ନୂତନ ହାତୀ କରିଡର ପାଇଁ ସରକାର ଯୋଜନା କରୁଛନ୍ତି : ଭୁପେନ୍ଦର ଯାଦବ

ଭୁବନେଶ୍ୱରରେ ବିଶ୍ୱ ହାତୀ ଦିବସ କାର୍ଯ୍ୟକ୍ରମ

ଡେସ୍କ : ଭୁବନେଶ୍ୱରରେ ବିଶ୍ୱ ହାତୀ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ‘ଏଲିଫାଣ୍ଟ କରିଡରସ ଅଫ ଇଣ୍ଡିଆ’ ଓ ‘ଏଲିଫାଣ୍ଟ ରିଜର୍ଭ ଅଫ ଇଣ୍ଡିଆ’ ନାମରେ ଦୁଇଟି ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶରେ ନୂତନ ହାତୀ କରିଡର ଗଠନ ପାଇଁ ସରକାର ଯୋଜନା କରୁଥିବା କହିଛନ୍ତି।
ଓଡ଼ିଶା ପ୍ରାକୃତିକ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଏହାର ବାତାବରଣ ହାତୀଙ୍କୁ ସୁହାଇଲାଭଳି ଥିବା ଯୋଗୁଁ ଏଠାରେ ହାତୀ ବସବାସ କରୁଛନ୍ତି । ଏଣୁ ପ୍ରକୃତି ସହ ସୁସଂଗଠିତ ହୋଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ହାତୀ ନିଜ କରିଡର ମଧ୍ୟରେ ଥିବାବେଳେ ଏହା ଉପରେ ଆହୁରି କରିଡର ବୃଦ୍ଧି କରିବାକୁ ହେଲେ ଆମକୁ ସେମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଚିନ୍ତା କରିବାକୁ ହେବ ବୋଲି ସେ କହିଛନ୍ତି। ଶ୍ରୀ ଯାଦବ କହିଛନ୍ତି, ଭାରତୀୟ ରେଳବିଭାଗ, ଏନ୍‌‌ଏଚ୍‌‌ଆଇ ସହ ଗତ କିଛିଦିନ ହେବ ନୂତନ ହାତୀ କରିଡର ଗଠନ ପାଇଁ ଯୋଜନା କରୁଛି । ଏଥିପାଇଁ ଏ ସମସ୍ତ ଦିଗକୁ ଧ୍ୟାନ ଦେଇ କାର୍ଯ୍ୟ କରାଯାଉ ଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଭାରତ ସରକାର ଗତ ୩୦ ବର୍ଷରେ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟକୁ ସଫଳତାର ସହ ପରିଚାଳନା କରୁଥିବାବେଳେ ବନ୍ୟଜୀବଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସତର୍କ ଓ ସଜାଗ ଥିବା ନେଇ ସେ କହିଛନ୍ତି।
ଏହି ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ବନ କର୍ମଚାରୀଙ୍କ ମୃତ୍ୟୁ ହେଲେ କ୍ଷତିପୂରଣ ପାଇଁ ସମାନ ନୀତି ଆଣିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ ରାଜ୍ୟରେ କ୍ଷତିପୂରଣ ବାବଦରେ ଭିନ୍ନ ଭିନ୍ନ ନୀତି ରହିଛି। ୟୁନିଫର୍ମ ପଲିସି ହେଲେ ବନ କର୍ମଚାରୀମାନେ ଉପକୃତ ହେବେ।
ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ଉପସ୍ଥିତ ଥିଲେ। ଏ ଅବସରରେ ଦେଶରେ ହାତୀ ସୁରକ୍ଷା କ୍ଷେତ୍ରରେ କାମ କରିଥିବା ବିଭିନ୍ନ ରାଜ୍ୟର ବନ କର୍ମଚାରୀଙ୍କୁ ଗଜ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି ।

Comments are closed.