଜନାଦେଶ ପାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ଏକ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି। ଯାହାଦ୍ୱାରା ରାଜ୍ୟର ୭୦ଲକ୍ଷ ପରିବାର ଉପକୃତ ହୋଇପାରିବେ। ଯଦି ରାଜ୍ୟର ଦାବି ବିଚାରକୁ ନିଆଯାଏ ତେବେ ଠିକଣା ସମୟରେ ଆମେ ଏନଏଚପିଏସରେ ସାମିଲ ହେବା ବିଷୟରେ ଚିନ୍ତା କରିବୁ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ।