ମଣ୍ଡଳସ୍ତରୀୟ ବିଜ୍ଞାନମେଳା ଓ ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ
କେନ୍ଦୁଝରଗଡ଼଼ : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପରିଚାଳିତ ମଣ୍ଡଳସ୍ତରୀୟ ବିଜ୍ଞାନମେଳା ଓ ଭଲିବଲ ପ୍ରତିଯୋଗିତା-‘ସରଗିଫୁଲ-୨୦୨୪’ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି। ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ଜିଲା ଶିକ୍ଷା ନିରୀକ୍ଷକ ସଞ୍ଜୟ କୁମାର ଧଳ, କେନ୍ଦୁଝରର ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ସାମନ୍ତସିଂହାର ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝରର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାଏକ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
ବିଜ୍ଞାନମେଳା ପ୍ରତିଯୋଗିତାରେ କେନ୍ଦୁଝର ଜିଲାରୁ ଶ୍ରେଷ୍ଠ ବିବେଚିତ ୬ଟି ପ୍ରକଳ୍ପ ଏବଂ ଢ଼େଙ୍କାନାଳ, କେନ୍ଦ୍ରପଡା, ଅନଗୁଳ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲାରୁ ଶ୍ରେଷ୍ଠ ଗୋଟିଏ ଲେଖାଏଁ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଅନଗୁଳର ସରକାରୀ ଉଚ୍ଚ ବିଦ୍ୟାଳୟ ଫୁଲାମ୍ବାର ସିମରନ ପ୍ରିୟଦର୍ଶନୀ ନାଏକ ଓ ପ୍ରିୟଙ୍କା ସେଠୀ, କଟକର ସରକାରୀ ଉଚ୍ଚ ବିଦ୍ୟାଳୟ ମାଧପୁରର ମିରୁ ସୋରେନ ଓ ରଶ୍ମୀତା ତିରିଆ, କେନ୍ଦୁଝରର ସରକାରୀ ଉଚ୍ଚ ବିଦ୍ୟାଳୟ ଅସନପାଟର ସୋନାଲି ବେହେରା ଓ ଜ୍ୟୋସ୍ନା ମୁଣ୍ଡା, ଜଗତସିଂହପୁରର ପାରେଶ୍ୱର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାରାଦ୍ୱୀପର ସାରତି ଟୁଡୁ ଓ ଜସ୍ମୀ କିସ୍କୁ, କେନ୍ଦୁଝର ଅନ୍ୱେଷା ବାଳିକା ଛାତ୍ରୀନିବାସର ମଧୁସ୍ମୀତା ପାତ୍ର ଓ ଦୀପାଳୀ ନାଏକ ଏବଂ କେନ୍ଦୁଝର ରାଇଡିହା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପାପିନ ନାଏକ ଓ ନମ୍ରତା ମାଝୀଙ୍କ ପ୍ରକଳ୍ପ ରାଜ୍ୟସ୍ତରୀୟ ସରଗୀଫୁଲ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିଛି।
ଗୋନାସିକା ଉଚ୍ଚମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟ କେନ୍ଦୁଝରର ରସାୟନବିଜ୍ଞାନ ଅଧ୍ୟାପକ ମହମ୍ମଦ ଫାହିମ, ଅଖତାର, ପଦାର୍ଥ ବିଜ୍ଞାନ ଅଧ୍ୟାପକ ବାଦଳ କୁମାର ମହାନ୍ତ, ପାଟେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଶୁଆକାଟୀର ଉଦ୍ଭିଦବିଜ୍ଞାନ ଅଧ୍ୟାପକ ଶୁଭେନ୍ଦୁ କୁମାର ସାହୁ ବିଜ୍ଞାନ ପ୍ରକଳ୍ପର ମୂଲ୍ୟାୟନ କରି କୃତୀ ପ୍ରକଳ୍ପ ଚୟନ କରିଥିଲେ। ଭଲିବଲ ପ୍ରତିଯୋଗିତାର ବାଳିକାବର୍ଗରୁ ଢ଼େଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ନୟାଗଡ଼ ଜିଲାରୁ ଅଂଶଗ୍ରହଣ କରିଥିବା ବେଳେ ଆୟୋଜକ କେନ୍ଦୁଝରଦଳ ଚମ୍ପିଆନ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିଛି। ବାଳକବର୍ଗରେ କେନ୍ଦୁଝର, କଟକ, ଢ଼େଙ୍କାନାଳ, ଯାଜପୁର, ନୟାଗଡ଼, ପୁରୀ, ଖୋର୍ଦ୍ଧା ଓ ଅନଗୁଳ ଜିଲା ଅଂଶଗ୍ରହଣ କରିଥିବା ବେଳେ କେନ୍ଦୁଝର ଦଳ ଚମ୍ପିଆନ ହୋଇ ରାଜ୍ୟସ୍ତରୀୟ ସରଗୀଫୁଲ ପ୍ରତିଯୋଗିତାକୁ ଉନ୍ନୀତ ହୋଇଛି।
ଖେଳ ଶିକ୍ଷକ ପରମାନନ୍ଦ ସେଠୀ, ଭାଗ୍ୟଲକ୍ଷ୍ମୀ ପାତ୍ର, ସୁକାନ୍ତୀ ଧଳ, ଜୟଶ୍ରୀ ମହାପାତ୍ର, ସୁମିତ୍ରା ଦାସ, ପ୍ରକାଶ କୁମାର ବେଜ ଓ ଭରତ ଦଳେଇ ଭଲିବଲ ପ୍ରତିଯୋଗିତା ପରିଚାଳନା କରିଥିଲେ। ରାଇଡିହା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ନାଏକଙ୍କ ତତ୍ତ୍ୱାବଧାନରେ ଭଗାମୁଣ୍ଡା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ଦାଶ, ବାଳିକା ଉଚ୍ଚବିଦ୍ୟାଳୟ ଶୁଆକାଟୀର ବିଜ୍ଞାନ ଶିକ୍ଷକ ରଘୁନାଥ ସାହୁ, ନିଶାଗଡ଼ିଆ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି ପ୍ରମୁଖ ବିଜ୍ଞାନମେଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କାଦକଳା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ଆଇଚ, ଶୁଆକାଟୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଶତପଥୀ, ଜଗମୋହନପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣାଞ୍ଜନ ଆଚାର୍ଯ୍ୟ, ଖଢ଼ଜୁରୀବାଣି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସାହୁ ଓ ରାଙ୍କି ଆଶ୍ରମ ବିଦ୍ୟାଳୟର ଶିକ୍ଷକ ସୁଧାକର କୁଅଁର ପ୍ରମୁଖ ୩ଦିନଧରି ଅନୁଷ୍ଠିତ ସରଗୀଫୁଲ ପ୍ରତିଯୋଗିତା ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.