www.samajalive.in
Saturday, December 6, 2025
15.1 C
Bhubaneswar

୪ ତାରିଖରେ ପୁରୀରେ ପାଳନ ହେବ ନୌସେନା ଦିବସ: ଯୋଗ ଦେବେ ରାଷ୍ଟ୍ରପତି

ପୁରୀ : ଭାରତୀୟ ନୌସେନା ଆଗାମୀ ୪ ତାରିଖ ଦିନ ପରାକ୍ରମ ଦେଖାଇବ। ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିରେ ନୌସେନାର ପ୍ରତିଷ୍ଠା ଦିବସ ଅବସରରେ ସମୁଦ୍ର ଓ ଆକାଶ ପଥରେ ଦୁଃସାହାସିକ କୌଶଳ ପ୍ରଦର୍ଶନ କରାଯିବ। ଏଥିପାଇଁ ୪ଟି ଯୁଦ୍ଧ ଟ୍ୟାଙ୍କ ସମେତ ୨ଟି ବଡ଼ ଜାହାଜ ବୁଧବାର ପୁରୀରେ ଆସି ପହଞ୍ଚିଛି। ନୌବାହିନୀ ପକ୍ଷରୁ ବେଳାଭୂମିରେ ଆରମ୍ଭ ହୋଇଛି ଅଭ୍ୟାସ। ନୌସେନାର କିଛି ବିମାନ ଆକାଶରେ ଘନଘନ ପଇଁତରା ମାରୁଛନ୍ତି। ଜାହାଜ ଏବଂ ନୌସେନାର ପରେଡ୍ ଦେଖିବାକୁ ପୁରୀ ବେଳାଭୂମିରେ ଲୋକଙ୍କ ଭିଡ଼ ଜମୁଛି। ଆଗାମୀ ୨ ତାରିଖ ସୁଦ୍ଧା ଆଉ ୨୨ ବଡ଼ଜାହାଜ ଏବଂ ଟ୍ୟାଙ୍କ ସମେତ ୪୦ ଏୟାରକ୍ରାଫ୍ଟ ଏଠାରେ ପହଞ୍ଚିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୌସେନା ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ପ୍ରାୟ ଦୁଇଲକ୍ଷ ଦର୍ଶକ ବେଳାଭୂମିରେ ବସି ନୌସେନାର ଏହି ଦୁଃସାହାସିକ କୌଶଳ ଦେଖିବାର ସୁଯୋଗ ପାଇବେ। ବ୍ଲୁ ଫ୍ଲାଗ ବେଳାଭୂମିରେ ତିନିହଜାର ଭିଭିଆଇପି ଏବଂ ଭିଆଇପିଙ୍କ ପାଇଁ ବ୍ୟବସ୍ଥା କରାଯାଉଛି। ସମୁଦ୍ରର ନୀଳ ଜଳରାଶିରେ ନୌସେନା ଜାହାଜ ଏବଂ ଆକାଶରେ ଏୟାରକ୍ରାଫ୍ଟ ବିଭିନ୍ନପ୍ରକାର କୌଶଳ ପ୍ରଦର୍ଶନ କରିବେ। ଏଥିପାଇଁ ପେଣ୍ଠକଟାଠାରୁ ଲାଇଟହାଉସ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମିରେ ବ୍ୟାପକ ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯିବ। କେନ୍ଦ୍ରୀୟ ସୁରକ୍ଷାବାହିନୀ ସମେତ ୮୦ ପ୍ଲାଟୁନ ପୁଲିସଫୋର୍ସ ଏବଂ ୩୦୦ ପୁଲିସ ଅଧିକାରୀଙ୍କୁ ଏଥିପାଇଁ ନିୟୋଜିତ କରାଯିବ। ଅତିଥିଙ୍କୁ ସ୍ବାଗତ କରିବା ପାଇଁ ବେଳାଭୂମିରେ ଲାଲ ଗାଲିଚା ପକାଯାଉଛି। ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ସଭାମଞ୍ଚ ଏବଂ ଆଉ ଏକ ସାଂସ୍କୃତିକ ମଞ୍ଚ ନିର୍ମାଣ କରାଯାଉଛି। ନୌସେନା ପ୍ରତିଷ୍ଠା ଦିବସ ପାଳନ ପାଇଁ ପୁରୀ ଆକାଶରେ ଡ୍ରୋନ ଉଡ଼ାଣ ନିଷେଧ କରାଯାଇଛି। ଏହାଛଡ଼ା ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଡଙ୍ଗା ଏବଂ ଟ୍ରଲର ଚଳାଚଳ ନିଷେଧ କରାଯିବ। ରାଜ୍ୟ ପୁଲିସ ମହାନିର୍ଦେଶକ ୱାଇ. ବି. ଖୁରାନିଆ ପୁରୀ ଗସ୍ତରେ ଆସି ସୁରକ୍ଷାବ୍ୟବସ୍ଥା ତଦାରଖ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୁରୀରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ। ଦିନ ୧୧ଟାଠାରୁ ୧୨ଟା ପର୍ଯ୍ୟନ୍ତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ନୌସେନା ପ୍ରତିଷ୍ଠା ଦିବସରେ ଯୋଗଦେଇ ସେଠାରୁ ପୁରୀ ରାଜଭବନକୁ ଯାଇ ମଧ୍ୟାହ୍ନଭୋଜନ କରିବା ସହ କିଛି ସମୟ ବିଶ୍ରାମ କରିବେ। ନୌସେନା ମୁଖ୍ୟଙ୍କ ସମେତ ବହୁ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହାକୁ ଦୃଷ୍ଟିରେ ରଖି ପୁରୀ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଆଗାମୀ ୩ ତାରିଖରେ ଯୁଦ୍ଧଟ୍ୟାଙ୍କର, ଜାହାଜ ଏବଂ ଏୟାରକ୍ରାଫ୍ଟ ଗୁଡ଼ିକ ପରାକ୍ରମ କୌଶଳ ଅଭ୍ୟାସ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories