ଶୁକ୍ରବାର ଡିଜି ଓ ଆଇଜି ସମ୍ମିଳନୀ : ସୁରକ୍ଷା ବଳୟରେ ରାଜଧାନୀ, ୫ ସ୍ଥାନ ନୋ ଫ୍ଲାଇଂ ଜୋନ୍‌

ଭୁବନେଶ୍ବର : ଭୁବନେଶ୍ୱରରେ ତିନିଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଲୋକସଭା ଭବନ ସମ୍ମିଳନୀ କକ୍ଷରେ ୨୯ ତାରିଖରୁ ଏହି ସମ୍ମିଳନୀ ଚାଲିବ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେବେ। ପ୍ରଧାନମନ୍ତ୍ରୀ ୩ ଦିନିଆ ଓଡ଼ିଶା ଗସ୍ତକୁ ନେଇ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ବିମାନ ବନ୍ଦରରୁ ରାଜଭବନ, ରାଜଭବନରୁ ଦଳୀୟ କାର୍ଯ୍ୟାଳୟ ଯାଏଁ ବ୍ୟାରିକେଡ କରାଯାଇଛି। ପ୍ରଧାନମନ୍ତ୍ରୀ ଗସ୍ତ କରିବାକୁ ଥିବା ସମସ୍ତ ରାସ୍ତାକୁ ବୋମା ନିଷ୍କ୍ରିୟକାରୀ ଦଳ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ସନ୍ଧାନୀ କୁକୁର ଜରିଆରେ ମଧ୍ୟ ରାସ୍ତା, ସଭାସ୍ଥଳ, ବିମାନ ବନ୍ଦର ଅଞ୍ଚଳକୁ ଯାଞ୍ଚ କରାଯାଉଛି। ଏଥିସହ ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସହରର ୫ଟି ସ୍ଥାନକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ବିମାନ ବନ୍ଦର, ଲୋକସେବା ଭବନ, ରାଜ୍ୟ ଅତିଥି ଭବନ, ରାଜଭବନ, ମୈତ୍ରୀବିହାର ଓ ଆଇପିଏସ୍‌ ମେସ୍‌ ସମେତ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କମିସନରେଟ ପୁଲିସ ପକ୍ଷରୁ ନୋ ଫ୍ଲାଇଂ ଜୋନ୍‌ କରାଯାଇଛି।
୫୯ତମ ଡିଜି ଓ ଆଇଜି ସମ୍ମିଳନୀ ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ। ବୈଠକରେ ବିଏସ୍‌ଏଫ୍‌ ଡିଜି, ସିଆର୍‌ପିଏଫ୍‌ ଡିଜି, ଏନ୍‌ଆଇଏ ମୁଖ୍ୟ, ‘ର’ ମୁଖ୍ୟ, ଆଇବି, ଏନ୍‌ଏସ୍‌ଜି, ଏସ୍‌ପିଜି ମୁଖ୍ୟ ଯୋଗଦେବେ। ପ୍ରାୟ ୩୦୦ ପଦାଧିକାରୀ ୩ ଦିନ ଧରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ରହିବେ। ଏହି ସମ୍ମିଳନୀକୁ ନେଇ ପୂରା ସହର ସଜେଇ ହୋଇଛି। ସବୁଠି ପୁଲିସ କଡ଼ା ପ୍ରହରା ଦେଉଥିବା ବେଳେ ରଙ୍ଗିନ ଆଲୋକରେ ରାଜଧାନୀ ଝଲସୁଛି। ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ମହାନିର୍ଦେଶକ ୱାଇବି ଖୁରାନିଆ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତିି। ରାଜଧାନୀକୁ ସିସିଟିଭି ନଜରରେ ରଖାଯାଇଛି। ନିୟନ୍ତ୍ରଣ କକ୍ଷରେ ବସି ସହରର କୋଣ ଅନୁକୋଣକୁ ପୁଲିସ ଜଗିଛି। ସାଦା ପୋଷାକଧରୀ ପୁଲିସ ଘୂରି ବୁଲୁଛନ୍ତି। ସନ୍ଦିଗ୍ଧଙ୍କ ଉପରେ ସେମାନେ ନଜର ରଖିଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ରାଜ୍ୟ ପୁଲିସ ସମେତ, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌ ଓ କ୍ୟୁଆର୍‌ଟି ନିୟୋଜିତ ହୋଇଛନ୍ତି। ପ୍ରାୟ ୮୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ସୁରକ୍ଷାକୁ ନେଇ ପ୍ରତ୍ୟେକ ଦିନ ପୁଲିସ ଓ ପ୍ରଶାସନର ଘନଘନ ବୈଠକ କରାଯାଉଛି। ଭିଭିଆଇପିଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି।

kalyan agarbati

Comments are closed.