ଦେଶରେ ନିଷିଦ୍ଧ ହେବ ହ୍ୱାଟ୍ସ ଆପ୍ !
ନୂଆଦିଲ୍ଲୀ : ଭାରତ ସରକାର ଦେଶରେ ବହୁଳ ବ୍ୟବହୃତ ସାମାଜିକ ଗଣମାଧ୍ୟମ ହ୍ୱାଟ୍ସ ଆପ୍ର ବ୍ୟବହାର ନିଷିଦ୍ଧ କରିେବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଗୁରୁତର ଭାବେ ବିଚାର କରାଯାଉଛି। ବିଶେଷ ଭାବେ ଦେଶବିରୋଧୀ ଶକ୍ତି ଓ ଆତଙ୍କବାଦୀମାନେ ଏହାକୁ ମାଧ୍ୟମ କରି ନାନା ବିଭ୍ରାଟ ଓ ହିଂସାତ୍ମକ କାର୍ଯ୍ୟ ଚଳାଇଥିବାରୁ ସରକାର ଏଭଳି ବିଚାର କରୁଛନ୍ତି। ଜାମ୍ମୁ-କାଶ୍ମୀରର ନାଗ୍ରୋଟା ସେନା ଶିବିର ଉପରେ ୨୦୧୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭ଜଣ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ହାତ ଥିଲା। ଏହି ସଂଗଠନର ସଦସ୍ୟମାନେ ପାକିସ୍ତାନରୁ ହ୍ୱାଟ୍ସ ଆପ୍ ମାଧ୍ୟମରେ ନିର୍ଦେଶ ପାଇ ଆକ୍ରମଣ ରଚନା କରିଥିଲେ। ଏହାଛଡ଼ା କାଶ୍ମୀରରେ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ପରିସ୍ଥିତି ପଛରେ ଏହି ସାମାଜିକ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବାରମ୍ବାର ପ୍ରମାଣିତ ହେଲାଣି। ସେ ଦୃଷ୍ଟିରୁ ସାମାଜିକ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ରବିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ସାଇଟ୍ ଓ ଆପ୍ସ ଯେମିତି ଆତଙ୍କବାଦୀ, ଦେଶଦ୍ରୋହୀ ଓ ସାମ୍ପ୍ରଦାୟିକ ଶକ୍ତିଙ୍କ ହାତରେ ନ ପଡ଼ିବ ବା ଏଗୁଡ଼ିକର ଅପବ୍ୟବହାର ନ ହେବ ସେଥିପାଇଁ ଏଗୁଡ଼ିକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଆଲୋଚନା ପାଇଁ ବିଶେଷ ବୈଠକ ଆହୂତ ହୋଇଥିଲା। ଏଥିରେ ସୂଚନା ଓ ପ୍ରଯୁକ୍ତି, ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ସହିତ ଜାମ୍ମୁ-କାଶ୍ମୀର ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ହ୍ୱାଟ୍ସ ଆପ୍ ଦେଶବିରୋଧୀ ଶକ୍ତିଙ୍କ ପାଇଁ ସୂଚନା ପ୍ରଦାନ କ୍ଷେତ୍ରରେ ବଡ଼ ମାଧ୍ୟମ ପାଲଟି ଥିବା ଅଧିକାରୀମାନେ ସ୍ୱୀକାର କରିଥିଲେ। ମଧ୍ୟପ୍ରାଚ୍ୟ ଦେଶ ସମୂହରେ ହ୍ୱାଟ୍ସ ଆପ୍ ଭଏସ୍ ଓ ଭିଡିଓ କଲିଂକୁ ନିଷେଧ କରାଯାଇଥିବାରୁ ଭାରତରେ ଏଭଳି ପଦକ୍ଷେପ ଗ୍ରହଣ କରାଯିବା ନେଇ ଆଲୋଚନା ହୋଇଥିଲା। ଏଥିପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ବିଚାର ବିମର୍ଶ କରାଯାଇଥିଲା। ଖୁବ୍ ଶୀଘ୍ର ଏ ବାବଦରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆପାତତଃ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
ତେବେ ଏହି ପ୍ରସଙ୍ଗ ପ୍ରଥମ ନୁହେଁ। ୨୦୧୬ରେ ଜାତୀୟ ସୁରକ୍ଷା କ୍ଷେତ୍ରରେ ଆପ୍ଗୁଡ଼ିକ ବଡ଼ ଆହ୍ୱାନ ସୃଷ୍ଟି କରୁଥିବା ଦର୍ଶାଇ ସୁପ୍ରିମ କୋର୍ଟରେ ମାମଲା ରୁଜୁ ହୋଇଥିଲା; କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ବର୍ତ୍ତମାନ ଏହା ପୁନର୍ବାର ମୁଣ୍ଡ ଟେକିଛି। ଦେଶରେ ସାମାଜିକ ଗଣମାଧ୍ୟମ ଓ ଆପ୍ର କୋଟି କୋଟି ବ୍ୟବହାରକାରୀ ରହିଥିବାରୁ ସୁରକ୍ଷା ପ୍ରସଙ୍ଗରେ ସେମାନଙ୍କ ତଥ୍ୟାବଳୀ ମହଜୁଦ ରଖାଯିବାର ଆବଶ୍ୟକତା ଅନଭୂତ ହେଲାଣି। ହ୍ୱାଟ୍ସ ଆପ୍ର ମୂଳ କମ୍ପାନୀ ଫେସ୍ବୁକ୍ ସମ୍ପ୍ରତି ତଥ୍ୟ ପ୍ରଘଟ ମାମଲାରେ ଛନ୍ଦି ହୋଇଥିବାରୁ ଏହି ପ୍ରସଙ୍ଗର ଗୁରୁତ୍ୱ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମସ୍ତ ସାମାଜିକ ଗଣମାଧ୍ୟମ ସଂସ୍ଥା ଉପରେ କିପରି ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିପାରିବେ ଓ ସେମାନଙ୍କ ଉପରେ ନିୟନ୍ତ୍ରଣ ରଖିପାରିବେ ସେ ନେଇ ଚିନ୍ତା କରୁଛନ୍ତି। ସମସ୍ତ ସଂସ୍ଥାର ପ୍ରତିନିଧିଙ୍କୁ ଏ ନେଇ ଶୀଘ୍ର ଏକ ବୈଠକ ଆୟୋଜନ କରାଯିବ ଓ ସେମାନଙ୍କୁ ସ୍ଥନୀୟ ନୀତି ନିୟମ ମାନି କାମ କରିବା ପାଇଁ କୁହାଯିବ ବୋଲି ନିଷ୍ପତ୍ତି ହୋଇଛି।