ରେଙ୍ଗାଲି ଡାକ୍ତରଖାନାକୁ ସିଏଚସି କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ରେଙ୍ଗାଲି: ସମ୍ବଲପୁର ଜିଲାର ଶିଳ୍ପ ସମୃଦ୍ଧ ରେଙ୍ଗାଲି ରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅପ୍ ଗ୍ରେଡେସନ୍ ଓ ଭିତ୍ତିଭୂମି ବିକାଶ କରାଯାଇ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ପରିଣତ କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ରେଙ୍ଗାଲି ର ଜନସାଧାରଣ ଓଡିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି।  ଡକ୍ଟର ମହାଲିଙ୍ଗ ଆଜି ରେଙ୍ଗାଲି ରେ ଆୟୋଜିତ ହୋଇ ଥିବା ୨୦ଘର କେଉଁଟ କୁଟୁମ୍ବ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ରୂପେ ଯୋଗ ଦେବା ପାଇଁ ଆସିଥିବା ବେଳେ ରେଙ୍ଗାଲି ର ସଚେତନ ନାଗରିକ ଡକ୍ଟର ମହାଲିଙ୍ଗ ଙ୍କୁ ସାକ୍ଷାତ କରି ରେଙ୍ଗାଲି ଡାକ୍ତରଖାନା ର ସମସ୍ୟା ଉପସ୍ଥାପନ କରି ଦାବୀପତ୍ର ପ୍ରଦାନ କରିଥିଲେ। ସୁନିଲ ପଧାନ, ସୁବାସ ବିଶ୍ବାଲ, ବିଶ୍ଵହିନ୍ଦୁ ପରିଷଦ ର ଉପସଭାପତି ବିଶ୍ବନାଥ ଅଗ୍ରୱାଲ କୋଷାଧ୍ୟକ୍ଷ ଚମ୍ପେଶ୍ଵର ଅଗ୍ରୱାଲ, ବିଜେପି ନେତା ଯୁଗଳ କିଶୋର ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ଵାଳ, ନିସାନଭଙ୍ଗା ସରପଞ୍ଚ ସରୋଜ ମେହେର, ଯୁବ ନେତା ଉତ୍ତମ ବିଶ୍ବାଲ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ।
୧୯୫୧ ମସିହାରୁ ପ୍ରତିଷ୍ଠିତ ରେଙ୍ଗାଲି ଡାକ୍ତରଖାନା ମାତ୍ର ଜଣେ ଡାକ୍ତର ରେ ଚାଲିଛି। ୧୨ ଟି ପଞ୍ଚାୟତ ର ଜନସାଧାରଣ ସ୍ବାସ୍ଥ୍ୟ ସେବା ପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ଶିଳ୍ପାୟନ ପରେ ଅଞ୍ଚଳ ର ଜନସଂଖ୍ୟା ଦୃତ ଗତି ରେ ବୃଦ୍ଧି ପାଇବା ସହିତ ଶିଳ୍ପ ର ପ୍ରଭାବ ରେ ନାନା ପ୍ରକାର ରୋଗ ଓ ଦୁର୍ଘଟଣା ବୃଦ୍ଧି ପାଇଛି। କ୍ରମବର୍ଦ୍ଧମାନ ଜନସଂଖ୍ୟା ଓ ରୋଗ ବୃଦ୍ଧି ର ମୁକାବିଲା ପାଇଁ ରେଙ୍ଗାଲି ରେ ଏକ ଉନ୍ନତ ମାନର ଡାକ୍ତରଖାନା ନିର୍ମାଣ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନିତାନ୍ତ ଆବଶ୍ୟକ ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରାଯାଇଛି। ୫୦ ଦଶକ ର ବିଧି ବ୍ଯବସ୍ଥା ଭିତ୍ତିଭୂମି ରେ ଅଞ୍ଚଳ ର ସ୍ବାସ୍ଥ୍ୟ ସେବା ଅସମ୍ଭାଳ ହେଉଛି। ଏହି ଡାକ୍ତରଖାନା ରେ ବାର୍ଷିକ ୫୦ ହଜାର ଲୋକ ଚିକିତ୍ସିତ ହେବାକୁ ଆସୁଛନ୍ତି। ତେବେ ଆବଶ୍ୟକ ଡାକ୍ତର ଅଭାବ ତଥା ଚାହିଦା ମୁତାବକ ଚିକିତ୍ସା ଅଭାବ ରୁ ସମ୍ବଲପୁର ଓ ବୁର୍ଲା ଡାକ୍ତରଖାନା କୁ ଯିବାପାଇଁ ଲୋକେ ବାଧ୍ଯ ହେଉଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମହାଲିଙ୍ଗ ଜନସାଧାରଣ ଙ୍କ ଦାବିପତ୍ର ଗ୍ରହଣ କରି ଶୀଘ୍ର ଏହି ଅବସ୍ଥା ର ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ଭିତ୍ତିଭୂମିର ବିକାଶ ପାଇଁ ଶୀଘ୍ର ପ୍ରସ୍ତାବ ପଠାଇବାକୁ ସମ୍ବଲପୁର ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନ ରେ ଡାକ୍ତର ନିଯୁକ୍ତି ହେବାକୁ ଯାଉଛି । ସେ ସମୟ ରେ ରେଙ୍ଗାଲି ଡାକ୍ତରଖାନା ରେ ନିଯୁକ୍ତି ଦିଆଯିବ ବୋଲି ଡଃ ମହାଲିଙ୍ଗ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.