ନଦୀ କୂଳିଆ ଆଦିବାସୀଙ୍କୁ କୋରଡ଼ ପାଣି ଭରସା

ପାତ୍ରପୁର: ଗତ କିଛିଦିନ ହେଲା ଗ୍ରୀଷ୍ମପ୍ରବାହ ବୃଦ୍ଧିପାଇଛି । ଏଭଳି ସମୟରେ ପାତ୍ରପୁର ବ୍ଲକ ବିଛିନ୍ନାଅଞ୍ଚଳର ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା ଆଦିବାସୀ ଗ୍ରାମରେ ଏବେ ଜଳ ସଙ୍କଟ ଦେଖା ଦେଇଛି। ରାତି ପାହିଲେ ଗ୍ରାମର ଆଦିବାସୀ ମହିଳାମାନେ ମହେନ୍ଦ୍ର ତନୟା ନଦୀ କୋରଡ଼ରୁ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଆମେ କହୁଛୁ ପାତ୍ରପୁର ବ୍ଳକ ବୁରାତାଲ ପଂଚାୟତର ଡାବୁଥଳି ଗାଁ କଥା।

ଏହି ଗ୍ରାମର ଲୋକମାନେ ବିଭିନ୍ନ ମୌଳିକ ସୁବିଧାର ଅସୁବିଧା ଦେଖି ପାହାଡ଼ ଉପରୁ ୨୫ ବର୍ଷ ତଳେ ଆସି ଆନ୍ଧ୍ର ମହେନ୍ଦ୍ର ତନୟା ନଦୀରେ ନିର୍ମିତ ଜଳଭଣ୍ଡାର ପାର୍ଶ୍ୱରେ ଘର ତିଆରି କରି ପୂର୍ବ ନାମରେ ବସବାସ କରୁଥିଲେ। ବିଭିନ୍ନ ସମୟରେ ଲୋକମାନେ ଆନ୍ଧ୍ର କଳିଙ୍ଗ ଦଳା ପ୍ରକଳ୍ପ ଉପରେ ନିର୍ଭର କରୁଛନ୍ତି। ଡାବୁଥଳି ଗ୍ରାମର ଲୋକମାନେ ଯାତାୟତ ପାଇଁ ଆନ୍ଧ୍ରପ୍ରଦେଶ ପଥ ଅତିକ୍ରମ କରି ଗ୍ରାମକୁ ଯିବାଆସିବା କରୁଥିବା ବେଳେ ଗଜପତି ଜିଲ୍ଲାରୁ ଚାରିବର୍ଷ ପୂର୍ବେ ବିଜୁଳି ମିଳିଥିଲା। ଗ୍ରାମ ଲୋକଙ୍କ ଜଳ କଷ୍ଟ ଦେଖି ଗୋଟିଏ ନଳକୂପ ଖନନ କରାଯାଇଥିଲା। ତେବେ ଏହି କୂପରୁ ଠିକ ଭାବେ ପାଣି ମିଳୁ ନଥିବା ଯୋଗୁଁ ବର୍ଷ ତମାମ ସ୍ନାନ ଶୌଚ ଏବଂ ପାନୀୟ ଜଳ ପାଇଁ ଜଳଭଣ୍ଡାର ଉପରେ ନିର୍ଭର କରୁଥିଲେ ଗ୍ରାମବାସୀ। ଏହାକୁ ଦେଖି ତିନି ବର୍ଷ ତଳେ ପ୍ରାକୃତିକ ଉପାୟରେ ପାହାଡ଼ରୁ ପାଇପ ଲାଇନ ପକାଇ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଏହି ଗ୍ରାମ ସହିତ ଅନ୍ୟ ଦୁଇଟି ଗ୍ରାମକୁ ପାଣି ଯୋଗା ଯାଉଥିଲା। ଏବେ ଖରାର ପ୍ରକୋପ ବୃଦ୍ଧି ପାଇବା ପରେ ପାହାଡ ଝରଣା ସୁଖି ଯିବା ଫଳରେ ପାଣି ଯୋଗାଣ ବନ୍ଦ ହୋଇଯାଇଛି। ଯାହା ଫଳରେ ଡାବୁଥଳି ଗ୍ରାମର ଲୋକମାନେ ଆନ୍ଧ୍ରର ଜଳ ଭଣ୍ଡାର ଉପର ପାର୍ଶ୍ୱ ମହେନ୍ଦ୍ର ତନୟା ନଦୀରେ ଚୁଆ ଖୋଳି ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ସ୍ନାନ ଶୌଚ ପାଇଁ ଜଳଭଣ୍ଡାରକୁ ଯାଉଛନ୍ତି। ପାନୀୟ ଜଳ ସଂଗ୍ରହ ପାଇଁ ପ୍ରାୟ ଦେଢ କିଲୋମିଟର  ଯିବାକୁ ପଡୁଛି।

ଡାବୁଥଳି ଗ୍ରାମରେ ୪୫ ପରିବାର ବସବାସ କରନ୍ତି। ଗ୍ରାମରେ ଥିବା ନଳକୂପରୁ ଜଳସ୍ତର କମିଯିବା ଯୋଗୁଁ ପାଣି ବାହାରୁ ନାହିଁ। ଏହି ଗ୍ରାମର ଲୋକମାନେ ମଧ୍ୟ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ଏହି ସବୁ ଗ୍ରାମ ପୂର୍ବରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିଲା। ପ୍ରଶାସନର ପ୍ରତିଶ୍ରୁତି ପରେ ଗ୍ରାମର ଲୋକମାନେ ପୂର୍ବ ଗ୍ରାମ ନାମରେ ପାହାଡ ତଳକୁ ଓହ୍ଲାଇ ବସତି ସ୍ଥାପନ କରିଥିଲେ। ଗ୍ରାମମାନଙ୍କୁ କଣ୍ଟା କୁମ୍ଭ ନିକଟ ଜଙ୍ଗଲରେ କୂଅ ଖୋଲି ପାଇପ ଯୋଗେ ପ୍ରାୟ ପାଞ୍ଚ କିଲୋମିଟର ଦୂରରୁ ପାଣି ଯୋଗା ଯାଉଥିଲା। ଏବେ ତାହା ସୁଖିଯିବା ଫଳରେ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସକାଳେ ଏବଂ ସନ୍ଧ୍ୟାରେ ଝିଅ ବୋହୂମାନେ ମୁଣ୍ଡରେ ମାଠିଆ, ଗରା ଧରି ଜଳ ଭଣ୍ଡାରକୁ ଯାଇ ସ୍ନାନ ଶୌଚ କରିବା ପରେ ଚୁଆରୁ ପାଣି ଧରି ଫେରୁଛନ୍ତି। ଗୃହ ପାଳିତ ପଶୁମାନଙ୍କ ପାଇଁ ମଧ୍ୟ ଏହି ଜଳଭଣ୍ଡାର ଉପରେ ନିର୍ଭର କରିବାକୁ ପଡୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ଲୋକମାନେ ନିବେଦନ କରିଛନ୍ତି।

Comments are closed.