ଗୋପବନ୍ଧୁ ବିଜ୍ଞାନ କଲେଜରେ ଶିକ୍ଷା ବିଭାଗର ପୁରାତନ ବିଦ୍ୟାର୍ଥୀ ସମାବେଶ
ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜର ଶିକ୍ଷା ବିଭାଗର ପୁରାତନ ବିଦ୍ୟାର୍ଥୀଙ୍କର ଏକ ସମାବେଶ କଲେଜ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ କଲେଜର ଅଧ୍ୟକ୍ଷ ଡ. ଲୋକନାଥ ସାହୁ ଯୋଗଦେଇ ଏଠାରେ ଶିକ୍ଷା ଗ୍ରହଣ କରିଥିବା ପୁରାତନ ଛାତ୍ରଛାତ୍ରୀ କଲେଜ ପାଇଁ ଗର୍ବ ଏବଂ ସେମାନେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ବୋଲି ପ୍ରକାଶ କରିଥିଲେ ।ମହାବିଦ୍ୟାଳୟର ବିକାଶ କ୍ଷେତ୍ରରେ ପୁରାତନ ବିଦ୍ୟାର୍ଥୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଅଧ୍ୟକ୍ଷ ମତପ୍ରକାଶ କରିଥିଲେ । ଶିକ୍ଷା ବିଭାଗର ମୁଖ୍ୟ ପ୍ରଧ୍ୟାପକ ପ୍ରତାପ କେଶରୀ ଖାଟୋଇ ଏଥିରେ ସଭାପତିତ୍ବ କରି ପ୍ରତିବର୍ଷ ନଭେମ୍ବର ରବିବାରରେ ପୁରାତନ ଛାତ୍ର ସଂସଦର ସମାବେଶ ଆୟୋଜନ ପାଇଁ ଦେଇଥିବା ପ୍ରସ୍ତାବ ସର୍ବସମ୍ମତ କ୍ରମେ ଗୃହୀତ ହୋଇଥିଲା ।
ଇତିହାସ ବିଭାଗ ଅଧ୍ୟାପକ ଡ. ଗୌତମବୁଦ୍ଧ ସୀତାରାମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ବିକାଶ ଲାଗି ପୁରାତନ ବିଦ୍ୟାର୍ଥୀମାନେ ମୋ କଲେଜ ଅଭିଯାନ ମାଧ୍ୟମରେ ସହାୟତାର ହାତ ବଢାଇବାକୁ ନିବେଦନ କରିଥିଲେ । ବିଭାଗୀୟ ଅଧ୍ୟାପିକା ସୁଶ୍ରୀ ସେନାପତି, ଅର୍ପିତା ଜେନା ଓ ଅଙ୍କିତା ପଟ୍ଟନାୟକ ପୁରାତନ ବିଦ୍ୟାର୍ଥୀଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସମାବେଶରେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କର କଲେଜ ଜୀବନର ସ୍ମୃତି ରୋମନ୍ଥନ କରିବା ସଙ୍ଗେ ସଙ୍ଗେ କଲେଜର ବିକାଶ ଦିଗରେ ସହଯୋଗ କରିବେ ବୋଲି ସେମାନଙ୍କର ପ୍ରତିବଦ୍ଧତା ପରିପ୍ରକାଶ କରିଥିଲେ ।
Comments are closed.