ଲସ୍କର-ଇ-ତୋଏବାରେ ଯୋଗ ଦେବାକୁ ହ୍ୱାଟସଆପ୍‌ରେ ଆମନ୍ତ୍ରଣ

0

ଲକ୍ଷ୍ନୌ : ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା (ଏଲ୍‌ଇଟି)ରେ ଯୋଗ ଦେବା ଲାଗି ହ୍ୱାଟସଆପ୍‌ର ଏକ ଗ୍ରୁପ୍‌କୁ ଆମନ୍ତ୍ରଣ ପତ୍ର ମିଳିଥିବା ଉତ୍ତର ପ୍ରଦେଶ ପୁଲିସ ପ୍ରକାଶ କରିଛି। ଏହି ଆମନ୍ତ୍ରଣ ପତ୍ର ପାଇଥିବା ଜଣେ ଯୁବକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଆଇପିସି ଏବଂ ଆଇଟି ଆଇନ୍‌ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଉତ୍ତରପ୍ରଦେଶର ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‌)କୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଛି। ରାଜସ୍ଥାନର ଭିଲୱାରା ଜିଲାର ଜଣେ ନବମ ଶ୍ରେଣୀ ଛାତ୍ର ଏହି ଆମନ୍ତ୍ରଣ ପତ୍ର ପଠାଇଥିବା ଜଣାପଡିଛି ବୋଲି ଆତଙ୍କବାଦ ନିରୋଧୀ ଦଳର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଛାତ୍ର ଜଣକ ଲସ୍କର-ଇ-ତୋଏବା ନାମରେ ହ୍ୱାଟସଆପ୍‌ରେ ଏକ ଗ୍ରୁପ୍‌ ତିଆରି କରି କିିଛି ଦିନ ପୂର୍ବେ ସେଥିରେ ଏହି ଆମନ୍ତ୍ରଣପତ୍ର ପଠାଇଥିଲେ। ଏହି ଗ୍ରୁପ୍‌ର ସଦସ୍ୟମାନେ ଉକ୍ତ ଆମନ୍ତ୍ରଣପତ୍ରର ଲିଙ୍କ୍‌ଟିକୁ ଖୋଲିବା ପରେ ସେଥିରେ କିଛି ନ ଥିବା ଦେଖିବାକୁ ପାଇଥିଲେ ବୋଲି ଲକ୍ଷ୍ନୌ ସାଇବର-ଅପରାଧ ସେଲ୍‌ ନୋଡାଲ ଅଧିକାରୀ ଅଭୟ ମିଶ୍ର କହିଛନ୍ତି। ଅଭିଯୁକ୍ତ ଛାତ୍ରଙ୍କ ପିତାଙ୍କ ସହିତ ଯୋଗାଯୋଗ ହୋଇ ପାରି ନାହିଁ। ଏଣୁ ଉକ୍ତ ଛାତ୍ରଙ୍କୁ ମଙ୍ଗଳବାର ପଚରାଉଚୁରା କରାଯିବ ବୋଲି ଆତଙ୍କବାଦ ନିରୋଧୀ ଦଳର ଜଣେ ଅଧିକାରୀ କହିଛନ୍ତି। ଏହି ଆମନ୍ତ୍ରଣକୁ ଭିତ୍ତି କରି କୌଣସି ଯୁବକ ଏଲ୍‌ଇଟିରେ ଯୋଗ ଦେଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ ବୋଲି ଆଇଜି (ଏଟିଏସ୍‌) ଅସୀମ ଅରୁଣ କହିଛନ୍ତି।

Leave A Reply