ସମ୍ବଲପୁର : ସ୍ଥାନୀୟ ସଦର ଥାନା ଅଞ୍ଚଳ ଅନ୍ତର୍ଗତ ମାନେଶ୍ୱରର ମାନ୍ଧାତା ବାବା ମନ୍ଦିର ଓ ଦୁର୍ଗା ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସଦର ଏସଡିପିଓ ତୁଫାନ ବାଗଙ୍କ ସୂଚନାନୂଯାୟୀ, ଗତ ୧୪/୧୫ ତାରିଖ ମଧ୍ୟ ରାତ୍ରିରେ କୁଦୋପାଲି ପାଣିଡୁଙ୍ଗୁରୀପଡା ନିବାସୀ ବ୍ୟୋମକେଶ ମିର୍ଦ୍ଧା (୨୬), କିଶୋର ମିର୍ଦ୍ଧା (୨୫), ରିଙ୍କୁ ଓ ରାଜୁ ନାମକ ୪ ଜଣ ଯୁବକ ମାନେଶ୍ୱର ଅଞ୍ଚଳରେ ଥିବା ମନ୍ଦିର ଗୁଡିକର ହୁଣ୍ଡି ଗୁଡିକୁ ଚୋରି କରିବାର ଯୋଜନା କରି ମଧ୍ୟ ରାତ୍ରିରେ ମାନେଶ୍ୱରକୁ ଯାଇଥିଲେ। ଏକ ସ୍କୁଟିରେ ବ୍ୟୋମକେଶ ଓ କିଶୋର ଏବଂ ଅନ୍ୟ ଏକ ବାଇକରେ ରିଙ୍କୁ ଓ ରାଜୁ ମାନେଶ୍ୱର ସ୍ଥିତ ଦୁର୍ଗା ମନ୍ଦିରକୁ ଯାଇ ଦ୍ୱାରର ତାଲା ଭାଙ୍ଗିବା ପରେ ଟଙ୍କା ପାଇଁ ହୁଣ୍ଡିକୁ ଭାଙ୍ଗି ସମସ୍ତ ଟଙ୍କା ଏବଂ ମନ୍ଦିର ପରିସରରେ ଥିବା ଏକ ଗ୍ୟାସ ସିଲିଣ୍ଡରକୁ ଚୋରି କରି ନେଇ ଚମ୍ପଟ ମାରିଥିଲେ।
ଏହି ଘଟଣାର ଅଭିଯୋଗ ହେବାରୁ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଗତ ୨୩ / ୨୪ ତାରିଖ ରାତ୍ରିରେ ମାନ୍ଧାତା ମନ୍ଦିରର ହୁଣ୍ଡିକୁ ଭାଙ୍ଗି ସେଠାରେ ଥିବା ଟଙ୍କା ଚୋରି ହୋଇଯାଇଥିଲା । ଏହି ଘଟଣାର ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ସମୟରେ ଦୁର୍ଗା ମନ୍ଦିରରୁ ଚୋରି କରିଥିବା ଯୁବକ ମାନେ ସଂପୃକ୍ତ ଥିବାର ଜଣାପଡିଥିଲା । ଚୋର ମାନେ ରାତି ଅଧରେ ସ୍କୁଟି ଓ ବାଇକର ବ୍ୟବହାର କରି ମନ୍ଦିରରେ ଥିବା ହୁଣ୍ଡିକୁ ଭାଙ୍ଗି ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ। ପୁଲିସ ଚଢ଼ଉ ସମୟରେ ବ୍ୟୋମକେଶ ମିର୍ଦ୍ଧା ଓ କିଶୋର ମିର୍ଦ୍ଧାଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ଚୋରି ହୋଇଥିବା ଟଙ୍କା ମଧ୍ୟରୁ ୧୦ ହଜାର ୨୨୦ ଟଙ୍କା, ୨ଟି ମୋବାଇଲ ଫୋନ ଓ ସ୍କୁଟି ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଚୋର ଫେରାର ମାରିଥିବାରୁ ସେମାନଙ୍କୁ ଧରିବାର ଉଦ୍ୟମ ଜାରି ରହିଛି । ଗିରଫ ହୋଇଥିବା ଚୋର ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଏସଡିପିଓ ଶ୍ରୀ ବାଗ କହିଛନ୍ତି ।



