୨୦୨୪ରେ ବିଶ୍ୱର ପରିସ୍ଥିତି
ବର୍ଷ ଆରମ୍ଭରୁ ବୃହସ୍ପତି ମେଷ ରାଶିରେ, ଶନି କୁମ୍ଭ ରାଶିେର, ରାହୁ ମୀନ ରାଶି ଓ କେତୁ କନ୍ୟା ରାଶିରେ ଅବସ୍ଥାନ କରୁଥିବାରୁ ସମଗ୍ର ବିଶ୍ବ ପାଇଁ ଏହା ମଧ୍ୟମ ଫଳ ପ୍ରଦାନ କରିବ। ଆମେରିକା, ରୁଷିଆ, ଚୀନ, ଜାପାନ ଓ ଭାରତ ପରି ଗତିଶୀଳ ରାଷ୍ଟ୍ରମାନେ ଅର୍ଥନୈତିକ, ରାଜନୈତିକ ତଥା ସାମାଜିକ ବିକାଶ ପାଇଁ ଚେଷ୍ଟିତ ହେବେ। ମାତ୍ର, ଆର୍ଥିକ ମାନ୍ଦାବସ୍ଥା ତଥା ଅନିୟମିତତା, ଉତ୍ପାଦନ କ୍ଷେତ୍ରରେ ହ୍ରାସ, ଖାଦ୍ୟ ପଦାର୍ଥର ଅହେତୁକ ମୂଲ୍ୟବୃଦ୍ଧି, ଆଭ୍ୟନ୍ତରୀଣ ସମସ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ସନ୍ତ୍ରାସବାଦ, ଆତଙ୍କବାଦ, ପ୍ରଗତିରେ ପ୍ରତିବନ୍ଧକ କରିବ। ଗୋଟିଏ ପଟରେ ହମାସ ଓ ଇସ୍ରାଏଲ ଯୁଦ୍ଧ ତଥା ୟୁକ୍ରେନ୍ ଓ ରୁଷିଆ ଯୁଦ୍ଧର ପରିସମାପ୍ତି ହୋଇନଥିଲାବେଳେ, ସମଗ୍ର ବିଶ୍ବ ଯୁଦ୍ଧର ବିଭୀଷିକାମୟ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବେ। ଅର୍ଥନୈତିକ ସମାନତା ପାଇଁ ବହୁରାଷ୍ଟ୍ରର ମୁଖ୍ୟମାନେ ଆଭ୍ୟନ୍ତରୀଣ ବିପ୍ଳବର ସମ୍ମୁଖୀନ ହେବେ। ଗଣତନ୍ତ୍ରର ମୂଲ୍ୟବୋଧ ଜାତିସଂଘ ନେତୃତ୍ବରେ ବହୁ ରାଷ୍ଟ୍ରରେ ସଂଘଟିତ ହେବ। କ୍ଷମତା ବିକେନ୍ଦ୍ରୀକରଣ, ଯୁଦ୍ଧଖୋର ମନୋବୃତ୍ତି ତଥା ଯୁଦ୍ଧାସ୍ତ୍ର ନିର୍ମାଣ ପ୍ରତିଯୋଗିତା, ଦେଶ ଦେଶ ମଧ୍ୟରେ ବିବାଦର ସୂତ୍ରପାତ କରାଇବ। ବିଶେଷକରି ଆମେରିକା, ରୁଷିଆ, ତାଜିକିସ୍ତାନ, ତୁର୍କୀୟେ, ପାକିସ୍ତାନ, ପାଲେଷ୍ଟାଇନ, ଚୀନ, ଉତ୍ତର କୋରିଆ, ଇରାନ, ହମାସ ଓ ୟୁକ୍ରେନ ଆଦି ଦେଶର ଏକଚାଟିଆ ମନୋବୃତ୍ତି ବିଶ୍ବରେ ସମସ୍ୟା ତଥା ଯୁଦ୍ଧର ବିଭୀଷିକା ସୃଷ୍ଟି କରିପାରେ। ଏହା ଯେ ତୃତୀୟ ବିଶ୍ବଯୁଦ୍ଧର ଭୟ ସୃଷ୍ଟି ନ କରିବ କିଏ କହିବ ?
ଗହମର ମୂଲ୍ୟବୃଦ୍ଧି, ବ୍ୟବହୃତ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବିଶ୍ବବାସୀଙ୍କୁ ହଇରାଣରେ ପକାଇପାରେ। ସନ୍ତ୍ରାସବାଦ, ବିଶ୍ବ ଜଳବାୟୁ ଓ ପରିବେଶର ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ମରୁଡ଼ି ସମସ୍ୟା, ପ୍ରଗତିଶୀଳ ରାଷ୍ଟ୍ରମାନଙ୍କର ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରିବ। ଆତଙ୍କବାଦର ମୂଳୋତ୍ପାଟନ ପାଇଁ, ବିଜ୍ଞାନ ତଥା ଚିକିତ୍ସା କ୍ଷେତ୍ରରେ ନୂତନ ଉଦ୍ଭାବନ ସହ ସମସ୍ୟା ଦୂରୀଭୂତ ପାଇଁ ସମୂହ ରାଷ୍ଟ୍ରମାନେ ଉଦ୍ୟମ କରିବେ। କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଦେଶମାନଙ୍କ ମଧ୍ୟରେ ପରସ୍ପର ଭାବର ଆଦାନପ୍ରଦାନ ହେତୁ ସଦ୍ଭାବନା ବୃଦ୍ଧି ଘଟିବ। ନୂତନ ଉପଗ୍ରହମାନଙ୍କର ନିର୍ମାଣ ତଥା ଅନ୍ୟ ଗ୍ରହମାନଙ୍କ ବିଷୟରେ ଗବେଷଣାଲବ୍ଧ ନୂତନ ତଥ୍ୟ ଓ ଜ୍ଞାନ ଲାଭ ହେବ। ବାରମ୍ବାର ଉଲ୍କାପାତ ବିଶ୍ବବାସୀଙ୍କ ପାଇଁ ଭୟ ସୃଷ୍ଟି କରିବ।
ବିଶ୍ବ ଜଳବାୟୁ ତଥା ପାଣିପାଗରେ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣାଜନିତ ସମସ୍ୟା, ଯୁଦ୍ଧଖୋର ମନୋବୃତ୍ତି ଥିବା ଦେଶମାନଙ୍କ ମଧ୍ୟରେ ନିୟମିତ ସମରାଭ୍ୟାସ, ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ହେବ। ସମୟ ଅନୁକ୍ରମଣରେ ଶୀତର ପ୍ରକୋପ, ପ୍ରଚଣ୍ଡ ଗ୍ରୀଷ୍ମତାପ, ତୁଷାରପାତ, ଘୂର୍ଣ୍ଣିଝଡ଼, ସାମୁଦ୍ରିକ ବାତ୍ୟା ହେତୁ ବହୁ ଧନଜୀବନ ହାନି ଘଟିବ। କାଲିଫର୍ଣ୍ଣିଆ, ଚୀନ, ବାଂଲାଦେଶ, ପାକିସ୍ତାନ, ଜାପାନ, ରୁଷିଆ, ଇଣ୍ଡୋନେସିଆ, ଉରୁଗୁଏ, ଫିଲିପାଇନ୍ସ, ବ୍ରାଜିଲ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଉତ୍ତର ଓ ଦକ୍ଷିଣ କୋରିଆ ଓ ଉତ୍ତର ଆମେରିକାର କିଛି ଅଂଶ ପ୍ରବଳ ବର୍ଷା, ତୋଫାନ ତଥା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ। ଚୀନ, ପାକିସ୍ତାନ, ଜାଭା, ସୁମାତ୍ରା, ଫିଜିଦ୍ବୀପ, ରୁଷିଆ, ଇଣ୍ଡୋନେସିଆ, ସର୍ବୋପରି ହିମାଳୟର ପାର୍ବତ୍ୟ ଅଞ୍ଚଳରେ ଭୂମିକମ୍ପ ହେବା ସହ ବହୁ ଧନଜୀବନ ନଷ୍ଟ ହେବ। ଜଙ୍ଗଲରେ ନିଅଁା ମଧ୍ୟ ଏକ ସମସ୍ୟା ଭାବେ ଦେଖାଦେଇପାରେ।
ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ମୁଖ୍ୟମାନଙ୍କ ଅକାଳ ବିୟୋଗ, ପଶୁସମ୍ପଦ ହାନି, ଜୈବିକ, ରାସାୟନିକ ପଦାର୍ଥର ପ୍ରୟୋଗଭିତ୍ତିକ ବିଭିନ୍ନ ସମସ୍ୟା ଓ ଅଜଣା ରୋଗ ବିଶ୍ବବାସୀଙ୍କୁ ଆତଙ୍କିତ କରାଇବ। ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଘଟିଲେ ମଧ୍ୟ ବଣ୍ଟନ ଓ ଯୋଗାଣ କ୍ଷେତ୍ରରେ ଅନିୟମିତତା, ଦରବୃଦ୍ଧି ସହାୟକ ହେବ। କ୍ଷମତାଲୋଭ ପାଇଁ ଆମେରିକା, ରୁଷିଆ, ଚୀନ, ଉତ୍ତର କୋରିଆ ଆଦି ଦେଶ ଅନ୍ୟ ରାଷ୍ଟ୍ରମାନଙ୍କୁ ନିଜ ସପକ୍ଷବାଦୀ କରାଇବେ। ଜାତିସଂଘର ବିଭିନ୍ନ ରାଷ୍ଟ୍ରମାନେ ପରସ୍ପର ସହିତ ସମ୍ପର୍କ ରକ୍ଷାକରି ଯୁଦ୍ଧରୁ ନିବୃତ୍ତ ତଥା ସମସ୍ୟା ସମାଧାନ ପାଇଁ ଚେଷ୍ଟିତ ହେବେ।
Comments are closed.