ଧାରା ୩୫-କ: ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ପିଡିପିର ଘୋଷଣା

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ନ୍ୟାସନାଲ କନଫ୍ରେନ୍ସ ପରେ ଲୋକ ଗଣତାନ୍ତ୍ରିକ ଦଳ (ପିଡ଼ିପି) ପ୍ରସ୍ତାବିତ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଘୋଷଣା କରିଛି। ସମ୍ବିଧାନର ଧାରା ୩୫-କ’ ପାଇଁ ପିଡିପି ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ପିଡିପି ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସୋମବାର ଘୋଷଣା କରିଛନ୍ତି। ପିଡିପିର ଏକ ଉଚ୍ଚସ୍ତରୀୟ ବୈଠକ ପରେ ମେହବୁବା ଏକ ସାମ୍ବାଦିକ ସମ୍ମିଳନି ଡାକି ସମ୍ବିଧାନର ଧାରା ୩୫ କ ବଜାୟ ରଖିବା ସପକ୍ଷରେ କହିଥିଲେ। ସେ କହିଥିଲେ ଯେ ସମ୍ବିଧାନର ଧାରା ୩୫-କ ଜାମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ଓ କ୍ଷମତା ଦେଇଛି। ଏହା ପ୍ରତ୍ୟେକ ଜାମ୍ମୁ କାଶ୍ମୀର ବାସୀଙ୍କ ଜୀବନ ସହ ଜଡ଼ିତ ପ୍ରସଙ୍ଗ। ଯେପର୍ଯ୍ୟନ୍ତ କେନ୍ଦ୍ର ଏହା ଉପରେ ନିଜ ମନୋଭାବ ସ୍ପଷ୍ଟ କରିନାହିଁ ସେ ପର୍ଯ୍ୟନ୍ତ ପିଡିପି ପ୍ରସ୍ତାବିତ ପଞ୍ଚାୟତ ନିର୍ବାଚନକୁ ବହିଷ୍କାର କରିବ। ଏହାସହ ସମ୍ବିଧାନର ଧାରା ୩୭୦ ଏବଂ ୩୫-କ’କୁ ବଜାୟ ରଖିବା ପାଇଁ ସମସ୍ତ ମଞ୍ଚରେ ଲଢେଇ କରାଯିବ। ତେଣୁ ପଞ୍ଚାୟତ ନିର୍ବାଚନରେ ପିଡିପି କୌଣସି ପ୍ରାର୍ଥୀ ଦେବ ନାହିଁ। ମୃତ୍ୟୁ ପର୍ଯ୍ୟନ୍ତ ଆମେ ଧାରା ୩୫ କ’ ପାଇଁ ଲଢେଇ ଜାରି ରଖିବୁ।
ଉଲ୍ଲେଖ ଯେ ଏହା ପୂର୍ବରୁ ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଫାରୁକ ଅବଦୁଲ୍ଲା ପଞ୍ଚାୟତ ନିର୍ବାଚନ ବର୍ଜନ ନେଇ ଘୋଷଣା କରିଛନ୍ତି। ସମ୍ବିଧାନର ଧାରା ୩୭୦ ଏବଂ ୩୫-କ ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ପିଟିସନକୁ ପିଡ଼ିପି ଏବଂ ନ୍ୟାସନାଲ କନଫ୍ରେନ୍ସ ବିରୋଧ କରିଛନ୍ତି। କେନ୍ଦ୍ର ସରକାର ଏହା ଉପରେ ସ୍ଥତି ସ୍ପଷ୍ଟ ନ କଲେ ଉଭୟ ଦଳ ନିର୍ବାଚନ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି।
ଉଲ୍ଲେଖ ଯେ ସମ୍ବିଧାନର ଧାରା ୩୫-କ ଜାମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ଓ କ୍ଷମତା ଦେଇଛି। ଏହି ଧାରା ଅନୁଯାୟୀ ରାଜ୍ୟର ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟ କେହି ଜାମ୍ମୁ-କାଶ୍ମୀରରେ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ ନାହିଁ କି ରାଜ୍ୟ ବାହାରର ଲୋକ ଏଠାରେ ନିଯୁକ୍ତି ପାଇପାରିବେ ନାହିଁ। ୧୯୫୪ ମେ ୧୪ରେ ରାଷ୍ଟ୍ରପତିଙ୍କ ନିର୍ଦେଶକ୍ରମେ ଏହି ଧାରାକୁ ସମ୍ବିଧାନରେ ସ୍ଥାନୀତ କରାଯାଇଛି। ଏହାଦ୍ୱାରା ସମ୍ବିଧାନର ସମାନ ଅଧିକାର, ସ୍ୱାଧୀନତା ଭଳି ଅଧିକାର କ୍ଷୂର୍ଣ୍ଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

Leave A Reply