ଜନାର୍ଦ୍ଦନ ପୂଜାରୀ ମାତୃ ମଙ୍ଗଳ କେନ୍ଦ୍ରକୁ ସଂପୁର୍ଣ୍ଣ ମା’ – ଶିଶୁ ଡାକ୍ତରଖାନାରେ ନିର୍ମାଣ ଦାବି

ସମ୍ବଲପୁର: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଏକ ଦିବସୀୟ ସମ୍ବଲପୁର ଗସ୍ତ ସମୟରେ ଡା. ଜନାର୍ଦ୍ଦନ ପୂଜାରୀ ମାତୃ ମଙ୍ଗଳ କେନ୍ଦ୍ରକୁ ସଂପୁର୍ଣ୍ଣ ମା’ – ଶିଶୁ ଡାକ୍ତରଖାନାରେ ପରିଣତ କରିବାକୁ ଦାବି କରାଯାଇଛି। ସମ୍ବଲପୁର ବୁଦ୍ଧିଜୀବୀ ଫୋରମ ତରଫରୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ସମ୍ବଲପୁରର ଏକ ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ସହର ରୁପେ ଖ୍ୟାତି ଅର୍ଜନ କରିଥିବା ବେଳେ ଏହାର ଜନସଂଖ୍ୟା ଅନୁଯାୟୀ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନାହିଁ। ୩୧ ଡିସେମ୍ବର ୧୯୪୪ ମସିହାରେ ସ୍ଥାପିତ ଡା. ଜନାର୍ଦ୍ଦନ ପୂଜାରୀ ମାତୃ ମଙ୍ଗଳ କେନ୍ଦ୍ର ସମୟର ସହିତ ବେଶ ଖ୍ୟାତି ଅର୍ଜନ କରିଥିବା ବେଳେ ସିଂହଭାଗ ଆଜିର ସମ୍ବଲପୁରର ଜନସଂଖ୍ୟା ଏହି ମାତୃ ମଙ୍ଗଳ କେନ୍ଦ୍ରରେ ଜନ୍ମ ଗ୍ରହଣ କରିଛନ୍ତି। ଏହି ଡାକ୍ତରଖାନାରେ ଡା. ନାରାୟଣୀ ପଣ୍ଡାଙ୍କ ଅବଦାନ ଅବିସ୍ମରଣୀୟ। ୨୦୧୬ – ୧୭ ମସିହାରେ ଏହି ଡାକ୍ତରଖାନାକୁ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡେଲିଭେରି ପଏନ୍ଟ ରୁପ ନେଇଥିଲା। କିନ୍ତୁ ୨୦୧୮ ମସିହା ପରେ ଏହାର ନବୀକରଣ ହୋଇ ନାହିଁ।

କୋଭିଡ ସମୟରେ ସାରା ଜିଲାର ପ୍ରସୂତୀ କାର୍ଯ୍ୟ ଏହି ଡାକ୍ତରଖାନାରେ ହେଉଥିବା ବେଲେ ଏହି ଡାକ୍ତରଖାନାକୁ ସମୟର ଆହ୍ୱାନ କ୍ରମେ ସଂପୁର୍ଣ୍ଣ ମାତୃ – ଶିଶୁ ଡାକ୍ତରଖାନାରେ ପ୍ରତିଷ୍ଠାର ଆବଶ୍ୟକତା ରହିଛି। ବିଗତ ଦିନରେ ଉଦ୍ୟମ କରାଯିବାରୁ ପୁନଃ ବହୁ ସଂଖ୍ୟକ ପ୍ରସୂତୀ ଜନିତ ମହିଳା ଡାକ୍ତରଖାନାକୁ ଆସୁଛନ୍ତି। ଗତ ୨ ମାସରେ ୨୬ ଜଣଙ୍କୁ ଲେପ୍ରୋସ୍କୋପିକ ସୁବିଧା ଦିଆଯାଇଛି। ଏହି ଡାକ୍ତରଖାନାକୁ ରାଷ୍ଟ୍ରୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ସାମିଲ କରି ସଂପୁର୍ଣ୍ଣ ରୂପେ ମା’– ଶିଶୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନରେ ପରିଣତ କରିବା ଆବଶ୍ୟକ ବୋଲି ଦାବିପତ୍ରରେ ଦର୍ଶାଯାଇଛି। ଏହି ଦାବିପତ୍ରକୁ ଗ୍ରହଣ କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ, ଏହାକୁ ହେରିଟେଜ ରୂପେ ଗ୍ରହଣ କରି ସରକାର ତତ୍ପରତାର ସହିତ ଏ ସମ୍ପର୍କରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିନିଧି ମଣ୍ଡଳକୁ କହିଛନ୍ତି। ପ୍ରତିନିଧି ମଣ୍ଡଳରେ ଫୋରମର ସଂଯୋଜକ ତଥା ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ, ଅନୁପ କୁମାର ତରିଆ ଓ ପ୍ରଦୀପ କୁମାର ବେହେରା ପ୍ରମୁଖ ସାମିଲ ରହିଥିଲେ।

 

Comments are closed.