ଇଦ୍ରେ କାଶ୍ମୀର ଅଶାନ୍ତ : ୨ ମୃତ
-ପାକ୍ ସେନା, ପଥରଫିଙ୍ଗାଳିଙ୍କ ନିଶାଣରେ ସୁରକ୍ଷାବାହିନୀ, -ସୁରକ୍ଷାବାହିନୀ ସହ ସଂଘର୍ଷରେ ପଥରଫିଙ୍ଗାଳିଙ୍କ ମୃତ୍ୟୁ
-ଅଟ୍ଟାରୀ-ୱାଘା ସୀମାରେ ଇଦ୍ ମିଷ୍ଟାନ୍ନ ଆଦାନପ୍ରଦାନ ବନ୍ଦ, -ସାମ୍ବା ସେକ୍ଟରରୁ ଦୁଇ ପାକିସ୍ତାନୀ ନାଗରିକ ଗିରଫ
ଜାମ୍ମୁ : ପବିତ୍ର ଇଦ୍ ଅବସରରେ ଜାମ୍ମୁ କାଶ୍ମୀର ଅଶାନ୍ତ ହୋଇଉଠିଛି। ଭାରତୀୟ ସୁରକ୍ଷାବାହିନୀକୁ ଉଭୟ ପାକିସ୍ତାନ ସେନା ଏବଂ କାଶ୍ମୀରର ପଥର ଫିଙ୍ଗାଳିମାନେ ନିଶାଣ କରିଛନ୍ତି। ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଶନିବାର ପୂର୍ବାହ୍ଣରେ ପୁନଃ ଯୁଦ୍ଧବିରତି ଉଲ୍ଲଙ୍ଘନ କରିଛି। ପାକ୍ ସେନାର ମୁକାବିଲା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଅନ୍ୟପଟେ ଦକ୍ଷିଣ କାଶ୍ମୀରରେ ପଥର ଫିଙ୍ଗାଳିମାନେ ସୁରକ୍ଷାବାହିନୀ ଉପରେ ଜୋରଦାର ଟୋକା ପଥର ମାଡ଼ କରିବା ବେଳେ ପୁଲିସ ସହ ସଂଘର୍ଷ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କାଶ୍ମୀରବାସୀ ଇଦ୍ ପାଳନ କରିବାକୁ ପ୍ରସ୍ତୁତ ହୋଉଥିବା ବେଳେ ରଜୌରୀ ଜିଲା ଅନ୍ତର୍ଗତ ନୋସୋରା ସେକ୍ଟରସ୍ଥିତ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ପୂର୍ବାହ୍ଣ ୪ଟାରୁ ସୀମା ସେପାଖରୁ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ବିକାଶ ଗୁରାଙ୍ଗ ନାମକ ଜଣେ ଯବାନ ସହିଦ ହୋଇଛନ୍ତି। ମଣିପୁର ନିବାସୀ ବିକାଶ ଲାଆମଠାରେ ନିଯୁକ୍ତ ଥିଲେ।
୪ ଦିନ ପୂର୍ବେ ସାମ୍ବା ଜିଲା ଅନ୍ତର୍ଗତ ରାମଗଡ଼ ସେକ୍ଟର ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନ ଯୁଦ୍ଧବିରତି ଉଲ୍ଲଙ୍ଘନ କରିଥିଲା। ଗୁରୁବାର ରାତିରେ ପାକିସ୍ତାନୀ ରେଞ୍ଜରଙ୍କ ଅତର୍କିତ ଗୁଳିମାଡ଼ରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ୪ ଯବାନ ସହିଦ ହୋଇଥିଲେ। ୨୦୦୩ ଯୁଦ୍ଧବିରତି ବୁଝାମଣା କଡ଼ାକଡ଼ି ଭାବେ ପାଳନ କରିବା ନେଇ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇବା ସତ୍ତ୍ବେ ବିଶ୍ୱାସଘାତକତା ସ୍ୱରୂପ ପାକିସ୍ତାନ ସୀମରେ ଗୁଳିମାଡ଼ ଜାରି ରଖିଛି। ରମଜାନ ଉପଲକ୍ଷେ ଭାରତ ପକ୍ଷରୁ ଯୁଦ୍ଧବିରତି ଘୋଷଣା କରାଯାଇଥିବା ବେଳେ ଇଦ୍ ପରେ ଏହାର ଅବଧି ବୃଦ୍ଧି ନେଇ କେନ୍ଦ୍ର ସରକାର ବିଚାର କରୁଛନ୍ତି। ମାତ୍ର ପାକିସ୍ତାନର ବିଶ୍ୱାସଘାତକତା ଏବଂ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ନରସଂହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯୁଦ୍ଧବିରତି ଅବଧି ବୃଦ୍ଧି କରି ନ ପାରନ୍ତି ବୋଲି କୁହାଯାଉଛି।
ସୁରକ୍ଷାବାହିନୀ ସହ ସଂଘର୍ଷରେ ପଥରଫିଙ୍ଗାଳିଙ୍କ ମୃତ୍ୟୁ
ଅନନ୍ତନାଗ : ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଅନ୍ତର୍ଗତ ଜଙ୍ଗଲାତ ମଣ୍ଡିଠାରେ ଶନିବାର ସୁରକ୍ଷାବାହିନୀ ସହ ସଂଘର୍ଷରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି। ସକାଳ ୬ଟା ୪୫ ମିନିଟରେ ଇଦ୍ ଉପଲକ୍ଷେ ନମାଜ ପାଠ ଶେଷ ହେବା ପରେ ହଠାତ୍ କିଛି ଲୋକ ରାସ୍ତା ଉପରକୁ ଚାଲିଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀଙ୍କ ମଧ୍ୟରୁ କେତେକ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ଉପରକୁ ଟୋକାପଥର ମାଡ଼ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଆହତ ହୋଇ ବ୍ରାକପୋରାର ଶୀରାଜ ଅହମ୍ମଦ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ପଥର ଫିଙ୍ଗାଳିମାନେ ଆଇଏସ୍ଆଇଏସ୍ର ଧ୍ୱଜା ଧରିଥିବା କୁହାଯାଉଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ସୁରକ୍ଷାବାହିନୀ ପକ୍ଷରୁ ଲୁହ ବୁହା ଗ୍ୟାସ୍ ଛଡାଯିବା ସହ ପେଲେଟ ଗୋଳା ଚଳାଯାଇଥିଲା। ସେନାଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଥିବା କୁହାଯାଉଛି। ପୁଲୱାମା ଜିଲାରେ ଶୁକ୍ରବାର ସନ୍ଧ୍ୟାରେ ବିକ୍ଷୋଭକାରୀଙ୍କ ଉପରକୁ ସୁରକ୍ଷାବାହିନୀ ଗୁଳି ମାଡ଼ କରିଥିଲା। ଏହି ଘଟଣାରେ ୱାକାସ ଅହମ୍ମଦ ରାଖେର ନାମକ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭଉଣୀ ରୁକୟା ଜାନ୍ ଗୁରୁତର ଆହତ ହୋଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପବିତ୍ର ରମ୍ଜାନ ଉପଲକ୍ଷେ ଯୁଦ୍ଧବିରତି ଘୋଷଣା କରାଯିବା ପରେ ସୁରକ୍ଷାବହିନୀ ଗୁଳିରେ ସାଧାରଣ ନାଗରିକ ହତାହତ ହେବାର ଏହା ପ୍ରଥମ ଘଟଣା। ରାଖେରଙ୍କ ମୃତ୍ୟୁ ପ୍ରତିବାଦରେ ଶନିବାର ସୋପିଆନ୍ଠାରେ ମଧ୍ୟ ଲୋକେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଟେକାପଥର ମାଡ଼ କରିଛନ୍ତି। ଶ୍ରୀନଗର ଇଦ୍ଗାହଠାରେ ମଧ୍ୟ ବିକ୍ଷୋଭକାରୀ ଏବଂ ସୁରକ୍ଷାବହିନୀ ମଧ୍ୟରେ ସଂଘର୍ଷର ସୂଚନା ମିଳିଛି।
ଦୁଇ ପାକିସ୍ତାନୀ ନାଗରିକ ଗିରଫ
ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରୁ ବିଏସଏଫ ଯବାନମାନେ ଶନିବାର ଦୁଇଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ନାଗରିକ ହେଲେ ସୋହେଲ କୁମାର ୨୧ବର୍ଷ ଓ ଅହମ୍ମଦ ୩୧ବର୍ଷ। ଶୁକ୍ରବାର ସେମାନେ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲେ। ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଥିବାବେଳେ ଏହି ଅନୁପ୍ରବେଶ ହୋଇଛି। ଗିରଫ ଦୁଇ ପାକିସ୍ତାନୀଙ୍କ ଠାରୁ କୌଣସି ଅସ୍ତ୍ରଶସ୍ତ୍ର ଜବତ ହୋଇ ନଥିବାବେଳେ ବିଏସଏଫ ଓ ଗୁଇନ୍ଦା ବିଭାଗ ସେମାନଙ୍କୁ ଜେରା କରୁଛି।