ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ

0

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ପତ୍ର ପ୍ରତ୍ୟାହାରର ଅନ୍ତିମ ଦିନ ଥିଲା। ବିଧାନସଭା ଆସନ ପାଇଁ ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା କେତେ ଜଣ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିବା ବେଳେ ବୁଧବାର କେତେ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ଥିବାରୁ ସେଗୁଡିକୁ ଖାରଜ କରିଦିଆଯାଇଥିଲା।

ଗୁରୁବାର ନବରଙ୍ଗପୁର ଜିଲ୍ଲାରେ ଦୁଇଟି ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇଛି। ଉମରକୋର୍ଟ ବିଧାନସଭା ଓ ଝରିଗାଁ ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିବା ବେଳେ ପୂର୍ବରୁ ନବରଙ୍ଗପୁର ବିଧାନସଭା ପାଇଁ ଜଣକର ନାମାଙ୍କନପତ୍ର ନାକଚ ହୋଇଥିଲା। ବର୍ତ୍ତମାନ ନବରଙ୍ଗପୁର ଲୋକସଭା ଆସନ ପାଇଁ ୪ଜଣ, ନବରଙ୍ଗପୁର ବିଧାନସଭା ଆସନ ପାଇଁ ୪ଜଣ, ଡାବୁଗାଁ ବିଧାନସଭା ଆସନ ପାଇଁ ୫ଜଣ, ଉମରକୋଟ ବିଧାନସଭା ପାଇଁ ୫ଜଣ ଓ ଝରିଗାଁ ବିଧାନସଭା ଆସନ ପାଇଁ ୪ଜଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ।

ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳିର ଜଣେ ସ୍ୱାଧୀନ ପ୍ରାର୍ଥୀ ଭୀମସେନ ନାୟକ ପ୍ରାର୍ଥି ପତ୍ର ପ୍ରତ୍ୟାହାର କରିଛନ୍ତି। ଫଳରେ ଚିତ୍ରକୋଣ୍ଡା ବିଧାନସଭା ଆସନରେ ମୋଟ ୬ ଜଣ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେହିଭଳି ମାଲକାନଗିରି ବିଧାନସଭା ଆସନରେ କୌଣସି ପ୍ରାର୍ଥି ସେମାନଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନଥିବାରୁ ମୋଟ ୭ ଜଣ ପ୍ରାର୍ଥି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ମାଲକାନଗିରି ବିଧାନସଭା ପାଇଁ ମୋଟ ୮ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଚିତ୍ରକୋଣ୍ଡା ପାଇଁ ମୋଟ ୯ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଯାଞ୍ଚ ବେଳେ ମାଲକାନଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଅଖିଳ ଭାରତୀୟ ଫରୱାଡ ବ୍ଲକର ବିକାଶ ମାଡ଼ିଙ୍କ ପ୍ରାର୍ଥି ପତ୍ର ନାକଚ ହୋଇଥିବା ବେଳେ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଅଖିଳ ଭାରତୀୟ ଫରୱାଡ ବ୍ଲକର ସ୍ୱର୍ଣ୍ଣମଣି ନାୟକ ଓ ସ୍ୱାଧିନ ପ୍ରାର୍ଥୀ ସଂଯୁକ୍ତା ଖିଲଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା।

Leave A Reply