ଗୋଦରୀର ଗୋଡ଼
ସାରା ପୃଥିବୀରେ ମାନବିକ ଅଧିକାରର ଉଲ୍ଲଙ୍ଘନ ଓ ହନନ ଘଟନା ବଢ଼ିଚାଲିଥିବାବେଳେ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍ଏଚଆରସି)ରୁ ଆମେରିକା ନିଜକୁ ଓହରାଇ ନେବାର ଘୋଷଣା ବିସ୍ମୟକର ନହେଲେ ମଧ୍ୟ ଚିନ୍ତାଜନକ। ୨୦୦୬ରେ ଯେତେବେଳେ ଏହି ପରିଷଦ ଗଠିତ ହୋଇଥିଲା, ସେତେବେଳେ ମଧ୍ୟ ଆମେରିକା ସେଥିରେ ନିଜକୁ ସାମିଲ୍ କରିନଥିଲା। ବରାକ ଓବାମାଙ୍କ କାର୍ଯ୍ୟକାଳରେ ଏହା ନିଜକୁ ସେଥିରେ ଅନ୍ତର୍ଭୁକ୍ତ କରିଥିଲା; କିନ୍ତୁ ଏବେ ଇସ୍ରାଏଲ ବିରୋଧରେ ପରିଷଦ ପୂର୍ବାଗ୍ରହ ରଖିଥିବା ଦର୍ଶାଇ ଆମେରିକା ଏଥିରୁ ଅଲଗା ହେବାର ନିଷ୍ପତ୍ତି କରିଛି। ଆମେରିକା କହିଛି ଯେ ଏହି ସଂସ୍ଥା ଏବେ ଆଦୌ ଭରସାଯୋଗ୍ୟ ହୋଇ ରହିନାହିଁ, ବରଂ ଏହାର ଚରିତ୍ର ଦୋମୁହଁା। ପରିଷଦ ଉପରେ ଆମେରିକା ଯେଭଳି ଅଭିଯୋଗ ଆଣିଛି, ତାହା ଏହାର ଭାବମୂର୍ତ୍ତିକୁ କେତେ କ୍ଷୁଣ୍ଣ କରିଛି ବା କରିବ, ତାହା ଭବିଷ୍ୟତ କହିବ; ତେବେ ସଚେତନ ବିଶ୍ବବାସୀ ଜାଣନ୍ତି ଯେ ଏପରି କରିବା ପଛରେ ଆମେରିକାର କି ଅଭିସନ୍ଧି ରହିଛି।
ଆମେରିକା ଆରୋପ ଲଗାଇଛି ଯେ ମାନବାଧିକାର ଉଲ୍ଲଙ୍ଘନ-ହନନ କରୁଥିବା ଦେଶଗୁଡ଼ିକୁ ପରିଷଦରେ ସଦସ୍ୟତା ଦିଆଯାଉଛି; କିନ୍ତୁ ଆମେରିକା ନିଜେ ଯେ ମାନବାଧିକାର ଉଲ୍ଲଙ୍ଘନ କରିଆସୁଥିବା ଏକ ପ୍ରମୁଖ ରାଷ୍ଟ୍ର, ତାହା ସେ ନିଜେ ଭୁଲିଯାଉଛି। ସେଠାକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅନେକ ସମୟରେ ଏଭଳି ନିଷ୍ପତ୍ତି ନେଉଛନ୍ତି, ଯାହା ଆମେରିକାର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅତୀତରେ ସେ ପ୍ୟାରିସ୍ ଚୁକ୍ତିରୁ ଓହରିଯିବା କଥା ଘୋଷଣା କରି ଯେମିତି ବିଶ୍ବକୁ ହତଭମ୍ବ କରିଦେଇଥିଲେ, ଏବେ ବି ଠିକ୍ ସେହିଭଳି ଏକ ନିଷ୍ପତ୍ତି ନେଇଛନ୍ତି କହିଲେ ଅତିଶୟୋକ୍ତି ହେବନାହିଁ। ତେବେ ଏହା ପଛରେ ଯେଉଁ କେତୋଟି କାରଣ ରହିଛି, ତନ୍ମଧ୍ୟରୁ ପ୍ରମୁଖ ହେଲା ଅନ୍ୟ ଆନ୍ତର୍ଜାତିକ ସଂଗଠନଗୁଡ଼ିକ ପରି ମାନବାଧିକାର ପରିଷଦରେ ତା’ର ଦାଦାଗିରି ଚାଲିଲା ନାହିଁ ଓ ପରିଷଦ କେତେକ ପ୍ରସଙ୍ଗରେ ଆମେରିକାକୁ ହିଁ କାଠଗଡ଼ାରେ ଠିଆ କରିଦେଲା। ଦୁଇଦିନ ପୂର୍ବେ ପରିଷଦ ଆମେରିକା-ମେକ୍ସିକୋ ସୀମାରେ ଶିଶୁମାନଙ୍କୁ ସେମାନଙ୍କ ପିତାମାତାଙ୍କଠାରୁ ବିଚ୍ଛେଦ କରିବା ମାମଲାକୁ ନେଇ ଟ୍ରମ୍ପ୍ ପ୍ରଶାସନକୁ କଠୋର ସମାଲୋଚନା କରିଥିଲା। ଏହାକୁ ଟ୍ରମ୍ପ୍ ହଜମ କରିପାରିନାହାନ୍ତି ଓ ଏଭଳି ଏକ ଅଦୂରଦର୍ଶୀ ପଦକ୍ଷେପ ନେଇଛନ୍ତି। ପରିଷଦକୁ ହିଁ ଦୋଷୀ ସାବ୍ୟସ୍ତ କରିବାକୁ ଆମେରିକା ଇସ୍ରାଏଲ ପ୍ରସଙ୍ଗ ଉଠାଇଛି, ମାତ୍ର ତା’ର ଏହି ଯୁକ୍ତି ଆଦୌ ଗ୍ରହଣଯୋଗ୍ୟ ମନେହେଉ ନାହିଁ; କାରଣ ଇସ୍ରାଏଲ କିଭଳି ପାଲେଷ୍ଟାଇନ ଓ ଗାଜାରେ ମାନବାଧିକାର ଉଲ୍ଲଙ୍ଘନ କରିଆସୁଛି, ତାହା କାହାକୁ ଅଛପା ନାହିଁ। ଆମେରିକାର ସହଯୋଗ ତାକୁ ସେପରି କରିବାକୁ ଅଧିକ ଉତ୍ସାହିତ କରୁଛି।
ଅନ୍ୟପକ୍ଷରେ ଆମେରିକା ନିଜେ କେତେ ପ୍ରକାରର ମାନବାଧିକାର ଉଲ୍ଲଙ୍ଘନର ଦୋଷୀ, ତାହା ନିଜେ ସମୀକ୍ଷା କରିବା ଆବଶ୍ୟକ। ଗ୍ବାନ୍ତାନାମୋ କାରାଗାରଗୁଡ଼ିକରେ ବନ୍ଦୀମାନଙ୍କ ପ୍ରତି ଯେଉଁ ଅସହଣୀୟ ଜୁଲମ୍ ଆମେରିକା କରିଥିଲା, ତାହା ମାନବାଧିକାରର ଘୋର ଉଲ୍ଲଙ୍ଘନ ନଥିଲା ବୋଲି କେହି କହିପାରିବେ ନାହିଁ। ଇରାକର କାରାଗାରଗୁଡ଼ିକରେ ମଧ୍ୟ ସେହି ସମାନ ଅମାନବୀୟ ନିର୍ଯାତନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଶ୍ବରେ ଶରଣାର୍ଥୀ ସଙ୍କଟ ଅତି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବାବେଳେ ଏହି ପ୍ରସଙ୍ଗରେ ଆମେରିକାର ନକାରାତ୍ମକ ଦୃଷ୍ଟିକୋଣ ସର୍ବଜନବିଦିତ। ଟ୍ରମ୍ପଙ୍କ ‘ଆମେରିକା ପ୍ରଥମ’ ନୀତି ବିଶ୍ବ ପ୍ରତି ତା’ର ଉତ୍ତରଦାୟିତ୍ବକୁ ପୂର୍ବାପେକ୍ଷା ଅଧିକ ହ୍ରାସ କରିଦେଇଛି, ତାହା କହିବା ବାହୁଲ୍ୟ।
ଜାତିସଙ୍ଘ ମାନବାଧିକାର ପରିଷଦର ଲକ୍ଷ୍ୟ ହେଲା ପୃଥିବୀରେ ମାନବିକ ଅଧିକାରର ହନନ ଓ ଉଲ୍ଲଙ୍ଘନକୁ ରୋକିବା। ଏହି ସଂସ୍ଥା ଏଥିରେ କେତେ ସଫଳ ହୋଇଛି, ତାହା ଭିନ୍ନ କଥା; ତେବେ ଏହା ପ୍ରତିବର୍ଷ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥାଏ, ସେଥିରୁ ବିଶ୍ବର ବିଭିନ୍ନ ଦେଶରେ ମାନବିକ ଅଧିକାର କିଭଳି ଅଛି, ତାହାର ଏକ ମୋଟାମୋଟି ଚିତ୍ର ମିଳିଥାଏ। ଏହାର ଗତବର୍ଷର ରିପୋର୍ଟ କହୁଚି ଯେ ବିଶ୍ବର ଅଣତିରିଶଟି ଦେଶ ମାନବାଧିକାର କର୍ମକର୍ତ୍ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ଭିତରୁ ନଅଟି ଦେଶ ପରିଷଦର ସଦସ୍ୟ ଥିଲେ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସଂସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ‘ହ୍ୟୁମାନ ରାଇଟ୍ସ ୱାଚ୍’ ନାମକ ସଂସ୍ଥାର ରିପୋର୍ଟରେ ଭେନେଜୁଏଲା, ରୁଆଣ୍ଡା, ଚୀନ ଭଳି ଦେଶରେ ଘୋର ମାନବାଧିକାର ଉଲ୍ଲଙ୍ଘନ ହେଉଥିବା କୁହାଯାଇଛି। ଏ ସମସ୍ତ ଦେଶ ପରିଷଦର ସଦସ୍ୟ ଅଛନ୍ତି। ତେଣୁ ଆମେରିକା କହିଥିବା କଥାଟି ସମ୍ପୂର୍ଣ୍ଣ ଅମୂଳକ ନୁହେଁ; କିନ୍ତୁ ଖୋଦ୍ ମଧ୍ୟ ସେହି ଶ୍ରେଣୀରେ ଆସୁଛି, ତାହା ସେ ଭୁଲିଯିବା ଅନୁଚିତ। ଗୋଦରୀ ଲୋ, ନିଜ ଗୋଡ଼କୁ ଅନା!