୨୦୨୫ ଆଇପିଏଲ୍ରେ ନୂଆ କ’ଣ?

କଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୫ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ଗତବର୍ଷ ପରି ଏଥର ମଧ୍ୟ ଦେଶର ୧୩ଟି ସହରରେ ଆଇପିଏଲ୍ ଖେଳାଯିବ। ଦିଲ୍ଲୀ କ୍ୟାପିଟାଲ୍ସ ଦିଲ୍ଲୀ ଓ ବିଶାଖାପାଟଣାରେ, ପଞ୍ଜାବ କିଙ୍ଗ୍ସ ମୁଲାନ୍ପୁର ଓ ଧର୍ମଶାଳାରେ ଏବଂ ରାଜସ୍ଥାନ ରୟାଲ୍ସ ଜୟପୁର ଓ ଗୁଆହାଟୀରେ ମ୍ୟାଚ୍ ଖେଳିବେ। ବାକି ୭ଟି ଦଳ ସେମାନଙ୍କ ଘରୋଇ ପଡ଼ିଆରେ ସମସ୍ତ ମ୍ୟାଚ୍ ଖେଳିବେ। ୧୦ଟି ଦଳଙ୍କୁ ୨ଟି ଗ୍ରୁପ୍ରେ ରଖାଯାଇଛ। ଏକ ଦଳ ତା’ର ଗ୍ରୁପ୍ରେ ଅନ୍ୟ ୪ଟି ଦଳ ବିପକ୍ଷରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବ। ଏହା ଅନ୍ୟ ଗ୍ରୁପ୍ର ଗୋଟିଏ ଦଳ ବିପକ୍ଷରେ ୨ଟି ଏବଂ ଅନ୍ୟ ୪ଟି ଦଳ ବିପକ୍ଷରେ ଥରେ ଲେଖାଏଁଟ୍ଟ ଏହିପରି ମୋଟ ୧୪ଟି ମ୍ୟାଚ୍ ଖେଳିବେ।
ହେଲେ ଏଥର କିଛି ନୂଆ ଦେଖିବାକୁ ମିଳିବ। କାକରର ପ୍ରଭାବ ହ୍ରାସ ପାଇଁ ସନ୍ଧ୍ୟାର ମ୍ୟାଚ୍ରେ ୨ୟ ବଲ୍ ଦେବାର ବ୍ୟବସ୍ଥା କରାଯାଇଛି। ପୁଣି କୋଭିଡ୍-୧୯ ବେଳେ ବଲ୍ରେ ପାଟିର ଲାଳ ଲଗାଇବା ଉପରେ କଟକଣା ଲାଗୁ ହୋଇଥିବା ବେଳେ ଆସନ୍ତା ଆଇପିଏଲ୍ରେ ଏହାକୁ ଉଠାଇ ଦିଆଯାଇଛି। ଏଥର ୫ଟି ଦଳ ନୂଆ ଅଧିନାୟକଙ୍କ ନେତୃତ୍ବରେ ଖେଳିବେ। ଗତବର୍ଷ କେକେଆର୍କୁ ଚମ୍ପିଆନ୍ କରିଥିବା ଶ୍ରେୟସ ଆୟର ଏଥର ପଞ୍ଜାବ କିଙ୍ଗ୍ସର ନେତୃତ୍ବ ନେଉଛନ୍ତି। ଫଳରେ ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ କେକେଆର୍ର ନେତୃତ୍ବ ନେବେ। ଗତବର୍ଷ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିବା ଋଷଭ ପନ୍ତ ଏଥର ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସର ଅଧିନାୟକ ଦାୟିତ୍ବ ପାଇଛନ୍ତି। ଅକ୍ଷର ପଟେଲ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଭାରତ ପାଇଁ ଟ୍ବେଣ୍ଟି୨୦ ଖେଳିନଥିବା ରଜତ ପଟିଦାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ହୋଇଛନ୍ତି। ମୁମ୍ବଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ୍ରେ ସୂର୍ୟ୍ୟକୁମାର ଯାଦବ ଓ ରାଜସ୍ଥାନର ପ୍ରଥମ ୩ଟି ମ୍ୟାଚ୍ରେ ରିୟାନ ପରାଗ ଦଳର ନେତୃତ୍ବ ନେବେ। ଗତବର୍ଷ ଦିଲ୍ଲୀର ମୁଖ୍ୟ ପ୍ରଶିକ୍ଷକ ଥିବା ରିକି ପଣ୍ଟିଂ ଏଥର ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ହେମାଙ୍ଗ ବଦାନି ଦିଲ୍ଲୀର ନୂଆ ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ଭାରତକୁ ଟି୨୦ ବିଶ୍ବକପ୍ ଜିତାଇଥିବା ରାହୁଲ ଦାବିଡ଼ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ଏଥର ଖେଳାଳିଙ୍କ ମୂଲ୍ୟ ମଧ୍ୟ ରେକର୍ଡ ଛୁଇଁଛି। ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ସର୍ବାଧିକ ୨୭ କୋଟି ଟଙ୍କାରେ କିଣିଛି। ଶ୍ରେୟସ ଆୟର ମଧ୍ୟ ବେଶି ପଛରେ ନାହାନ୍ତି। ତାଙ୍କୁ ପଞ୍ଜାବ ୨୬.୭୫ କୋଟି ଟଙ୍କାରେ କିଣିଛି। ଭେଙ୍କଟେଶ ଆୟରଙ୍କୁ କେକେଆର୍ ୨୩.୭୫ କୋଟି ଟଙ୍କାରେ କିଣିଥିବା ବେଳେ ହେନ୍ରିକ କ୍ଲାସେନ୍ଙ୍କୁ ସନ୍ରାଇଜର୍ସ ହାଇଦରାବାଦ ୨୩ କୋଟି ଟଙ୍କାରେ ଦଳରେ ରଖିପାରିଛି। ଏଥର ଆଉ ଏକ ନୂଆ ନିୟମ ହେଉଛି ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର ୫ ବର୍ଷ ବିତି ଯାଇଥିଲେଟ୍ଟ ଖେଳାଳିଙ୍କୁ ଅନ୍କ୍ୟାପ୍ଡ ଖେଳାଳି ଭାବେ ଗଣନା କରାଯିବ। ଏହି ନିୟମ ଅନୁସାରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଚେନ୍ନଇ ସୁପର କିଙ୍ଗ୍ସ ମାତ୍ର ୪ କୋଟି ଟଙ୍କାରେ କିଣିଥିବା ବେଳେ ସନ୍ଦୀପ ଶର୍ମାଙ୍କୁ ଏହି ନିୟମରେ ରାଜସ୍ଥାନ କିଣିଛି। ଚମ୍ପିଆନ୍ ୨୦ କୋଟି, ରନର୍ସଅପ୍ ୧୩ କୋଟି, ୩ୟ ସ୍ଥାନ ଦଳ ୭ କୋଟି ଓ ୪ର୍ଥ ସ୍ଥାନରେ ଥିବା ଦଳ ୬.୫ କୋଟି ଟଙ୍କା ପୁରସ୍କାର ପାଇବେ। ଗୁରୁବାର ମୁମ୍ବଇରେ ୧୦ଟିଯାକ ଦଳର ଅଧିନାୟକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ୧୦ ଅଧିନାୟକଙ୍କର ଆଇପିଏଲ୍ ଟ୍ରଫି ସହ ଫଟୋ ସୁଟ୍ ମୁମ୍ବଇର ଗେଟ୍ୱେ ଅଫ୍ ଇଣ୍ଡିଆ ସମ୍ମୁଖରେ କରା ଯାଇଥିଲା। ୧୦ ଜଣ ଅଧିନାୟକଙ୍କ ମଧ୍ୟରେ ପ୍ୟାଟ୍ କମିନ୍ସ (ସନ୍ରାଇଜର୍ସ) ଏକମାତ୍ର ବିଦେଶୀ।
Comments are closed.