ଆଜିଠାରୁ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ ଟେନିସ
ଲଣ୍ଡନ : ସୋମବାରଠାରୁ ଏଠାରେ ସିଜିନର ତୃତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ ଆରମ୍ଭ ହେବାକୁ ଯାଉଛି। ଗ୍ରାସକୋର୍ଟରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହେବା ପ୍ରତ୍ୟେକ ଟେନିସ ଖେଳାଳିଙ୍କର ସ୍ୱପ୍ନ ରହିଥାଏ। ଚଳିତବର୍ଷ ସ୍ୱିଜରଲାଣ୍ଡର ରୋଜର ଫେଡେରର ଓ ରୋମାନିଆର ସିମୋନା ହାଲେପ୍ଙ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍ ସିଡ୍ ମାନ୍ୟତା ପ୍ରଦାନ କରାଯାଇଛି। ସିଙ୍ଗଲ୍ସରେ ଚମ୍ପିଆନ ହେଉଥିବା ଖେଳାଳିଙ୍କୁ ପୁରସ୍କାର ବାବଦରେ ଟ୍ରଫି ସହ ୨୨,୫୦,୦୦୦ ପାଉଣ୍ଡ ଓ ରନର୍ସଅପ୍ ଖେଳାଳିଙ୍କୁ ୧୧,୨୫,୦୦୦ ପାଉଣ୍ଡ ପ୍ରଦାନ କରାଯିବ। ଫେଡେରର ଗତବର୍ଷ ଏଠାରେ ପୁରୁଷ ସିଙ୍ଗଲ୍ସ ଚମ୍ପିଆନ ହୋଇଥିବାବେଳେ ଏବର୍ଷ ଏହି ସଫଳତାକୁ ଦୋହରାଇବାକୁ ଲକ୍ଷ୍ୟ ରଖିଛନ୍ତି। ସ୍ପେନର ଗାର୍ବାଇନ ମୁଗୁରୁଜା ଗତଥର ମହିଳା ସିଙ୍ଗଲ୍ସରେ ଚମ୍ପିଆନ ହୋଇଥିବାବେଳେ ଏଥର ତାଙ୍କୁ ୩ୟ ସିଡ୍ ମାନ୍ୟତା ମିଳିଛି। ଭାରତରୁ ୟୁକି ଭାମ୍ବ୍ରି ପୁରୁଷ ସିଙ୍ଗଲ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟତା ଅର୍ଜନ କରିଥିବାବେଳେ ପୁରୁଷ ଡବଲ୍ସରେ ରୋହନ ବୋପନ୍ନା ଓ ତାଙ୍କ ଯୋଡିଦାର ଫ୍ରାନ୍ସର ଏଡୁଆର୍ଡୋ ରୋଜର ଭାସେଲିନଙ୍କୁ ୧୨ଶ ସିଡ୍ ମିଳିଛି।